December 26, 2025
Home » ଲଘୁ ଖଣିଜ ଦ୍ରବ୍ୟ ଚୋରା କାରବାର ଉପରେ ଜିଲ୍ଲା ପ୍ରଶାସନର ଦୃଢ ପଦକ୍ଷେପ

ଲଘୁ ଖଣିଜ ଦ୍ରବ୍ୟ ଚୋରା କାରବାର ଉପରେ ଜିଲ୍ଲା ପ୍ରଶାସନର ଦୃଢ ପଦକ୍ଷେପ

0
WhatsApp Image 2025-03-14 at 7.58.27 AM (1)


କଟକ: ଲଘୁ ଖଣିଜ ଦ୍ରବ୍ୟ, ବିଶେଷ କରି ବାଲି ଚୋରା କାରବାର ରୋକିବା ନିମନ୍ତେ କଟକ ଜିଲ୍ଲା ପ୍ରଶାସନର ବାରମ୍ବାର ଚଢାଉ ଜାରି ରହିଛି । ଏହି ପ୍ରକ୍ରିୟା ଅନ୍ତର୍ଗତ କଟକ ସଦର ଉପଖଣ୍ଡ ଅଧିନସ୍ଥ କିଶନନଗର, ବାରଙ୍ଗ, ନିଶ୍ଚିନ୍ତକୋଇଲି, ନିଆଳି ତଥା କଟକ ସଦର ତହସିଲ ଅଞ୍ଚଳରେ ଗତକାଲି ରାତିରେ ୫ଟି ଦଳ ବିଭିନ୍ନ ସ୍ଥାନରେ ଚୋରା ବାଲି ବେପାର ଉପରେ ଚଢାଉ କରିଥିଲେ । କିଶନନଗର ତହସିଲର ବାଙ୍କୋଳ, ଚମ୍ପା, ବାବୁଜଙ୍ଗ ଓ ଗୁଆଳି ଅଞ୍ଚଳରେ କିଶନନଗର ଅତିରିକ୍ତ ତହସିଲଦାର ଓ ଭାରପ୍ରାପ୍ତ ଆରକ୍ଷୀ ନିରୀକ୍ଷକଙ୍କ ସହ ଉତ୍ତରକୂଳ ଓ ସମିତାଙ୍ଗର ରାଜସ୍ୱ ନିରୀକ୍ଷକଙ୍କୁ ନେଇ ଏକ ଦଳ ଚଢାଉ କରି ବାଙ୍କୋଳ ଠାରେ ଏକ ଚାଳକ ବିହୀନ ମାଟି ଖୋଲା ଯନ୍ତ୍ର ଏବଂ ବାବୁଜଙ୍ଗ ଠାରେ ମଧ୍ୟ ଏକ ଚାଳକ ବିହୀନ ମାଟିଖୋଳା ଯନ୍ତ୍ର ପାଇଥିଲେ ଏବଂ ବିହିତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଜିଲ୍ଲା ଖଣି ଅଧିକାରୀଙ୍କୁ ଅବଗତ କରିଥିଲେ ।

ସେହିପରି ବାରଙ୍ଗ ତହସିଲର ନାରଣପୁର ଅଞ୍ଚଳରେ ବାରଙ୍ଗ ତହସିଲଦାର, ଅତିରିକ୍ତ ତହସିଲଦାର , ରାଜସ୍ୱ ନିରୀକ୍ଷକ , ଅମିନ ଏବଂ କନିଷ୍ଠ ଖଣି ଅଧିକାରୀଙ୍କୁ ନେଇ ଗଠିତ ଦଳ ୩ଟି ମାଟିଖୋଳା ଯନ୍ତ୍ର ଏବଂ ୩ଟି ହାଇୱା ଜବତ କରି ଜିଲ୍ଲା ଖଣି ଅଧିକାରୀଙ୍କୁ ବିହିତ ପଦକ୍ଷେପ ନିମନ୍ତେ ହସ୍ତାନ୍ତର କରିବା ସହିତ ପ୍ରାୟ ୧୮ଲକ୍ଷ ଟଙ୍କାର ଜୋରିମାନା ଆଦାୟର ନିର୍ଦ୍ଦେଶ ଦେଇଥିଲେ । ନିଶ୍ଚିନ୍ତକୋଇଲି ତହସିଲର ସହଦେବପୁର, ଦେମାଣ୍ଡ, କୁଳଗଈଂଶାଳ, ନେମାଳ ଓ ପାଳଦା ଅଞ୍ଚଳରେ ତହସିଲଦାର, ନେମାଳ ରାଜସ୍ୱ ପର୍ଯ୍ୟବେକ୍ଷକ ଏବଂ ସୁକରପଡା ରାଜସ୍ୱ ନିରୀକ୍ଷକ , ନେମାଳ ଭାରପ୍ରାପ୍ତ ଆରକ୍ଷୀ ନିରୀକ୍ଷକଙ୍କୁ ନେଇ ଗଠିତ ଦଳ ୪ଟି ସନ୍ଦିଗ୍ଧ ଯାନ ଯାଞ୍ଚ କରିଥିଲେ ।

ସେହିପରି ନିଆଳି ତହସିଲର ଜଲରପୁର, କସର୍ଦ୍ଦା ଓ ନିଆଳି ଅଞ୍ଚଳରେ ନିଆଳି ତହସିଲଦାର ଓ ଭାରପ୍ରାପ୍ତ ଆରକ୍ଷୀ ନିରୀକ୍ଷକ ଏବଂ କସର୍ଦ୍ଦା ରାଜସ୍ୱ ନିରୀକ୍ଷକଙ୍କ ଦଳ ଚଢାଉ କରି ୫ଟି ହାଇୱା ଏବଂ ୧ଟି ଟ୍ରାକ୍ଟର ଜବତ କରି ଖଣି ଅଧିକାରୀଙ୍କୁ ହସ୍ତାନ୍ତର କରିଥିଲେ । କଟକ ସଦର ତହସିଲର ଜରିପଦା ଅଞ୍ଚଳରେ ସଦର ତହସିଲଦାର , ଗୋପାଳପୁର, ଖଣ୍ଡେଇତା ଓ ତେଲେଙ୍ଗାପେଣ୍ଠ ରାଜସ୍ୱ ନିରୀକ୍ଷକଙ୍କ ସହ ଜିଲ୍ଲା ଖଣି ଅଧିକାରୀ ଓ ସଦର ଥାନାର ଆରକ୍ଷୀ ଅଧିକାରୀଙ୍କ ଦଳ ୪ଟି ହାଇୱା ଜବତ କରିଥିଲେ । ସୂଚନାଯୋଗ୍ୟ ଯେ, ଚୋରାବାଲି ବେପାର ରୋକିବା ନିମନ୍ତେ ଜିଲ୍ଲା ପ୍ରଶାସନର ଏହିପରି ଦୃଢ ପଦକ୍ଷେପ ଆଗକୁ ଜାରି ରହିବ । ତେଣୁ ଜିଲ୍ଲା ପ୍ରଶାସନ ତରଫରୁ ବାଲି ମାଫିଆ ମାନଙ୍କୁ ସତର୍କ କରିଦିଆଯାଇଛି ।

କଟକ ଇପିଏ ରୁ ଲଳିତ ଦାଶ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *