“ଲୋକନୃତ୍ୟରେ ସୃଜନଶୀଳତା” ଜିଲ୍ଲା ସ୍ତରୀୟ କର୍ମଶାଳା ଅନୁଷ୍ଠିତ
ସୁବର୍ଣ୍ଣପୁର ଜିଲ୍ଲାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ପଏଁରୀ ଏବଂ ସଂସ୍କୃତି ମନ୍ତ୍ରାଳୟ, ଭାରତ ସରକାର, ନୁଆଁଦିଲ୍ଲୀ ର ସହଯୋଗରେ ପିଏମ୍ଶ୍ରୀ କୁଶଳେଶ୍ୱର ଉଚ୍ଚ ବିଦ୍ୟାଳୟ, ଡୁଙ୍ଗୁରିପାଲି ଠାରେ ଗୁରୁ ଶିଷ୍ୟ ପରମ୍ପରା ରିପେର୍ଟୋରୀ ଅନୁଦାନ ଅଧିନରେ ଏକ ସାରସ୍ୱତ ସାଂସ୍କୃତିକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । “ଲୋକନୃତ୍ୟରେ ସୃଜନଶୀଳତା” ଶୀର୍ଷକରେ ପିଏମ୍ଶ୍ରୀ କୁଶଳେଶ୍ୱର ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ପଦ୍ମନାଭ କର୍ଣ୍ଣ ଙ୍କ ଅଧ୍ୟକ୍ଷତାରେ ଓ ପଏଁରୀ ଅନୁଷ୍ଠାନର ସଂପାଦକ ଗୁରୁ ଚୌଧୁରୀ ବିଭାରଙ୍କ ସଂଯୋଜନା ରେ ଅନୁଷ୍ଠିତ ହେଇଥିଲା । ପ୍ରଥମେ ଏହି ସୋପାନରେ କବି ତଥା ଲେଖକ ଏକାଦଶିଆ ବରଗେଇ, ସାଧନ କର୍ମୀ ଶ୍ରୀ ଆଦିତ୍ୟ କିଶୋର ପାଢୀ ଓ ଶିକ୍ଷକ ଶ୍ରୀ ଅଲେଖ ସାହୁ ଆଲୋଚକ ଭାବରେ ଯୋଗଦାନ କରି ଲୋକନୃତ୍ୟରେ ସୃଜନଶୀଳତା ପ୍ରଦର୍ଶନ ବିଷୟରେ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ନୃତ୍ୟଶିଳ୍ପୀମାନେ ମଂଚରେ ଲୋକନୃତ୍ୟ ପ୍ରଦର୍ଶନ କରିବା ସମୟରେ ସୃଜନଶୀଳତା ରହିବା ଉଚିତ ବୋଲି ପ୍ରଧାନ ଶିକ୍ଷକ ଶ୍ର୍ରୀ ପଦ୍ମନାଭ କର୍ଣ୍ଣ ତାଙ୍କ ସଭାପତିତ୍ୱ ବକ୍ତବ୍ୟରେ ଛାତ୍ର ଛାତ୍ରୀ ମାନଙ୍କୁ ଉପଦେଶ ପ୍ରଦାନ କରିଥିଲେ ।

ପଏଁରୀ ଅନୁଷ୍ଠାନର ସଂପାଦକ ନୃତ୍ୟ ନିର୍ଦ୍ଦେଶକ ତଥା ଲୋକକଳା ଗବେଷକ ଗୁରୁ ଚୌଧୁରୀ ବିଭାର “ଲୋକନୃତ୍ୟରେ ସୃଜନଶୀଳତା” ଶୀର୍ଷକ ଏକ ସୁନ୍ଦର ପ୍ରବନ୍ଧ ଉପସ୍ଥାପନା କରିଥିଲେ । ନୃତ୍ୟଶିଳ୍ପୀମାନେ କାର୍ଯ୍ୟକ୍ରମର ମନୋଭାବ ସହିତ ଯୋଡି ହୋଇ ନିରନ୍ତର ପାଦକାର୍ଯ୍ୟକୁ ଚାଲୁରଖିବା ଏବଂ ନୃତ୍ୟର ମୂଳ ପରିଚୟ ନ ହରାଇ ସାମାନ୍ୟ ପରିବର୍ତନ ଆଣିବା ଉଚିତ ବୋଲି ଛାତ୍ର ଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ତାପରେ ସାଂସ୍କୃତିକ କର୍ମଶାଳା ଆରମ୍ଭ ହୋଇଥିଲା । ଶିକ୍ଷାନୁଷ୍ଠାନର ଛାତ୍ର ଛାତ୍ରୀ ମାନଙ୍କୁ ଲୋକନୃତ୍ୟରେ ସୃଜନଶୀଳତା କିପରି ବ୍ୟବହାର କରି ମଂଚରେ ପରିବେଷଣ କରାଯାଏ ତା ଉପରେ ଶିକ୍ଷା ଦିଆଯାଇଥିଲା । ନୃତ୍ୟ ନିର୍ଦ୍ଦେଶକ ଗୁରୁ ଚୌଧୁରୀ ବିଭାର ଡାଲଖାଇ ଲୋକନୃତ୍ୟ କିପରି ପରିବେଷଣ କରାଯାଏ ସେ ବିଷୟରେ ଛାତ୍ର ଛାତ୍ରୀ ମାନଙ୍କୁ ଶିକ୍ଷାଦାନ ଦେଇଥିଲେ । ଶେଷରେ ଶିକ୍ଷାନୁଷ୍ଠାନର ଶିକ୍ଷୟିତ୍ରୀ ନନ୍ଦିନୀ ମହାଣା ଧନ୍ୟବାଦ ଅର୍ପଣ କରିଥିଲେ ।
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..
