ସଫଳ ରକ୍ତଦାନ ଶିବିର ଅନୁଷ୍ଠିତ
ଗ୍ରୀଷ୍ମ ଋତୁରେ ରକ୍ତର ଅଭାବକୁ ଦୂର କରିବା ଏବଂ ସମାଜରେ ସେବା ମନୋଭାବ ଜାଗ୍ରତ କରିବା ଉଦ୍ଦେଶ୍ୟରେ ଚନ୍ଦକା ସ୍ଥିତ ମଳିପଡ଼ା ଅଞ୍ଚଳର ଶ୍ରୀରାମ ବିହାର ଠାରେ ଏକ ସଫଳ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଶ୍ରୀରାମ ଗ୍ରାମୀଣ ବିକାଶ ସଂଘ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ କମିଶନରେଟ୍ ପୋଲିସ ର ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ରହିଥିବା ବେଳେ ‘ଜୟ ଓଡ଼ିଶା’ ଏବଂ ‘ରୋଟାରୀ କ୍ଲବ ଅଫ୍ ଆଇକନ୍ସ’ ପକ୍ଷରୁ ସହଯୋଗ କରାଯାଇଥିଲା।ପ୍ରକୃତିର ଖୋଲା ପରିବେଶ ଏବଂ ଖୋଲା ଆକାଶ ତଳେ ଏହି ଶିବିର ଏକ ନିଆରା ପରିବେଶ ସୃଷ୍ଟି କରିଥିଲା। ରକ୍ତଦାତାମାନଙ୍କ ମଧ୍ୟରେ ଥିବା ଉତ୍ସାହ ସମସ୍ତଙ୍କୁ ଚକିତ କରିଥିଲା। ରକ୍ତଦାତାଙ୍କ ନିରନ୍ତର ସହଯୋଗ ଯୋଗୁଁ ଏହି ଶିବିରଟି ଅତ୍ୟନ୍ତ ଶୃଙ୍ଖଳିତ ଓ ସଫଳ ହୋଇଥିଲା।ଶ୍ରୀରାମ ଗ୍ରାମୀଣ ବିକାଶ ସଂଘର ସଭାପତି ଶ୍ରୀ ଅଶୋକ ରାଣାଙ୍କ ସମାଜ ସେବା ମନବୃତ୍ତି ଏବଂ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ,ଶ୍ରୀ ମାନସ ରଞ୍ଜନ ଗଡନାୟକ,ଆଡିସନାଲ ଡିସିପି, କମିଶନରେଟ୍ ପୋଲିସ,ଶ୍ରୀ ଜ୍ୟୋତି ରଞ୍ଜନ ବିଶ୍ୱାସ,ଡିନ୍, ଷ୍ଟୁଡେଣ୍ଟସ ୱେଲଫେୟାର, ସୋଆ ୟୁନିଭର୍ସିଟି, ଶ୍ରୀରାମ ନଗର ବିକାଶ ସଂଘ ର ସଭାପତି ଅଶୋକ କୁମାର ପ୍ରଧାନ ଉପସଭାପତି ଅଜୟ କୁମାର ଦଳେଇ ,କୋଷାଧ୍ୟକ୍ଷ ଉଦ୍ଧବ କୁମାର ସାହୁ ଏବଂ ଆଇନଜୀବୀ ଶ୍ରୀମତି ରଶ୍ମିରେଖା ନାୟକ ଅପା ଯୋଗ ଦେଇଥିଲେ ।ଏହି ଶିବିରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଏବଂ ପ୍ରେରଣାଦାୟୀ ଦିଗ ଥିଲା ମହିଳାମାନଙ୍କ ଅଂଶଗ୍ରହଣ। ଶିବିରରେ ୧୦ ଜଣ ମହିଳା ରକ୍ତଦାନ କରି ସମାଜ ପାଇଁ ଏକ ଶ୍ରେଷ୍ଠ ଉଦାହରଣ ସାଜିଛନ୍ତି। ସେମାନଙ୍କର ଏହି ସାହସିକତା ଅନ୍ୟମାନଙ୍କୁ ରକ୍ତଦାନ ଭଳି ମହତ କାର୍ଯ୍ୟ ପାଇଁ ଆଗେଇ ଆସିବାକୁ ଉତ୍ସାହିତ କରିଛି।ଏହି ଅବସରରେ ,ଜୟ ଓଡ଼ିଶାର ସଭାପତି,ଶ୍ରୀ ରୁଦ୍ର ନାରାୟଣ ସାମନ୍ତରାୟ କହିଛନ୍ତି, “ପ୍ରଚଣ୍ଡ ରୌଦ୍ରତାପ ସତ୍ତ୍ୱେ ସାଧାରଣତଃ ରକ୍ତ ଭଣ୍ଡାରରେ ରକ୍ତ ଆଭାବର ସଙ୍କଟ ଦେଖାଦିଏ। ଏହାକୁ ଦୂର କରିବା ପାଇଁ ଆମେ ଏଭଳି ଛୋଟ ଛୋଟ ଶିବିରର ଆୟୋଜନ କରୁଛୁ। ଏହିଭଳି ଭାବେ ଯଦି ପ୍ରତିଟି ଯୁବ ସଂଘ ଆଗେଇ ଆସି ରକ୍ତଦାନ ଶିବିର କରି ୨୦ ରୁ ୨୫ ୟୁନିଟ୍ ରକ୍ତ ମଧ୍ୟ ସଂଗ୍ରହ କରିପାରିଲେ ବି ବହୁତ୍ ମୂଲ୍ୟବାନ ହୋଇପାରିବ, ଏବଂ ତାହା ଅନେକ ମୂଲ୍ୟବାନ ଜୀବନ ବଞ୍ଚାଇବାରେ ସହାୟକ ହେବ।”ଏହା ସହିତ ଶ୍ରୀରାମ ଗ୍ରାମୀଣ ବିକାଶ ସଂଘ ପକ୍ଷରୁ ସମସ୍ତ ରକ୍ତଦାତା, ଅତିଥି ଏବଂ ସହଯୋଗୀ ସଂଗଠନକୁ ଧନ୍ୟବାଦ ଅର୍ପଣ କରିଛନ୍ତି।
esternpress agency
