ସମସ୍ତ ସ୍ଵତନ୍ତ୍ର ଯତ୍ନ ସୁବିଧା ଚାହୁଁଥିବା ଶିଶୁ ମାନଙ୍କୁ ଶିଶୁ ମଙ୍ଗଳ କମିଟି ନିକଟରେ ହାଜର କରାଇ ସେମାନଙ୍କୁ ସାମାଜିକ ସୁରକ୍ଷା ଯୋଜନାରେ ସାମିଲ କରିବାକୁ ହେବ : ଅତିରିକ୍ତ ଜିଲ୍ଲାପାଳ
ଶିଶୁ ମାନଙ୍କ ଅଧିକାରକୁ ସୁରକ୍ଷିତ ରଖିବା ପାଇଁ ସବୁ ସ୍ତରରେ ନିୟମିତ ସମୀକ୍ଷା ହେବା ଆବଶ୍ୟକ : ମୁଖ୍ୟ ନିର୍ବାହୀ ଅଧିକାରୀ
ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ପାଳନ ଅବସରରେ ସ୍ଵତନ୍ତ୍ର ଗ୍ରାମସଭାରେ ଶିଶୁ ଅଧିକାରକୁ ସୁରକ୍ଷିତ ରଖିବା ପାଇଁ ସାମୁହିକ ଶପଥ ପାଠ ହେବ ଅନୁଷ୍ଠିତ
ରାୟଗଡ ଜିଲ୍ଲା ପ୍ରଶାସନ ତରଫରୁ ୨୪/୯/୨୦୨୪ ଆଜି ପ୍ରଚେଷ୍ଟା ଅଭିଯାନ ମାଧ୍ୟମରେ ଶିଶୁ ମାନଙ୍କ ପାଇଁ ଦିନ ଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଶିଶୁ ମାନଙ୍କ ପାଇଁ ଥିବା ଶିଶୁ ମଙ୍ଗଳ ଓ ସୁରକ୍ଷା କମିଟି, ଶିଶୁ ଶ୍ରମିକ ବିଲୋପ ଟାସ୍କ ଫୋର୍ସ, ବାଲ୍ୟ ବିବାହ ନିରାକରଣ ଓ କିଶୋଋ ସଶକ୍ତିକରଣ ଟାସ୍କ ଫୋର୍ସ କମିଟିର ତ୍ରୟ ମାସିକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ପୂର୍ବରୁ ଚିହ୍ନଟ ହୋଇଥିବା ସ୍ଵତନ୍ତ୍ର ଯତ୍ନ ସୁବିଧା ଚାହୁଁଥିବା ଶିଶୁ ମାନଙ୍କୁ ଶିଶୁ ମଙ୍ଗଳ କମିଟି ନିକଟରେ ହାଜର କରାଇ ସେମାନଙ୍କୁ ସାମାଜିକ ସୁରକ୍ଷା ଯୋଜନାରେ ସାମିଲ କରିବାକୁ ଉପଯୁକ୍ତ ପରିବାରର ମୁଖ୍ୟ ମାନଙ୍କୁ କହିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଭାସ୍କର ରଇତଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଶିଶୁ ମାନଙ୍କର ସର୍ବାଙ୍ଗୀନ ବିକାଶ କରିବା ସହିତ ପ୍ରତ୍ୟେକ ଶିଶୁ କିପରି ସୁରକ୍ଷିତ ପରିବେଶ ଭିତରେ ରହିବେ ସେଥିପ୍ରତି ଗୁରୁତ୍ଵ ଦେବାକୁ ନିଷ୍ପତ୍ତି ନିଆଯାଇଥିଲା । ଏହି ବୈଠକରେ ଯୋଗଦେଇ ଜିଲ୍ଲାପରିଷଦର ମୁଖ୍ୟ ବିକାଶ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ନିହାର ରଞ୍ଜନ କହଁର ଯୋଗଦେଇ ପ୍ରତି ବ୍ଲକ ସ୍ତରରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ, ମେଡିକାଲ ଅଧିକାରୀ, ଜାତି ସମାଜର ମୁଖ୍ୟ, ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ, ଥାନା ଅଧିକାରୀ ଓ ହାଇସ୍କୁଲ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଶିଶୁ ଅଧିକାର ଓ ସେମାନଙ୍କ ସୁରକ୍ଷା ସହିତ ଶିଶୁ ଚାଲାଣ, ବାଲ୍ୟ ବିବାହ ସମସ୍ୟା ଗୁଡିକ ବିଷୟରେ ଆଲୋଚନା କରିବା ଆବଶ୍ୟକ ।
ଆସନ୍ତା ଅକ୍ଟୋବର ୨ ତାରିଖ ଦିନ ଗାନ୍ଧୀ ଜୟନ୍ତୀ ପାଳନ ଅବସରରେ ଜିଲ୍ଲାର ସମସ୍ତ ଗ୍ରାମ ପଂଚାୟତରେ ସ୍ଵତନ୍ତ୍ର ଗ୍ରାମ ସଭା ଅନୁଷ୍ଠିତ ହେବାକୁ ଯାଉଛି ତେଣୁ ଏହି ଅବସରରେ ଶିଶୁ ଅଧିକାର, ଶିଶୁ ଚାଲାଣ, କମ ବୟସରେ ବାହାଘର, ଶିଶୁ ଶ୍ରମିକ, ଅଧାରୁ ପାଠ ପଢା ଛାଡିବା ଭଳି ସଂବେଦନଶୀଳ ବିଷୟ ଗୁଡିକ ଉପରେ ଆଲୋଚନା କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଯେଉଁ କିଶୋର କିଶୋରୀ ମାନେ ଦକ୍ଷତା ବିକାଶ ତାଲିମ କାର୍ଯ୍ୟକ୍ରମରେ ସାମିଲ ହେବାକୁ ଚାହୁଁଛନ୍ତି ସେମାନଙ୍କୁ ବ୍ଲକସ୍ତରରେ ଆୟୋଜିତ ହେଉଥିବା ପରାମର୍ଶ ଶିବିରରେ ଯୋଗ ଦେବା ଆବଶ୍ୟକ । ଏଥିପାଇଁ ବ୍ଲକ ସ୍ତରରେ ନିର୍ଦ୍ଧିଷ୍ଟ ତାରିଖ ଜିଲ୍ଲା ପ୍ରଶାସନ ତରଫରୁ ସ୍ଥିର ହୋଇଥିବା କଥା ଜିଲ୍ଲା ଦକ୍ଷତା ବିକାଶ ଅଧିକାରୀ ଶ୍ରୀ ତତ୍ତ୍ଵମସି ମହାପାତ୍ର କହିଥିଲେ । ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ପ୍ରତିମା ପ୍ରଧାନ ବୈଠକକୁ ସ୍ଵାଗତ କରିଥିଲା ବେଳେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବିଚିତ୍ରା ସେଠୀ ଗତ ୩ ମାସର ଅଗ୍ରଗତି ବିଷୟରେ ଆଲୋଚନା କରିଥିଲେ ।
ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବସନ୍ତ ପ୍ରଧାନ, ଜିଲ୍ଲା ଶ୍ରମ ଅଧିକାରୀ ଗୋପାଳକୃଷ୍ଣ ମଙ୍ଗରାଜ, ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ଡା. ମମତା ସାହୁ, ଶିଶୁ ମଙ୍ଗଳ କମିଟିର ସଦସ୍ୟ କୈଳାସ ଚନ୍ଦ୍ର ପାଳ, ଗାଗାରିନ ଶବର, ପ୍ରିୟଦର୍ଶିନୀ ମହାକୁଳ, ଜିଲ୍ଲା ସମାଜ ମଙ୍ଗଳ ବିଭାଗର ସୁରକ୍ଷା ଅଧିକାରୀ ପ୍ରତିମା ଦାସ, ସୁଜାତା ତ୍ରିପାଠୀ, ଜିଲ୍ଲା ସମଗ୍ର ଶିକ୍ଷାର ସଂଯୋଜକ ସୁରେନ୍ଦ୍ର ସାଠୁଆ, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ପ୍ରତାପ ଦାଶଙ୍କ ସମେତ ସମସ୍ତ କର୍ମକର୍ତ୍ତା, ଆକ୍ସନଏଡର ବାଲ୍ୟ ବିବାହ ନିଷେଧ ଜିଲ୍ଲା ପରାମର୍ଶଦାତା ରତ୍ନେଶ୍ଵର ସାହୁ, ଅରୁଣା ସଂଗଠନର ଜିଲ୍ଲା ପରାମର୍ଶଦାତା ପ୍ରମୋଦ କୁମାର ନାୟକ(CTWWC), ଜିଲ୍ଲାର ସମସ୍ତ ବାଲ୍ୟ ବିବାହ ନିଷେଧ ଅଧିକାରୀଙ୍କ ସମେତ ରାଜ୍ୟ ସହାୟକ କେନ୍ଦ୍ରର କର୍ମକର୍ତ୍ତା ଗଣ ଉପସ୍ଥିତ ଥିଲେ ।