ସରକାରୀ ବିଜ୍ଞାନ ମହାବିଦ୍ୟାଳୟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ..!!

ଛତ୍ରପୁର:ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ଓ ରୋଟାରି କ୍ଲବ ଛତ୍ରପୁରର ମିଳିତ ଉଦ୍ୟମରେ ମହାବିଦ୍ୟାଳୟ ପରିସରରେ ଏକ ବୃହତ୍ତ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ. ଅଜୟ କୁମାର ତ୍ରିପାଠୀ ଏହାକୁ ଆନୁଷ୍ଠାନିକ ଭାବରେ ଉଦ୍ଘାଟନ କରି କହିଲେ ଆଜିର ଯୁବପିଢି ଯେମିତି ପରିବେଶ ଓ ପୃଥିବୀ ବିଷୟରେ ସଚେତନ ହେଉଛନ୍ତି, ଏହା ଦେଖି ଆମେ ଆଶା କରିପାରିବା ଯେ ଆଗାମୀ ପିଢ଼ି ପାଇଁ ଏହା ଏକ ହରିତ ଓ ସୁନ୍ଦର ଭବିଷ୍ୟତ ନିର୍ମାଣ କରିବାରେ ସହାୟକ ହୋଇପାରିବ । ଗଛ କେବଳ ଶୂନ୍ୟ ସ୍ଥାନକୁ ପୁରଣ କରେନାହିଁ ବରଂ ଏହା ପ୍ରାଣବାୟୁ ଦେଇଥାଏ, ଜୀବନକୁ ଆଶ୍ରୟ ଦେଇଥାଏ ଓ ଏକ ସମ୍ବେଦନଶୀଳ ପରିବେଶ ଗଠନର ପ୍ରତିଶ୍ରୁତି ବହନ କରିଥାଏ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଶ୍ରୀ ଭି. ରାଜେନ୍ଦ୍ର ରାଜୁ ଏପରି କାର୍ଯ୍ୟକ୍ରମର ବିଶେଷ ପ୍ରଶଂସା କରିବା ସହିତ ଆମ ପ୍ରାକୃତିକ ଜୀବନ ଓ ପରିବେଶ ଆମ ପାଇଁ ବଡ ଉପହାର, ଯାହାକୁ ସୁରକ୍ଷିତ ଓ ସୁସ୍ଥ ରଖିବା ଆମ ସମସ୍ତଙ୍କ ଦାୟିତ୍ୱ ବୋଲି ମତବ୍ୟକ୍ତ କରିଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବରେ ଯୋଗଦେଇ ଶ୍ରୀ ପ୍ରଫୁଲ୍ଲ କୁମାର ପଟ୍ଟନାୟକ ପରିବେଶ ସୁରକ୍ଷା, ପ୍ରାକୃତିକ ସନ୍ତୁଳନ ବଜାୟ ରଖିବା ଦିଗରେ ବୃକ୍ଷର ଭୂମିକା ସଂପର୍କରେ ଆଲୋଚନା କରିଥିଲେ । ଅନ୍ୟତମ ଅତିଥି ଭାବରେ ଶ୍ରୀ ଡମ୍ବରୁ ସାହୁ, ଶ୍ରୀ ପଦ୍ମଚରଣ ସାହୁ, ଡଃ. ବିମଳ ପ୍ରସାଦ ସାହୁ ଯୋଗଦେଇ ରୋଟାରି କ୍ଲବ୍ ଏବଂ ସରକାରୀ ବିଜ୍ଞାନ ମହାବିଦ୍ୟଳୟର ସମୂହିକ ପ୍ରଚେଷ୍ଟା ଦ୍ୱାରା ଆମେ ଏକ ହରିତ ଓ ସୁନ୍ଦର ଛତ୍ରପୁର ଗଠନ କରିପାରିବା ବୋଲି ମତବ୍ୟକ୍ତ କରିବା ସହିତ ଏପରି କାର୍ଯ୍ୟକ୍ରମ ଦ୍ୱାରା ଛାତ୍ରଛାତ୍ରୀମାନେ ସଚେତନ ହୋଇ ପ୍ରକୃତି ସହ ସମନ୍ୱୟ ଗଠନ କରିବା ଦିଗରେ ପ୍ରେରିତ ହେବା ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛାତ୍ରୀ, ରୋଟାରି ସଦସ୍ୟ ଓ ସ୍ଥାନୀୟ ନାଗରିକ ମିଶି ବିଭିନ୍ନ ପ୍ରଜାତିର ଚାରାଗଛ ରୋପଣ କରିଥିଲେ । ଏହି କାର୍ଯ୍ୟକ୍ରମ ସରକାରୀ ବିଜ୍ଞାନ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ୟୁନିଟ୍, ଆଇକ୍ୟୁଏସି ଏବଂ ରୋଟାରି କ୍ଲବର ମିଳିତ ଉଦ୍ୟମରେ ଆୟୋଜିତ ହୋଇଥିଲା । କାର୍ଯ୍ୟକ୍ରମର ପ୍ରାରମ୍ଭରେ ଡଃ. ସୁଚିସ୍ମିତା ବେହେରା, ଆଇକ୍ୟୁଏସି ସଂଯୋଜିକା ଅତିଥି ମାନଙ୍କୁ ସ୍ୱାଗତ କରିଥିବା ବେଳେ ଜାତୀୟ ସେବା ଯୋଜନାର ସଂଯୋଜକ ଡଃ. ପ୍ରଭାକର ପାଢୀ ଧନ୍ୟବାଦ ଅର୍ପଣ କରିଥଲେ । ଏହି କର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଏବଂ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।
chatrapur ru muna behera nka report epa news