ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ପରିସରରେ ଦୁଇ ଦିନିଆ ଅନ୍ତର୍ଜାତୀୟ ସମ୍ମିଳନୀ ଉଦ୍ଘାଟିତ
ଛତ୍ରପୁର- ସ୍ନାତକୋତ୍ତର ବାଣିଜ୍ୟ ବିଭାଗ, ସରକାରୀ ବିଜ୍ଞାନ ମହାବିଦ୍ୟାଳୟ, ଛତ୍ରପୁର ଓ ଓଡ଼ିଶା ବାଣିଜ୍ୟ ସଙ୍ଘଠନର ମିଳିତ ସହଯୋଗରେ ଆୟୋଜିତ ଦୁଇ ଦିନିଆ ଅନ୍ତର୍ଜାତୀୟ ସମ୍ମିଳନୀ ତା ୦୭.୦୨.୨୦୨୬ରିଖ ଦିନ ମହାବିଦ୍ୟାଳୟ ପରିସରରେ ଅଧ୍ୟକ୍ଷ ଡ. ଅଜୟ କୁମାର ତ୍ରିପାଠୀଙ୍କ ସଭାପତିତ୍ୱରେ ଉଦ୍ଘାଟିତ ହୋଇଯାଇଛି । ‘’ଆର୍ଥିକ ଅଭିନବତ୍ୱ ପରିଚାଳନା କ୍ଷେତ୍ରରେ ବିଶ୍ୱ ଅର୍ଥନୀତିରେ ଡିଜିଟାଲ ମାର୍କେଟିଂ, ଫିନ୍ଟେକ୍ ଓ ଔଦ୍ୟୋଗିକ ପ୍ରୟାସର ସମନ୍ୱୟ’’ ଶୀର୍ଷକ ଏହି ଦୁଇ ଦିନିଆ ଅନ୍ତର୍ଜାତୀୟ ସମ୍ମିଳନୀରେ ଜାତୀୟ ଏବଂ ଅନ୍ତର୍ଜାତୀୟ କ୍ଷେତ୍ରରେ ପରିଚିତ ଓ ସମ୍ମାନିତ ଅନେକ ଶିକ୍ଷାବିତ, ଗବେଷକ, ଅର୍ଥନୀତି ବିଶାରଦ ତଥା ଛାତ୍ରଛାତ୍ରୀ ପ୍ରତ୍ୟକ୍ଷ ତଥା ଆଭାସୀ ମାଧ୍ୟମରେ ଯୋଗଦେଇ ଡିଜିଟାଲ ମାର୍କେଟିଂ, ଫିନ୍ଟେକ୍ ଓ ଉଦ୍ୟୋଗୀକରଣ ଓ ବିଶ୍ୱ ଅର୍ଥନୀତି ସଂପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ଏହି ଦୁଇ ଦିନିଆ ସମ୍ମିଳନୀର ପ୍ରଥମ ଦିନର ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ରେଭେନ୍ସା ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳସଚିବ ପ୍ରଫେସର ମଳୟ କୁମାର ମହାନ୍ତି ଯୋଗଦେଇ ବର୍ତ୍ତମାନ ସମୟର ବିଶ୍ୱ ବାଣିଜ୍ୟିକ କାରବାର, ଅର୍ଥନୀତି, ଡିଜିଟାଲ ସେବା ଓ ଗ୍ଲୋବାଲ୍ ବ୍ୟବସାୟୀକରଣ ସମ୍ପର୍କରେ ଆଲୋଚନା କରିଥିଲେ । ଏହି ସମ୍ମିଳନୀରେ ସମ୍ମାନିତ ଅତିଥି ଭାବରେ ରେଭେନ୍ସା ବିଶ୍ୱବିଦ୍ୟାଳୟର ବାଣିଜ୍ୟ ବିଭାଗ ମୁଖ୍ୟ ପ୍ରଫେସର୍ କିଶୋର କୁମାର ଦାଶ, ଓଡିଶା ବାଣିଜ୍ୟ ସଙ୍ଘଠନର ସଂପାଦକ ଡ. ବିଶ୍ୱମୋହନ ଜେନା, ଗଞ୍ଜାମ ଜିଲ୍ଲାର ସଫଳ ଉଦ୍ୟୋଗୀ ତଥା ଶିକ୍ଷାବିତ୍ ଶ୍ରୀଯୁକ୍ତ ରଞ୍ଜନ ମହାପାତ୍ର ଏବଂ ମୁଖ୍ୟ ବକ୍ତା ଭାବରେ ପିନାକିଲ ପ୍ରାଇଭେଟ୍ ଲିମିଟେଡ଼୍ର ନିର୍ଦ୍ଦେଶକ ଶ୍ରୀଯୁକ୍ତ ସନ୍ତୋଷ କୁମାର ଦାସ ପ୍ରମୁଖ ଯୋଗଦେଇ ବିଶ୍ୱ ବ୍ୟବସାୟରେ ପରିବର୍ତ୍ତନ, କୃତ୍ରିମ ବୁଦ୍ଧିମତାର ପ୍ରଭାବ, ଇ-କମର୍ସର ବିସ୍ତାର ଆଦି ସମ୍ପର୍କରେ ଆଲୋଚନା କରିବା ସହିତ ଏପରି ଅନ୍ତର୍ଜାତୀୟ ସମ୍ମିଳନୀ ଶିକ୍ଷକ, ଗବେଷକ ଓ ଛାତ୍ରଛାତ୍ରୀଙ୍କ ପାଇଁ ଏକ ସାଧାରଣ ମଞ୍ଚ ସୃଷ୍ଟି କରେ ଏବଂ ବିଭିନ୍ନ ଦେଶର ଚିନ୍ତାଧାରା ଓ ଗବେଷଣାତ୍ମକ ଫଳାଫଳର ବିନିମୟ ଫଳରେ ଆର୍ଥିକ ଅଭିବୃଦ୍ଧିର ମାନ ବଢିଥାଏ ବୋଲି ମତବ୍ୟକ୍ତ କରିଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷ ନିଜ ବକ୍ତବ୍ୟରେ କହିଥିଲେ ଯେ ବର୍ତ୍ତମାନର ବିଶ୍ୱ ପରିପ୍ରେକ୍ଷୀରେ ବାଣିଜ୍ୟିକ ତଥା ଆର୍ଥିକ ପରିଚାଳନାର ଗୁରୁତ୍ୱ ଦିନକୁ ଦିନ ବଢ଼ୁଛି । ଡିଜିଟାଲ୍ ଅର୍ଥନୀତି, ଷ୍ଟାର୍ଟଅପ୍ ସଂସ୍କୃତି ଓ ନୂତନ ବ୍ୟବସାୟ ମଡେଲ୍ ଗୁଡିକ ଯୁବ ପିଢ଼ି ପାଇଁ ନୂତନ ସୁଯୋଗ ସୃଷ୍ଟି କରିଛି । ତେଣୁ ଏପରି ସମୟରେ ଗବେଷଣାମୂଳକ ଚିନ୍ତନ, ନୂତନ ଉଦ୍ଭାବନ ଓ ନୈତିକ ବ୍ୟବସାୟ ପ୍ରଣାଳୀ ଦ୍ୱାରା ଦେଶର ଆର୍ଥିକ ଉନ୍ନତି ସମ୍ଭବ ଅଟେ । ଏହି ସମ୍ମିଳନୀରେ ଦେଶ-ବିଦେଶର ବିଭିନ୍ନ ବିଦ୍ୱାନ, ଅଧ୍ୟାପକ ଓ ଗବେଷକମାନେ ଅଂଶଗ୍ରହଣ କରି ତାଙ୍କର ଗବେଷଣାତ୍ମକ ପତ୍ର ଉପସ୍ଥାପନା କରିଛନ୍ତି । ପ୍ରଥମ ଦିନରେ ବିଭିନ୍ନ ଟେକ୍ନିକାଲ୍ ସେସନ୍ ଆୟୋଜିତ ହୋଇଥିବା ବେଳେ ଦ୍ୱିତୀୟ ଦିନରେ ଆଲୋଚନାଚକ୍ର, ପେପର୍ ପ୍ରେଜେଣ୍ଟେସନ୍ ଓ ସମାପନୀ ଉତ୍ସବ ଅନୁଷ୍ଠିତ ହେବ । ସମ୍ମିଳନୀର ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ବାଣିଜ୍ୟ ବିଭାଗ ମୁଖ୍ୟ ଡ. ପିଙ୍କିରାଣୀ ଦେଇ ମଞ୍ଚ ପରିଚାଳନା କରିଥିବା ବେଳେ ପ୍ରଶାସନିକ ଅଧିକାରୀ ଶ୍ରୀଯୁକ୍ତ ସୁଶାନ୍ତ କୁମାର ଦାସ ସମ୍ମିଳନୀର ଉଦ୍ଦେଶ୍ୟ ସଂପର୍କରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ଏହି ସଭାରେ ଡ. ବିଶ୍ୱମୋହନ ଜେନା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ମହାବିଦ୍ୟାଳୟର ଆଇକ୍ୟୁଏସି ସଂଯୋଜିକା ଡ. ଶୁଚିସ୍ମିତା ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସଭାରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା, ଛାତ୍ରଛାତ୍ରୀ ଆଦି ଯୋଗ ଦେଇଥିଲେ ।
ଛତ୍ରପୁର ଇପିଏ ରୁ ମୁନା ବେହେରା ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )
