ସର୍ବାଧିକ କାର୍ଗୋ ପରିବହନ କରି ପାରାଦୀପ ବନ୍ଦରର ଐତିହାସିକ ସଫଳତା
୧୫୬.୪୫ ଏମଏମଟି ପଣ୍ୟ କାରବାର କରି ରେକର୍ଡ ସୃଷ୍ଟି
ପାରାଦୀପ: ପାରାଦୀପ ବନ୍ଦର କର୍ତ୍ତୃପକ୍ଷ ୨୦୨୫-୨୬ ଆର୍ଥିକ ବର୍ଷରେ କାର୍ଗୋ ପରିବହନ କ୍ଷେତ୍ରରେ ନିଜ ଇତିହାସର ସର୍ବାଧିକ ପଣ୍ୟ ପରିବହନ କରିବାର ସଫଳତା ହାସଲ କରିଛି । ପାରାଦୀପ ବନ୍ଦର ୧୫୬.୪୫ ଏମଏମଟି ପଣ୍ୟ କାରବାର କରି ୧୫୫ ଏମଏମଟି କ୍ଲବରେ ସାମିଲ ହୋଇଛି । ୧୯୬୬ ମସିହାରୁ ପଣ୍ୟ କାରବାର ଆରମ୍ଭ କରିଥିବା ପାରାଦୀପ ବନ୍ଦର ଇତିହାସରେ ଏହା ସର୍ବୋତମ ପଣ୍ୟ କାରବାର ଯାହାକି ଗତ ବର୍ଷ ତୁଳନାରେ ୪.୦୧ ପ୍ରତିଶତ ବୃଦ୍ଧି ହୋଇଛି । ଆର୍ନ୍ତଜାତୀୟ ବଜାରରେ ଆଇରନ୍ ଓର୍ ରତ୍ପାନୀ କ୍ଷେତ୍ରରେ ମାନ୍ଦାବସ୍ଥା ଏବଂ ପଶ୍ଚିମ ଏସିଆ ସଙ୍କଟର ପ୍ରଭାବରେ ଚୁନ ପଥର, ସାର ନିମନ୍ତେ ଆବଶ୍ୟକୀୟ କଂଚାମାଲ ଆମଦାନୀ ପ୍ରଭାବିତ ହୋଇଛି ।

ଦେଶର ପୂର୍ବ ଉପକୂଳର ସମସ୍ତ ବନ୍ଦରମାନଙ୍କ ମଧ୍ୟରେ ପାରାଦୀପ ବନ୍ଦର ଏହାର ସଫଳତା ବଜାୟ ରଖିଛି । କୋଷ୍ଟାଲ କାର୍ଗୋ ପରିବହନ କ୍ଷେତ୍ରରେ ପାରାଦୀପ ବନ୍ଦର ୪୨.୦୬ ପ୍ରତିଶତ ବୃଦ୍ଧି କରିବାରେ ସଫଳ ହୋଇଛି । ପେଟ୍ରୋଲିୟମ୍, ତୈଳ ଆଦି ପରିବହନରେ ୨୫.୬୮ ପ୍ରତିଶତ ବୃଦ୍ଧି ହୋଇଛି । ଇସ୍ପାତ କାର୍ଗୋ କାରବାରରେ ୪୩ ପ୍ରତିଶତ ବୃଦ୍ଧି ହୋଇ ରେକର୍ଡ ସୃଷ୍ଟି କରିଛି । କୋଇଲା ପରିବହନ କ୍ଷେତ୍ରରେ ୪.୪୪ ପ୍ରତିଶତ ବୃଦ୍ଧି ହୋଇଥିବା ବେଳେ କୋଣ୍ଟାଇନର ପରିବହନରେ ୭.୭୭ ପ୍ରତିଶତ ବୃଦ୍ଧି ହୋଇଛି । ଫ୍ଲକ୍ସ ପରିବହନରେ ୧୮.୩୨ ପ୍ରତିଶତ ଅଭିବୃଦ୍ଧି ହୋଇଥିବା ବେଳେ ଏଲପିଜି ପରିବହନ କ୍ଷେତ୍ରରେ ୧୦୫ ପ୍ରତିଶତ ବୃଦ୍ଧି ପାଇଛି । ପିପିପି ଅପରେଟରମାନେ ଚଳିତ ଥର ସେମାନଙ୍କର ସର୍ବୋମ ପ୍ରଦର୍ଶନ କରିଛନ୍ତି । ପଶ୍ଚିମ ଡକ୍ ଜେପିପିଏଲ୍ ଦ୍ୱାରା ନିର୍ମାଣାଧିନ ରହିଛି । ଚଳିତ ବର୍ଷ ଏହା ସମ୍ପୂର୍ଣ୍ଣ ହେବା ସହିତ ବାର୍ଷିକ ୨୫ ଏମଏମଟି ପଣ୍ୟ କାରବାର କରିବା ଲକ୍ଷ୍ୟ ରହିଛି । ୨୦୩୦ ମସିହା ବେଳକୁ ପାରାଦୀପ ବନ୍ଦର ଦେଶର ପ୍ରଥମ ପୂର୍ଣ୍ଣ ଯାନ୍ତ୍ରିକିକୃତ ବନ୍ଦର ଭାବେ ଗଢି ତୋଳିବାର ଲକ୍ଷ୍ୟ ରଖାଯାଇଛି ।

ବାହୁଦା ମୁହାଣରେ ପାରାଦୀପ ବନ୍ଦର ଏହାର ନିଜସ୍ୱ ସାଟେଲାଇଟ୍ ବନ୍ଦର ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛି । ବୁଧବାର ଦିନ ପାରାଦୀପ ବନ୍ଦର ପ୍ରଶାସନିକ ଭବନ ସମ୍ମିଳନୀ କକ୍ଷରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପାରାଦୀପ ବନ୍ଦରର ଏହି ସଫଳତା ପରେ ପାରାଦୀପ ବନ୍ଦର ଅଧ୍ୟକ୍ଷ ପି.ଏଲ.ହରନାଦ ବନ୍ଦର ଅଧିକାରୀ, କର୍ମଚାରୀ, ଶ୍ରମିକ ସଂଘ, ସମସ୍ତ ସହଯୋଗୀ, ରତ୍ପାନକାରୀ, ଆମଦାନୀକାରୀ ସଂସ୍ଥା, ପିପିପି ଅପରେଟର, ଷ୍ଟିଭେଡୋର୍ସ, ସିପିଂ ଏଜେମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏଥି ସହିତ ମାନ୍ୟବର କେନ୍ଦ୍ରମନ୍ତ୍ରୀ ସର୍ବାନନ୍ଦ ସୋନୋଓାଲ, ବିଭାଗୀୟ ରାଷ୍ଟ୍ରମନ୍ତ୍ରୀ ଶାନ୍ତନୁ ଠାକୁର, ସଚୀବ ବିଜୟ କୁମାରଙ୍କ ଦିଗଦର୍ଶନକୁ କୃତଜ୍ଞତା ଜଣାଇବା ସହିତ ଭାରତୀୟ ରେଳବାଇ, ଓଡିଶା ସରକାର ଓ କଷ୍ଟମ ବିଭାଗର ସହଯୋଗକୁ ସାଧୁବାଦ ଜଣାଇଛନ୍ତି । ପାରାଦୀପ ବନ୍ଦର ବିଭାଗୀୟ ମୁଖ୍ୟମାନେ ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ ।
