ସାଇବର ଠକେଇ ଗ୍ୟାଙ୍ଗ୍ ଉପରେ ପୋଲିସର କାର୍ଯ୍ୟାନୁଷ୍ଠାନ: ୨ ଗିରଫ, ୨ ଅଟକ
ଯୋଡ଼ା: ଲକ୍ଷାଧିକ ଟଙ୍କାର ସାଇବର ଠକେଇ ମାମଲାରେ ଯୋଡ଼ା ପୋଲିସ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଆଉ ୨ ଜଣଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି। ଏହି କାର୍ଯ୍ୟାନୁଷ୍ଠାନ ଜାତୀୟ ସାଇବର ଅପରାଧ ରିପୋର୍ଟ ପୋର୍ଟାଲ ର ସୂଚନା ଓ କେନ୍ଦୁଝର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନିତିନ କୁଶଲକର ଦୋଗଡୁଙ୍କ ନିର୍ଦେଶକ୍ରମେ କରାଯାଇଛି।ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ଯୋଡ଼ା ଆଜାଦ ବସ୍ତିର ଆଶିଷ କୁମାର ଦାସ ଓ ହୁଡିସାହି ଅଞ୍ଚଳର ସରଫରାଜ ଆଲାମ।

ପୋଲିସ ସୂଚନା ଅନୁସାରେ, ସେମାନେ ପଶ୍ଚିମବଙ୍ଗର କଲକାତାରେ ରହୁଥିବା ଆନ୍ତର୍ରାଜ୍ୟ ସାଇବର ଅଭିଯୁକ୍ତ ଗୌରବ କୁମାରଙ୍କ ନିର୍ଦେଶରେ ଗରିବ ମହିଳା, ବେରୋଜଗାର ଯୁବକ ଓ ଆର୍ଥିକ ଦୁର୍ବଳ ଲୋକଙ୍କୁ ପ୍ରଲୋଭନ ଦେଖାଇ ତାଙ୍କର ବ୍ୟାଙ୍କ ଆକାଉଣ୍ଟ, ଏଟିଏମ କାର୍ଡ ଓ ଚେକବୁକ ସଂଗ୍ରହ କରୁଥିଲେ।ଏହି ଆକାଉଣ୍ଟଗୁଡ଼ିକୁ ‘ମ୍ୟୁଲ୍ ଆକାଉଣ୍ଟ’ ଭାବେ ବ୍ୟବହାର କରି ଠକେଇ ଟଙ୍କା ଲେନଦେନ କରାଯାଉଥିଲା। ପରେ ଏଟିଏମ ମାଧ୍ୟମରେ ଟଙ୍କା ଉଠାଯାଉଥିଲା। ଏହା ପାଇଁ ଆକାଉଣ୍ଟ ଧାରୀମାନଙ୍କୁ ପ୍ରତିମାସ ୧୦୦୦ ରୁ ୨୦୦୦ ଟଙ୍କା ପର୍ଯ୍ୟନ୍ତ ଦିଆଯାଉଥିବା ଜଣାପଡ଼ିଛି।ଗିରଫ ବେଳେ ପୋଲିସ ଅଭିଯୁକ୍ତମାନଙ୍କ ଠାରୁ ୪ଟି ମୋବାଇଲ ଫୋନ ଓ କିଛି ବ୍ୟାଙ୍କ ଆକାଉଣ୍ଟ ସମ୍ବନ୍ଧୀୟ ଦଳିଲ ଜବତ କରିଛି। ପ୍ରାଥମିକ ତଦନ୍ତରେ ଜବତ ଆକାଉଣ୍ଟରୁ ପ୍ରାୟ ୭୦ ରୁ ୮୦ ଲକ୍ଷ ଟଙ୍କାର ଲେନଦେନ ହୋଇଥିବା ଚିହ୍ନଟ ହୋଇଛି।ଏନେଇ ପୋଲିସ ଆଇଟି ଆକ୍ଟ ୨୦୦୦ର ଧାରା ୬୬(ଡି) ସହିତ ବି.ଏନ୍.ଏସ୍ର ବିଭିନ୍ନ ଧାରାରେ ମାମଲା ରୁଜୁ କରିଛି। ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାମଲ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ମୁଖ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ତଦନ୍ତ ଜାରି ରହିଛି।
କେନ୍ଦୁଝର ଜିଲ୍ଲା ଯୋଡ଼ା ରୁ ଡିମ୍ପଲ ସାଣ୍ଡିଲ ଙ୍କ ରିପୋର୍ଟ ଇପିଏ ନିଉଜ ।
