July 17, 2026
Home » ସାଉଦି ଆରବରେ ଫସିଥିବା ଓଡ଼ିଆ ଯୁବକଙ୍କୁ ଫେରାଇ ଆଣିବାକୁ ଶିଳ୍ପ ମନ୍ତ୍ରୀଙ୍କ ଅନୁରୋଧ

ସାଉଦି ଆରବରେ ଫସିଥିବା ଓଡ଼ିଆ ଯୁବକଙ୍କୁ ଫେରାଇ ଆଣିବାକୁ ଶିଳ୍ପ ମନ୍ତ୍ରୀଙ୍କ ଅନୁରୋଧ

0
images (1)

ଭୁବନେଶ୍ୱର,: ସାଉଦି ଆରବରେ ଫସି ରହିଥିବା ଓଡ଼ିଆ ଯୁବକ ପ୍ରଳୟ ରଞ୍ଜନ ମହାପାତ୍ରଙ୍କୁ ସୁରକ୍ଷିତ ଭାବେ ଦେଶକୁ ଫେରାଇ ଆଣିବା ପାଇଁ ଭାରତ ସରକାରଙ୍କ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟକୁ ହସ୍ତକ୍ଷେପ କରିବା ସହ ଯଥାଶୀଘ୍ର ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି ମାନ୍ୟବର ଶିଳ୍ପ, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ସମ୍ପଦ ଚନ୍ଦ୍ର ସ୍ବାଇଁ। ଏନେଇ ସେ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କରଙ୍କୁ ଚିଠି ଲେଖିଛନ୍ତି।

ଜଗତସିଂହପୁର ଜିଲ୍ଲାର ପ୍ରଳୟ ରଞ୍ଜନ ମହାପାତ୍ର ଗତ ୨୪.୦୫.୨୦୨୪ରେ ସାଉଦି ଆରବ ଯାଇଥିଲେ । ସେଠାରେ ସେ ‘ମଜାଦ୍ ଅଲ୍-ହରବି’ କୋ. ନାମକ ଏକ କମ୍ପାନୀରେ ହୁଇଲ୍ ଲୋଡର୍ ଡ୍ରାଇଭର ଭାବେ କାମ କରୁଥିଲେ । ତେବେ ଗତ ୩୦.୦୪.୨୦୨୬ରେ ଉକ୍ତ କମ୍ପାନୀ ଏବଂ ପ୍ରଳୟ ରଞ୍ଜନଙ୍କ ମଧ୍ୟରେ ହୋଇଥିବା ଚୁକ୍ତିନାମା ଅବଧି ଶେଷ ହୋଇଥିଲା। କାର୍ଯ୍ୟ ଅବଧି ଶେଷ ହୋଇଯାଇଥିଲେ ମଧ୍ୟ ସମ୍ପୃକ୍ତ କମ୍ପାନୀ ପ୍ରଳୟଙ୍କୁ ଭାରତ ଫେରିବାକୁ ଅନୁମତି ଦେଉ ନଥିବା ନେଇ ପ୍ରଳୟଙ୍କ ମାଆ ପ୍ରତିମା ସେଠୀ ଅଭିଯୋଗ କରିଛନ୍ତି। ପ୍ରଳୟଙ୍କ ବାପା ଶ୍ରୀଯୁକ୍ତ ସାଧୁ ଚରଣ ସେଠୀଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ନାହିଁ, ଯାହା ପରିବାରର ମାନସିକ ଚିନ୍ତା ଆହୁରି ବଢ଼ାଇ ଦେଇଛି। ଏନେଇ ପ୍ରତିମା ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ସ୍ବାଇଁଙ୍କୁ ପୁଅକୁ ସୁରକ୍ଷିତ ଫେରାଇ ଆଣିବାକୁ ନିବେଦନ କରିଥିଲେ।

ଓଡ଼ିଆ ପୁଅ ପ୍ରଳୟ ରଞ୍ଜନ ମହାପାତ୍ର ବିଦେଶ ମାଟିରେ ଫସିଥିବା ବେଳେ ତାଙ୍କ ପରିବାର ଏଠାରେ ଚିନ୍ତାରେ ଦିନ କାଟୁଛନ୍ତି। ମାନବିକତା ଦୃଷ୍ଟିକୋଣରୁ ଭାରତ ସରକାରଙ୍କ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏହି ମାମଲାରେ ତୁରନ୍ତ ହସ୍ତକ୍ଷେପ କରି ତାଙ୍କୁ ଯଥାଶୀଘ୍ର ସୁରକ୍ଷିତ ଦେଶକୁ ଫେରାଇ ଆଣିବା ପାଇଁ ବିହିତ ପଦକ୍ଷେପ ନେବାକୁ ମନ୍ତ୍ରୀ ଶ୍ରୀଯୁକ୍ତ ସ୍ବାଇଁ ଚିଠି ଲେଖିଛନ୍ତି। ଏହା ସହ ସାଉଦି ଆରବରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କୁ ତୁରନ୍ତ ପଦକ୍ଷେପ ଗ୍ରହଣ ନିମନ୍ତେ ପତ୍ର ମାଧ୍ୟମରେ ଅନୁରୋଧ କରାଯାଇଛି ।

Leave a Reply

Your email address will not be published. Required fields are marked *