October 23, 2025
Home » ସାମ୍ବାଦିକମାନଙ୍କ କଲ୍ୟାଣ ସଂପର୍କରେ ମୁଖ୍ୟ ଶାସନ ସଚିବଙ୍କ ସହିତ ଆଲୋଚନା

ସାମ୍ବାଦିକମାନଙ୍କ କଲ୍ୟାଣ ସଂପର୍କରେ ମୁଖ୍ୟ ଶାସନ ସଚିବଙ୍କ ସହିତ ଆଲୋଚନା

0
WhatsApp Image 2025-08-02 at 4.38.54 PM (1)

.
ଭୁବନେଶ୍ୱର: ଶାସନ ସଚିବ ଶ୍ରୀ ମନୋଜ ଆହୁଜା ଆଜି ଲୋକସଭା ଭବନରେ ରାଜ୍ୟର ବରି​‌ଷ୍ଠ ସାମ୍ବାଦିକମାନଙ୍କ ସହିତ ସେମାନଙ୍କର ବିଭିନ୍ନ ସମସ୍ୟା ଓ ସେସବୁର ସମାଧାନ ସଂପର୍କରେ ବିଶଦ୍ ଭାବେ ଆଲୋଚନା କରିଛନ୍ତି । ବୈଠକରେ ଶିଳ୍ପ, ସୂଚନା ଓ ଲୋକସଂପର୍କ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା ଓ ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ ଶ୍ରୀ ଅନୂଜ କୁମାର ଦାସ ପଟ୍ଟନାୟକ, ବିଭାଗର ନିର୍ଦ୍ଦେଶକ(ବୈଷୟିକ ) ଶ୍ରୀ ଗୁରବୀର ସିଂ ଙ୍କ ଉପସ୍ଥିତିରେ ଆଲୋଚନା କରାଯାଇଥିଲା । ମୁଖ୍ୟ ଶାସନ ସଚିବ ଶ୍ରୀ ଆହୁଜା କହିଛନ୍ତି ଯେ, ଗଣତାନ୍ତ୍ରିକ ରାଷ୍ଟ୍ରରେ ମୁଦ୍ରିତ ,ବୈଦ୍ୟୁତିକ ଓ ସାମାଜିକ ଗଣମାଧ୍ୟମଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି । ଓଡ଼ିଶାରେ ସାମ୍ବାଦିକମାନଙ୍କ କଲ୍ୟାଣ ପାଇଁ ଗଣମାଧ୍ୟମ ପ୍ରତିନିଧିମାନେ ଯେଉଁ ଯେଉଁ ଦାବୀ ଉପସ୍ଥାପନ କରିଛନ୍ତି, ସେ ସମ୍ପର୍କରେ ଅଧିକ ବିଚାରବିମର୍ଶ ପୂର୍ବକ ସମାଧାନ ପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ମୁଖ୍ୟ ଶାସନ ସଚିବ ପ୍ରତିଶ୍ରୁତି ଦେଇଛନ୍ତି । ଏହି ବୈଠକରେ ସାମ୍ବାଦିକମାନଙ୍କ ସୁରକ୍ଷା ଆଇନ୍ ପ୍ରଣୟନ କରାଯିବା, ବରିଷ୍ଠ ସାମ୍ବାଦିକମାନଙ୍କ ନିମନ୍ତେ ପେନ୍‌ସନ୍‌ ବ୍ୟବସ୍ଥା, ସାମ୍ବାଦିକମାନଙ୍କୁ ଅଧିସ୍ୱୀକୃତି ପ୍ରଦାନ କରାଯିବା, ସାମ୍ବାଦିକ କଲ୍ୟାଣ ପାଣ୍ଠିରେ ରହିଥିବା ବ୍ୟବସ୍ଥା ଅନୁସାରେ ସାମ୍ବାଦିକ ଓ ସେମାନଙ୍କର ପରିବାରଙ୍କୁ ପ୍ରଦାନ କରାଯାଉଥିବା ସୁବିଧା ସମ୍ପର୍କରେ ବିଶଦ୍ ଭାବେ ଆଲୋଚନା କରାଯାଇଥିଲା । ଲୋକସେବା ଭବନକୁ ପ୍ରବେଶ ପାଇଁ ଆବେଦନ କରୁଥିବା ସାମ୍ବାଦିକମାନଙ୍କୁ ପରିଚୟ ପତ୍ର ପ୍ରଦାନ କିପରି ଶୀଘ୍ର ଓ ସରଳୀକରଣ ହୋଇପାରିବ, ସେ ସଂପର୍କରେ ବିଭାଗକୁ ପରାମର୍ଶ ଦିଆଯାଇଥିଲା । ସରକାରଙ୍କ ପ୍ରଚାର ପ୍ରସାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ସମାନୁପାତିକ ହାରରେ ପ୍ରକାଶ ପାଉଥିବା ବିଭିନ୍ନ ଦୈନିକ ଓ ସାପ୍ତାହିକ ସମ୍ବାଦପତ୍ରଗୁଡିକୁ ବିଜ୍ଞାପନ ପ୍ରଦାନ କରାଯିବା ସଂପର୍କରେ ଆଲୋଚନା କରାଯାଇଥିଲା । ସ୍ୱାସ୍ଥ୍ୟବୀମାରେ ରହିଥିବା ବିଭିନ୍ନ ସୁବିଧା, ସହାୟତା ଓ ପ୍ରକ୍ରିୟା ସଂପର୍କରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଅବଗତ କରାଯିବା ପାଇଁ ସଂପୃକ୍ତ ବୀମା କମ୍ପାନୀର ତୃତୀୟ ପକ୍ଷ ସଂସ୍ଥା(ଟିପିଏ) ସହିତ ଏକ ବୈଠକ ଆୟୋଜନ କରାଯିବାକୁ ନିଷ୍ପତ୍ତି ହୋଇଛି । ପ୍ରକାଶ ଥାଉକି, ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସଂପର୍କ ବିଭାଗ ପ୍ରୟାସରେ ରାଜ୍ୟର ମୋଟ ୭୪୮୬ ଜଣ ସାମ୍ବାଦିକଙ୍କୁ ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟବୀମା ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି । ୨୦୨୧-୨୦୨୪ ବର୍ଷ ମଧ୍ୟରେ ସମୁଦାୟ ୮୦ ଜଣ ମୃତ ସାମ୍ବାଦିକଙ୍କ ନିକଟ ଆତ୍ମୀୟଙ୍କୁ ୪ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ପ୍ରଦାନ କରାଯାଇଛି । କୋଭିଡ୍ ରେ ମୃତ୍ୟୁବରଣ କରିଥିବା ୪୯ ଜଣ ସାମ୍ବାଦିକଙ୍କ ପରିବାରଙ୍କୁ ସାମ୍ବାଦିକ କଲ୍ୟାଣ ପାଣ୍ଠିରୁ ପ୍ରତ୍ୟେକ ପରିବାରଙ୍କୁ ୧୫ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି ।ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ଶ୍ରୀ ଭାଗବତ ତ୍ରିପାଠୀ, ଶ୍ରୀ ସନତ ମିଶ୍ର, ଶ୍ରୀ ପୀତବାସ ମିଶ୍ର ଏବଂ ଶ୍ରୀ ପ୍ରଦ୍ୟୁମ୍ନ କୁମାର ମହାନ୍ତି ଶ୍ରୀ ମୁରଲୀ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *