July 1, 2025
Home » ସାମ୍ବିଧାନିକ ମାନ୍ୟତା ବିନା କୋଶଲି ସମ୍ବଲପୁରୀ ଭାଷା ମରି ମରି ଯାଉଛି, ପଶ୍ଚିମ ଓଡିଶାବାସୀ କ୍ଷୁବ୍ଧ : ମୋଦି ଓ ଶାହାଙ୍କୁ ଚିଠି l

ସାମ୍ବିଧାନିକ ମାନ୍ୟତା ବିନା କୋଶଲି ସମ୍ବଲପୁରୀ ଭାଷା ମରି ମରି ଯାଉଛି, ପଶ୍ଚିମ ଓଡିଶାବାସୀ କ୍ଷୁବ୍ଧ : ମୋଦି ଓ ଶାହାଙ୍କୁ ଚିଠି l

0
WhatsApp Image 2025-05-05 at 6.05.56 PM

ସୁବର୍ଣ୍ଣପୁର-କୋଶଲି ସମ୍ବଲପୁରୀ ଭାଷା ସଂସ୍କୃତ ଭାଷାଠାରୁ କେବଳ ପ୍ରାଚୀନ ନୁହେଁ ଏହା ପୃଥିବୀର ଶ୍ରେଷ୍ଠ ଲାଳିତ୍ୟପୂର୍ଣ୍ଣ ଓ ବୈଜ୍ଞାନିକ ଭାଷା ମଧ୍ୟରୁ ଅନ୍ୟତମ ବୋଲି ଭାଷାବିଦ୍ ମାନଙ୍କ ମତ I ଭାରତୀୟ ସମ୍ବିଧାନର ଅଷ୍ଟମ ପରିଚ୍ଛେଦରେ ଏହା ସ୍ଥାନିତ ହୋଇ ନ ଥିବାରୁ ଆଜି ପର୍ଯ୍ୟନ୍ତ ଏହା ଲିଖିତ ଭାଷାରୂପେ ସ୍ବୀକୃତ ନ ହୋଇ ଏକ କଥିତ ଭାଷା ଭାବେ ବ୍ୟବହୃତ ହେଉଛି ଯଦିଓ ଏହି ଭାଷାରେ ସାହିତ୍ୟର ବିଭିନ୍ନ ବିଭାଗରେ ହଜାର ହଜାର ସଂଖ୍ୟାରେ ପୁସ୍ତକ ରଚନା ହୋଇ ସାରିଲାଣି I କେବଳ ସେତିକି ନୁହେଁ ଏହି ଭାଷାକୁ ସ୍ବତନ୍ତ୍ର ଦାନ ସକାଶେ ଭାରତ ସରକାର ପାଞ୍ଚ ଜଣଙ୍କୁ ପଦ୍ମଶ୍ରୀ ଉପାଧିରେ ଭୂଷିତ କରି ସାରିଲେଣି I କେନ୍ଦ୍ର ସାହିତ୍ୟ ଏକାଡେମୀ ଏହି ଭାଷାକୁ ଦାନ ସକାଶେ କେତେଜଣଙ୍କୁ ସ୍ବତନ୍ତ୍ର ଭାବେ ସମ୍ମାନିତ କରି ପୁରସ୍କାର ଦେଇ ସାରିଲେଣି I ଏହା ଏକ ସ୍ବତନ୍ତ୍ର ଭାଷା ବୋଲି ସନ୍ଦର୍ଭ ଲେଖି କେତେଜଣ ଗବେଷକ ବିଭିନ୍ନ ବିଶ୍ବ ବିଦ୍ୟାଳୟରୁ ପି.ଏଚ୍.ଡି ଡିଗ୍ରୀ ହାସଲ କରି ସାରିଲେଣି I ସାମ୍ବିଧାନିକ ମାନ୍ୟତା ଅଭାବରୁ 2020 ଶିକ୍ଷାନୀତି ମତେ ପଶ୍ଚିମ ଓଡିଶାର ଶିଶୁମାନେ ପ୍ରାଥମିକ ସ୍ତରରେ ସେମାନଙ୍କ ମାର ଭାଷାରେ ଶିକ୍ଷାପ୍ରାପ୍ତିରୁ ବଂଚିତ ହେଉଛନ୍ତି I ଏହା ସ୍ତନ୍ୟପାୟୀ ଶିଶୁକୁ ମାର ଖିରରୁ ବଂଚିତ କରିବା ସଦୃଶ I ଏହାଦ୍ବାରା ପଶ୍ଚିମ ଓଡିଶାର ଛାତ୍ର ଛାତ୍ରୀମାନଙ୍କ ବୌଦ୍ଧିକ ବିକାଶରେ ଘୋର ବାଧା ଉପୁଜୁଛି ବୋଲି ଗବେଷକମାନଙ୍କ ମତ I ସେମାନଙ୍କ ମଧ୍ୟରୁ ମାତ୍ରାଧିକ ମୋଟେ ପାଠ ପଢି ଯାଉନାହାନ୍ତି ବା ଅଧାରୁ ପାଠ ଛାଡିବାକୁ ବାଧ୍ୟ ହେଉଛନ୍ତି ବୋଲି ସରକାରୀ ରିପୋର୍ଟରୁ ଜଣାଯାଏ I ଅଧାରୁ ପାଠ ଛାଡୁଥିବା ଛାତ୍ର ଛାତ୍ରୀଙ୍କ ସଂଖ୍ୟା ପଶ୍ଚିମ ଓଡିଶାରେ ସର୍ବାଧିକ ବୋଲି ସରକାରୀ ଆକଳନରୁ ଜଣାପଡିଛି I ଭବିଷ୍ୟତରେ ଏହି କାରଣରୁ ଛାତ୍ର ଛାତ୍ରୀମାନେ ପ୍ରତିଯୋଗୀତାମୂଳକ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ପାରୁ ନ ଥିବା ଜଣାଯାଇଛି I କେବଳ ସେତିକି ନୁହେଁ ସାମ୍ବିଧାନିକ ପୃଷ୍ଟପୋଷକତା ଅଭାବରୁ କୋଶଲି ସମ୍ବଲପୁରୀ ଭାଷା ଦିନକୁ ଦିନ ମରି ମରି ଯାଉଛି ଫଳରେ ଗୋଟିଏ ଜାତି ଗୋଟିଏ ଅଂଚଳବାସୀ ସେମାନଙ୍କ ପରିଚିତି ହରାଇବାକୁ ଯାଉଛନ୍ତି ବୋଲି ଗବେଷଣାରୁ ଜଣାଯାଏ I ପଶ୍ଚିମ ଓଡିଶାର ଭାଷା ସଂସ୍କୃତି ବର୍ତ୍ତମାନ ଘୋର ସଂକଟ ମଧ୍ୟଦେଇ ଗତି କରୁଛି I ଏହା ଓଡିଆ ଭାଷା ସଂସ୍କୃତି ଚାପରେ କ୍ରମଶଃ ଲୋପ ପାଉଥିବାରୁ ପଶ୍ଚିମ ଓଡିଶାବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି I ତାହାକୁ ଶୀଘ୍ର ସାମ୍ବିଧାନିକ ମାନ୍ୟତା ପ୍ରଦାନ କରି ପଶ୍ଚିମ ଓଡିଶା ଅଂଚଳବାସୀଙ୍କ ଭାଷା ସଂସ୍କୃତିର ସୁରକ୍ଷା ଓ ସମୃଦ୍ଧି ସକାଶେ କୋଶଳ ସାହିତ୍ୟ ସଂସ୍କୃତି ଏକାଡେମୀ ତରଫରୁ ମାନ୍ୟବର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମୀତ ଶାହାଙ୍କ ସ୍ମାରକ ପତ୍ର ମାଧ୍ୟମରେ ଦୃଷ୍ଟି ଆକର୍ଷଣ କରାଯାଇଛି ବୋଲି ଏକାଡେମୀର ସାଧାରଣ ସଂପାଦକ ଗୋରେଖନାଥ ସାହୁ ସ୍ମାରକ ପତ୍ରର ନକଲ ସହ ଗଣମାଧ୍ୟମକୁ ଜଣାଇଛନ୍ତି I କେତେକ ନ୍ୟସ୍ତସ୍ବାର୍ଥ ଓ ଖଳ ପ୍ରକୃତିର ଲୋକ ଏହି ଭାଷାକୁ ସାମ୍ବିଧାନିକ ମାନ୍ୟତା କରାଇ ନ ଦେବା ପାଇଁ ଚକ୍ରନ୍ତ କରୁଛନ୍ତି ଯାହା ଘୋର ନିନ୍ଦନୀୟ ବୋଲି ଶ୍ରୀ ସାହୁ ପ୍ରକାଶ କରିଛନ୍ତି I ଅପରପକ୍ଷରେ ରାଜ୍ୟ ସରକାର ପଠାଇ ଥିବା ପ୍ରସ୍ତାବ କେନ୍ଦ୍ର ସରକାରଙ୍କ ଠାରେ 2014 ମସିହାରୁ ବିଚାରାଧୀନ ଅଛି I ଏବେ ଡବଲ ଇଂଜିନ ସରକାର କୋଶଲି ସମ୍ବଲପୁରୀ ଭାଷାର ସାମ୍ବିଧାନିକ ମାନ୍ୟତା ଦେବାରେ ବିଳମ୍ବ କଲେ ସମଗ୍ର ପଶ୍ଚିମ ଓଡିଶାବାସୀଙ୍କ ମନରେ ପ୍ରତିକ୍ରିୟା ସୃଷ୍ଟି ହେବା ସ୍ବାଭାବିକ୍ I ତେଣୁ ଶୀଘ୍ର ଏହାର ବିଚାର କରିବାକୁ ଏକାଡେମୀ ତରଫରୁ ନିବେଦନ କରାଯାଇଛି l

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *