ସିଏମ ଟ୍ରଫି ଜୋନସ୍ତରୀୟ ଖୋ ଖୋ ଚମ୍ପିୟନସିପ୍ ଉଦଘାଟିତ
୧୫ ଜିଲ୍ଲାର ୬ ଶହ କ୍ରୀଡାବିତଙ୍କ ଅଂଶଗ୍ରହଣ
ପୁରୀ,: ଓଡିଶା ସରକାରଙ୍କ କ୍ରୀଡା ଓ ଯୁବସେବା ବିଭାଗ ଆନୁକୂଲ୍ୟରେ ସିଏମ ଟ୍ରଫି ର ଜୋନସ୍ତରୀୟ ଖୋ ଖୋ ଚମ୍ପିୟନସିପ୍ ସୋମବାର ତାଳବଣିଆ ସ୍ଥିତ ସ୍ପୋର୍ଟ୍ସ କମ୍ପ୍ଲେକ୍ସ ଠାରେ ଗତକାଲି ଅପରାହ୍ନରେ ଉଦଘାଟିତ ହୋଇଯାଇଛି । ଏଥିରେ ମୁଖ୍ଯ ଅତିଥି ଭାବେ ପୁରୀ ମହାନଗର ନିଗମ ଯୁଗ୍ମ କମିଶନର ଅଭିମନ୍ଯୁ ବେହେରା ଯୋଗଦେଇ ଓଡ଼ିଶା ସରକାରଙ୍କ ବିକଶିତ ଭାରତ ଓ ବିକଶିତ ଓଡ଼ିଶା ଲକ୍ଷ୍ୟରେ କ୍ରୀଡା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ପୁରୀ ଜିଲ୍ଲାର ଗ୍ରାମାଞ୍ଚଳର ପ୍ରତିଭାବାନ କ୍ରୀଡାବିତ ମାନେ ବ୍ଲକରୁ ଆସି ଜିଲ୍ଲାରେ ଭଲ ଖେଳ ପ୍ରଦର୍ଶନ କରି ରାଜ୍ୟ ଓ ଦେଶର ନାମ ଉଜ୍ଜ୍ବଳ କରିବାକୁ ପରାମର୍ଶ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ,ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ କୁମାର ସାହୁ, ଓଡିଶା ଅଲିମ୍ପିକ ଆସୋସିଏସନର କୋଷାଧ୍ୟକ୍ଷ ରବି ଶଙ୍କର ପ୍ରତିହାରୀ ପ୍ରମୁଖ ଯୋଗଦେଇ କ୍ରୀଡା ଶୃଙ୍ଖଳା, ଉନ୍ନତ ଚରିତ୍ର ଗଠନ ଓ ସୁସ୍ଥତା ର ପ୍ରତୀକ ହୋଇଥାଏ।ତେଣୁ ପିଲା ମାନେ କ୍ରୀଡା ପ୍ରତି ମନୋନିବେଶ କରିବା ସହ ଏହି ପ୍ରତିଯୋଗିତାର ପ୍ରତିଯୋଗୀ ମାନେ ସେମାନଙ୍କ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ଆହ୍ୱାନ ଦେଇଥିଲେ।
ଭାରତ ଖୋ ଖୋ ଫେଡେରେସନ ଉପସଭାପତି ଓ ରାଜ୍ଯ ଖୋ ଖୋ ଫେଡେରେସନ ସମ୍ପାଦକ ପ୍ରଦ୍ୟୁମ୍ନ ମିଶ୍ର ଉତ୍ସବରେ ଅଧ୍ୟକ୍ଷତା କରିବା ସହ କହିଲେ ମହାପ୍ରଭୁଙ୍କ ପବିତ୍ର ଭୂମି ରେ ସିଏମ ଟ୍ରଫି ଖୋ ଖୋ ଖେଳର ଦୁଇଟି ଜୋନ ସ୍ତରୀୟ, ସେମିଫାଇନାଲ ଓ ଫାଇନାଲ ପ୍ରତିଯୋଗିତାର ଆୟୋଜନ ଏକ ଗୌରବ ର କଥା।ଭଲ ଖେଳି ନିଜ ପରିଚୟ ସୃଷ୍ଟି କରିବାକୁ ସେ ଆହ୍ୱାନ ଦେଇଥିଲେ ।ଖୋ ଖୋ ମୁଖ୍ଯ ପ୍ରଶିକ୍ଷକ ସଞ୍ଜୀବ ଶର୍ମା ଉପସ୍ଥିତ ରହି କ୍ରୀଡାବିତ ଙ୍କୁ ଉତ୍ସାହିତ କରିଥିଲେ।

ଏହି ଜୋନ ସ୍ତରୀୟ ଖୋ ଖୋ ପ୍ରତିଯୋଗିତାରେ ୧୪ ବର୍ଷ ରୁ କମ ବାଳକ ଓ ବାଳିକା ଖେଳାଳୀମାନେ ସାମିଲ ହୋଇଛନ୍ତି । ୧୫ ଟି ଜିଲ୍ଲାରୁ ବାଳକ ବର୍ଗରେ ୩ଶହ ଓ ବାଳିକା ବର୍ଗରେ ୩ ଶହ ସମୁଦାୟ ୬ ଶହ କ୍ରୀଡାବିତ ଅଂଶଗ୍ରହଣ କରିଛନ୍ତି। ୨ ନମ୍ବର ଜୋନରେ କଟକ, ଯାଜପୁର, ବୌଦ୍ଧ, ନୂଆପଡା, ମୟୁରଭଞ୍ଜ, ଖୋର୍ଦ୍ଧା, ସୋନପୁର ଓ ଦେବଗଡ ଜିଲ୍ଲାର ଖୋ ଖୋ କ୍ରୀଡାବିତ ଥିବାବେଳେ ୩ ନମ୍ବର ଜୋନରେ ପୁରୀ, କେନ୍ଦ୍ରାପଡା, କନ୍ଧମାଳ, ଜଗତସିଂହପୁର, ନୟାଗଡ, ଭଦ୍ରକ, ଓ ବାଲେଶ୍ଵର ଜିଲ୍ଲାର କ୍ରୀଡାବିତ ମାନେ ଅଂଶଗ୍ରହଣ କରିଛନ୍ତି । କ୍ରୀଡା ପରିଚାଳନ ପାଇଁ ୨୬ ଜଣ ବୈଷୟିକ ଅଧିକାରୀ ଓ ୬୦ ଜଣ କୋଚ ଓ ମ୍ଯାନେଜର ଖେଳ ପ୍ରଦର୍ଶନରେ ଉପସ୍ଥିତ ରହି ତଦାରଖ କରୁଛନ୍ତି ।
ଜୁନ ୧ ତାରିଖରୁ ୩ ତାରିଖ ପର୍ଯ୍ୟନ୍ତ ଜୋନ ସ୍ତରରେ ଖୋ ଖୋ ଖେଳ ଅନୁଷ୍ଠିତ ହୋଇଥିବା ବେଳେ ଜୁନ ୮ ତାରିଖ ସେମି ଫାଇନାଲ ଓ ୧୦ ତାରିଖ ଫାଇନାଲ ମ୍ୟାଚ ଇଣ୍ଡୋର ଷ୍ଟାଡିୟମ ଏକାଡେମୀରେ ଅନୁଷ୍ଠିତ ହେବ । ସୂର୍ଯ୍ୟନାରାୟଣ ଜେନା, ଚୌଧୁରୀ ପାର୍ଥ ସାରଥୀ ମହାପାତ୍ର , ରବିନାରାୟଣ ପ୍ରଧାନ, କ୍ରୀଷ୍ଣା କୁମାରୀ ରାୟ,ଅନ୍ନପୂର୍ଣ୍ଣା ରାଉତ, ଧିରେନ୍ଦ୍ର ଦାସଙ୍କ ସମେତ ବହୁ ପ୍ରବନ୍ଧକ, ଟେକ୍ନିକାଲ ଅଫିସର, ଭଲ୍ଯୁଣ୍ଟର, କୋଚ ଓ ମ୍ଯାନେଜର ଖୋ ଖୋ ଖେଳକୁ ପରିଚାଳନା କରିଛନ୍ତି । ବହୁ ଖୋ ଖୋ କ୍ରୀଡାପ୍ରେମୀ, ଶୁଭେଚ୍ଛୁ, ଦର୍ଶକ ଓ କ୍ରୀଡାବିତ ମାନେ ଉପସ୍ଥିତ ରହି କରତାଳି ଦେଇ କ୍ରୀଡାବିତ ମାନଙ୍କୁ ଉତ୍ସାହିତ କରିଥିଲେ ।
SOUBHAGYA PATTNAYK NKA REPORT
