ସୋନପୁର ନର୍ସିଂ ହୋମ ସିଲ୍ ମାମଲା:- ସ୍ୱାସ୍ଥ୍ୟସେବା ବାଧାପ୍ରାପ୍ତ ନକରିବାକୁ ପ୍ରଶାସନକୁ କୋର୍ଟଙ୍କ ନିର୍ଦ୍ଦେଶ।
ସୁବର୍ଣ୍ଣପୁର —ସୋନପୁରସ୍ଥିତ ସାମଲେଶ୍ୱରୀ ନର୍ସିଂ ହୋମକୁ ସିଲ୍ କରିବା ପ୍ରସଙ୍ଗରେ ମାନ୍ୟବର ବରିଷ୍ଠ ଦେୱାନୀ ଜଜ୍ (Senior Civil Judge) ସୋନପୁର ଶ୍ରୀ ଗଗନ ସାହୁ ଏକ ଗୁରୁତ୍ୱପୂର୍ଣ୍ଣ ଆଦେଶ ପ୍ରଦାନ କରିଛନ୍ତି। ଏହି ମାମଲାକୁ ସୁବର୍ଣ୍ଣପୁର ଜିଲ୍ଲାର ବରିଷ୍ଠ ଓକିଲ ଶ୍ରୀ ବଳଦେବ ପ୍ରସାଦ ବେଦବାକ ପରିଚାଳନା କରୁଥିବା ବେଳେ ତାଙ୍କର ଦୃଢ଼ଯୁକ୍ତି ବଳରେ ମାମଲାରେ ଏକ ନୂଆ ମୋଡ଼ ଆସିଛି। ସମଲେଶ୍ୱରୀ ନର୍ସିଂ ହୋମର ସତ୍ତ୍ୱାଧିକାରୀ ଶୁଭାଶିଷ ରଥଙ୍କ ପକ୍ଷରୁ ଦାୟର ଆବେଦନ ଅନୁଯାୟୀ, ପ୍ରଶାସନ ପକ୍ଷରୁ ଅଗ୍ନିଶମ ପ୍ରମାଣପତ୍ରକୁ ଦର୍ଶାଇ ଅନୁଷ୍ଠାନକୁ ସିଲ୍ କରିବାକୁ ପ୍ରୟାସ କରାଯାଉଥିଲା। ଜିଲ୍ଲାର ବରିଷ୍ଠ ଓକିଲ ଶ୍ରୀ ବେଦବାକ ଅଦାଲତରେ ପ୍ରଭାବଶାଳୀ ଯୁକ୍ତି ବାଢ଼ି ଦର୍ଶାଇଥିଲେ ଯେ, ଓଡ଼ିଶା ଅଗ୍ନି ନିରାପତ୍ତା ନିୟମ ୨୦୧୯ ଅନୁଯାୟୀ ଏହି ଅନୁଷ୍ଠାନକୁ ଆଇନଗତ ରିହାତି ମିଳିଛି। ଏଥିସହ ନର୍ସିଂ ହୋମର ପଞ୍ଜୀକରଣ ୨୦୩୦ ପର୍ଯ୍ୟନ୍ତ ବୈଧ ଥିବା ବେଳେ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ଆଇନ ବିରୋଧୀ ବୋଲି ସେ ଦର୍ଶାଇଥିଲେ।

ପୁଣି ବର୍ତ୍ତମାନ ସେଠାରେ 21ଜଣ ରୋଗୀ ଚିକିତ୍ସିତ ହେଉଥିବା ଦର୍ଶାଇ ଥିଲେ। ଓଡିଶା ସରକାରଙ୍କ ଆଇନ ଉର୍ଦ୍ଧ୍ୱରେ ଜିଲ୍ଲାପରିଷଦ ନୁହେଁ ଓ CDM&PHO ଙ୍କ ଏଭଳିଆ କାର୍ଯ୍ୟ ବେଆଇନ ଓ ରାଜନୈତିକ ଚାପର ବଶବର୍ତ୍ତୀ ବୋଲି ବଳିଷ୍ଠ ଯୁକ୍ତି ବାଢିଥିଲେ। ଶ୍ରୀ ବେଦବାକଙ୍କ ଯୁକ୍ତିକୁ ଗ୍ରହଣ କରି ମାନ୍ୟବର କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ, ନର୍ସିଂ ହୋମରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଓ CDM & PHO ଏପରି ପଦକ୍ଷେପ ନେବେ ଯାହା ଦ୍ୱାରା ସ୍ୱାସ୍ଥ୍ୟସେବା ବାଧାପ୍ରାପ୍ତ ହେବ ନାହିଁ। ଅଦାଲତ ବିପକ୍ଷ ପକ୍ଷକୁ ନୋଟିସ୍ ଜାରି କରିବା ସହ ଆସନ୍ତା ୧୨.୦୫.୨୦୨୬ ସୁଦ୍ଧା ସେମାନଙ୍କର ପକ୍ଷ ରଖିବାକୁ କହିଛନ୍ତି। ଯଦି ଆବେଦନକାରୀ ଅଗ୍ନିଶମ ନିୟମ ଅନୁଯାୟୀ ରିହାତି ପାଇବାକୁ ଯୋଗ୍ୟ, ତେବେ ପ୍ରଶାସନ ପକ୍ଷରୁ କୌଣସି ଜୋରଜବରଦସ୍ତି କାର୍ଯ୍ୟାନୁଷ୍ଠାନ ପାଇଁ ବିପକ୍ଷ ପକ୍ଷ CDM&PHO ଓ ଜିଲ୍ଳାପାଳ ଦାୟୀ ରହିବେ ବୋଲି ଅଦାଲତ ସ୍ପଷ୍ଟ କରିଛନ୍ତି। ମାନ୍ୟବର ଅଦାଲତ ଙ୍କ ହସ୍ତକ୍ଷେପ ଓ ତୁରନ୍ତ ନିଷ୍ପତ୍ତି ଯୋଗୁଁ ନର୍ସିଂ ହୋମ କର୍ତ୍ତୃପକ୍ଷ ଏବଂ ସେଠାରେ ଚିକିତ୍ସିତ ହେଉଥିବା ରୋଗୀଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। ତେବେ ସୋନପୁର ନର୍ସିଙ୍ଗ ହୋମ ମାଲିକ ମାନଙ୍କୁ CDM& PHO କାର୍ଯ୍ୟାଳୟ ର ଜଣେ ଜିଲ୍ଲା ସ୍ତରୀୟ ଅଧିକାରୀ ଜଣେ ନେତାଙ୍କୁ ଦେବାକୁ କହି ମୋଟା ଅଙ୍କର ଚାନ୍ଦା ମାଗୁଥିବା ଅଭିଯୋଗ ହୋଇଥିଲା। ତେବେ ଚାନ୍ଦା ନଦେଲେ ନର୍ସିଙ୍ଗ ହୋମ ଗୁଡିକୁ ବନ୍ଦ କରିଦେବାକୁ ଧମକ ଦେଇଥିବା କଥା ଶ୍ରୀ ବେଦବାକ ପ୍ରକାଶ କରିଛନ୍ତି l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ….
