ସୋନପୁରରେ ଯୋଗ ଶିକ୍ଷକ ପ୍ରଶିକ୍ଷଣ ଶିବିର ଉଦ୍ଘାଟିତ, ଶତାଧିକ ପ୍ରଶିକ୍ଷାର୍ଥୀଙ୍କ ଅଂଶଗ୍ରହଣ
ସୁବର୍ଣ୍ଣପୁର –ସୋନପୁର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଯୋଗମହୋତ୍ସବ ସମିତି, ସୋନପୁର ପକ୍ଷରୁ ଦୁଇଦିନିଆ ଯୋଗ ଶିକ୍ଷକ ପ୍ରଶିକ୍ଷଣ ଶିବିର ଆଦ୍ୟ ତା ୧୯ ରିଖ ସନ୍ଧ୍ୟା ୭ଟା ସମୟରେ ଉଦଘାଟିତ ହୋଇଥିଲା।ଏହି ପ୍ରଶିକ୍ଷଣ ଶିବିରରେ ମୁଖ୍ୟ ଅତିଥି ଭାବେ କବି, ଲେଖକ ତଥା ଶିଳ୍ପପତି ଆର୍ତ୍ତତ୍ରାଣ ବାବୁ ଯୋଗଦେଇ ଯୋଗର ମହତ୍ତ୍ୱ ଓ ବର୍ତ୍ତମାନ ସମୟରେ ଏହାର ଆବଶ୍ୟକତା ସମ୍ପର୍କରେ ମାର୍ଗଦର୍ଶନ କରିଥିଲେ। ସମ୍ମାନିତ ଅତିଥି ଭାବେ ପଦାର୍ଥ ବିଜ୍ଞାନ ଅଧ୍ୟାପିକା ଡ. ପ୍ରତିମା ରଥ ଯୋଗ ଦ୍ୱାରା ସୁସ୍ଥ ଜୀବନ ଲାଭ କରାଯାଇପାରିବ ବୋଲି ମତପ୍ରକାଶ କରିଥିଲେ।


ଅନ୍ୟମାନଙ୍କ ମଧ୍ୟରେ ସୋନପୁର ଜିଲ୍ଲାର ଜୟଦ୍ରଥ ଜଗଦଲା, ଜିଲ୍ଲା ସଂଯୋଜକ ସଞ୍ଜୟ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଦ୍ୱିତୀୟ ସତ୍ରରେ ରାଜ୍ୟ ସଂଯୋଜକ ଅମିୟ ଦାସ ଓ ସୁବର୍ଣ୍ଣପୁର ଜିଲ୍ଲା ସହ-ସଂଯୋଜକ ଯୁଧିଷ୍ଠିର ଖମାରୀ ଯୋଗ ପ୍ରୋଟୋକଲ ଓ ଆସନ୍ତା ଜୁନ ୨୧ ଆନ୍ତର୍ଜାତିକ ଯୋଗ ଦିବସ ପାଳନ ଯୋଜନା ବିଷୟରେ ଆଲୋଚନା କରିଥିଲେ। ତା ୨୦/୦୫/୨୦୨୬ ସକାଳ ୫.୩୦ ମିନିଟ୍ରେ ଜଳଦେବ ବେରିହାଙ୍କ ଦ୍ୱାରା ଏକତ୍ମତା ସ୍ତୋତ୍ର ପାଠ କରାଯାଇଥିଲା। ପରେ ଯୋଗ ଗୁରୁ ହୃଷୀକେଶ ଦେହେରୀଙ୍କ ନେତୃତ୍ୱରେ ଯୋଗାଭ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଦ୍ୱିତୀୟ ସତ୍ରରେ ସୁବର୍ଣ୍ଣପୁର ସି.ଡି.ଏମ.ଓ ଦେବୀପ୍ରସାଦ ମହାପାତ୍ର ଓ ଆର୍ତ୍ତତ୍ରାଣ ବାବୁ ମଞ୍ଚାସୀନ ରହି କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ। ଜିଲ୍ଲା ଯୋଗ ମୁଖ୍ୟ ଶିକ୍ଷକ ମନୋଜ କୁମାର ପଣ୍ଡାଙ୍କ ତତ୍ତ୍ୱାବଧାନରେ ଯୋଗ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା।କାର୍ଯ୍ୟକ୍ରମ ଶେଷରେ ଆଗାମୀ ଆନ୍ତର୍ଜାତିକ ଯୋଗଦିବସ ପାଳନ ସମ୍ପର୍କିତ ଯୋଜନା ଉପରେ ଆଲୋଚନା ସହ ଶାନ୍ତିପାଠ କରାଯାଇ କାର୍ଯ୍ୟ ସମାପନ ହୋଇଥିଲା । ଏହି ପ୍ରଶିକ୍ଷଣ ଶିବିରରେ ପ୍ରାୟ ଶତାଧିକ ଯୋଗ ଶିକ୍ଷକ ଅଂଶଗ୍ରହଣ କରି ପ୍ରଶିକ୍ଷଣ ଗ୍ରହଣ ସହ ମାନପତ୍ର ପାଇଥିଲେ l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
