ସ୍ୱାସ୍ଥ୍ୟ ବିଭାଗ ର ସ୍ୱାସ୍ଥ୍ୟ ଖରାପ
ସୁବର୍ଣ୍ଣପୁର —ସୁବର୍ଣ୍ଣପୁର ଜିଲ୍ଲାର ସ୍ୱାସ୍ଥ୍ୟ ସେବାରେ ସୁଧାର ଆଣିବା ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ (DHH) ରେ ଥିବା ଅବ୍ୟବସ୍ଥାର ସମାଧାନ ପାଇଁ ବରିଷ୍ଠ ଆଇନଜୀବୀ ଶ୍ରୀ ବଳଦେବ ପ୍ରସାଦ ବେଦବାକ୍ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡଃ. ମୁକେଶ ମହାଲିଙ୍ଗଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏ ସମ୍ପର୍କରେ ସେ ମାନ୍ୟବର ମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରି ଜିଲ୍ଲାର କେତେକ ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟ ସମସ୍ୟା ବାବଦରେ ଅବଗତ କରାଇଛନ୍ତି। ଶ୍ରୀ ବେଦବାକ୍ ନିଜ ପତ୍ରରେ ଦର୍ଶାଇଛନ୍ତି ଯେ,ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୧୨ଟି ଆଇସିୟୁ (ICU) ଏବଂ ଭେଣ୍ଟିଲେଟର ରହିଥିଲେ ହେଁ, ସିଡିଏମଓ (CDMO) ଙ୍କ ଅବହେଳା ଯୋଗୁଁ ସେଗୁଡ଼ିକ ଏପର୍ଯ୍ୟନ୍ତ ସ୍ଥାପନ କରାଯାଇ ପାରିନାହିଁ। ଫଳରେ ଜିଲ୍ଲାର ରୋଗୀମାନେ ଜରୁରୀକାଳୀନ ଚିକିତ୍ସା ସୁବିଧାରୁ ବଞ୍ଚିତ ହୋଇ ଅକଥନୀୟ କଷ୍ଟ ଭୋଗୁଛନ୍ତି।ଏହା ସହିତ ସେ ଜିଲ୍ଲାର ଅନ୍ୟାନ୍ୟ ପ୍ରମୁଖ ସମସ୍ୟା ଗୁଡ଼ିକ ଉପରେ ଆଲୋକପାତ କରିଛନ୍ତି l ସମଗ୍ର ଜିଲ୍ଲା ଓ ବିଶେଷ କରି ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ଓ ପାରାମେଡିକାଲ କର୍ମଚାରୀଙ୍କ ଘୋର ଅଭାବ ଯୋଗୁଁ ଚିକିତ୍ସା ସେବା ବାଧାପ୍ରାପ୍ତ ହେଉଛି।
ରାମପୁର PHC କୁ UGPHC ଭାବେ ଉନ୍ନୀତ କରାଯାଇଥିଲେ ମଧ୍ୟ ସେଠାରେ ଆବଶ୍ୟକୀୟ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇନାହିଁ। ସୋନପୁର ସହରର ପୁରୁଣା ହସ୍ପିଟାଲକୁ ଏକ PHC ଭାବେ ଘୋଷଣା କରିବାକୁ ସେ ଦାବି କରିଛନ୍ତି, ଯାହାଫଳରେ ପୌରପାଳିକା ଅଞ୍ଚଳର ଲୋକେ ନିକଟରେ ଚିକିତ୍ସା ସୁବିଧା ପାଇପାରିବେ। ଉଲୁଣ୍ଡା ଏବଂ ଡୁଙ୍ଗୁରିପାଲିରେ ନୂତନ ଶବ ବ୍ୟବଚ୍ଛେଦ କେନ୍ଦ୍ର ସ୍ଥାପନ ପାଇଁ ସେ ମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇବା ସହ ଉପରୋକ୍ତ ସମସ୍ୟାଗୁଡ଼ିକର ତୁରନ୍ତ ସମାଧାନ ପାଇଁ ଅନୁରୋଧ କରିଛନ୍ତି। ସୁବର୍ଣ୍ଣପୁର ଜିଲ୍ଲାବାସୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ସେବା ପାଇଁ ଏହି ପଦକ୍ଷେପ ଅତ୍ୟନ୍ତ ଜରୁରୀ ଓ ଏହା ଲୋକଙ୍କ ସରକାର ବିଜେପିର ମୋହନ ମାଝୀଙ୍କ ସରକାରଙ୍କ ଅମଳରେ ସମ୍ଭବ ବୋଲି ଶ୍ରୀ ବେଦବାକ୍ ପ୍ରକାଶ କରିଛନ୍ତି।
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
