February 21, 2026
Home » ୧୦ ମିନିଟ ବିଳମ୍ବରେ ଆସିଥିବା ୧୨ ଜଣ ଅଧିକାରୀଙ୍କୁ ବାରଣ କଲେ ଜିଲ୍ଲାପାଳ

୧୦ ମିନିଟ ବିଳମ୍ବରେ ଆସିଥିବା ୧୨ ଜଣ ଅଧିକାରୀଙ୍କୁ ବାରଣ କଲେ ଜିଲ୍ଲାପାଳ

0
WhatsApp Image 2026-01-05 at 8.53.30 PM (1)

ରାୟଗଡ଼ା ଜିଲ୍ଲାପାଳ ଆଶୁତୋଷ କୁଲକର୍ଣୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ନୂତନ ବର୍ଷ ୨୦୨୬ ର ପ୍ରଥମ ଜିଲ୍ଲାସ୍ତରୀୟ ଜନଶୁଣାଣି ଶିବିରକୁ ୧୦ ମିନିଟ ବିଳମ୍ବରେ ଆସିଥିବା ୧୨ ଜଣ ଅଧିକାରୀଙ୍କୁ ରାୟଗଡ଼ା ଜିଲ୍ଲାପାଳ ପ୍ରକୋଷ୍ଟରେ ପ୍ରବେଶ କରିବାକୁ ବାରଣ କରି କଠୋର ଶୃଙ୍ଖଳା ପାଳନ କରିଛନ୍ତି।
ସୂଚନା ମୁତାବକ ,ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ସୋମବାର ସକାଳ ଠିକ ୧୦:୦୦ ଟା ସମୟ ରାୟଗଡ଼ାର ଡିଆରଡିଏ ସମ୍ମିଳନୀ କକ୍ଷରେ ନୂତନବର୍ଷର ପ୍ରଥମ ଜିଲ୍ଲାସ୍ତରୀୟ ଅଭିଯୋଗ ସମାଧାନ ବୈଠକ ଅନୁଷ୍ଠିତ ହୋଇଥିଲା। କିନ୍ତୁ,ରାୟଗଡ଼ା ଉପଜିଲ୍ଲାପାଳଙ୍କ ସମେତ ଏକ୍ସାଇଜ୍ ସୁପରିଣ୍ଟେଣ୍ଡେଣ୍ଟ, ସିସିଏସଓ, ସ୍କୁଲ ଡିଆଇ, ରାୟଗଡ଼ା ବିଡିଓ, ଡିଆଇପିଆରଓ, ଡିପିଓ, ଡିଏସଡବ୍ଲୁଓ, ଡିଏସଏସଓ ଏବଂ ଏସିସିଏଫଓ ସମେତ ୧୨ ଜଣ ଅଧିକାରୀ ୧୦ ମିନିଟ ବିଳମ୍ବରେ ଜିଲ୍ଲାସ୍ତରୀୟ ଜନଶୁଣାଣି ଶିବିରକୁ ପହଞ୍ଚିଥିଲେ। ବୈଠକରେ ଅନୁପସ୍ଥିତ ଅଧିକାରୀଙ୍କ ବିଷୟରେ ଜିଲ୍ଲାପାଳଙ୍କ ନଜରକୁ ଆସିବା ପରେ ଜିଲ୍ଲାପାଳ ତାଙ୍କ ପିଏସଓଙ୍କୁ ଦେଇଥିବା ନିର୍ଦ୍ଦେଶ ଅନୁଯାୟୀ, ଜିଲ୍ଲାସ୍ତରୀୟ ଅଭିଯୋଗ ସମାଧାନ ବୈଠକ ପାଇଁ ବିଳମ୍ବରେ ଆସିଥିବା ସମସ୍ତ ଅଧିକାରୀଙ୍କୁ ବୈଠକରେ ପ୍ରବେଶ କରିବାକୁ ବାରଣ କରାଯାଇଥିଲା। ସେମାନଙ୍କ ବିନା ବୈଠକ ଚାଲିବା ସମୟରେ ସେମାନେ ବାହାରେ ଏକ କକ୍ଷରେ ବସିଥିଲେ।

ଜିଲ୍ଲାପାଳଙ୍କ ଉକ୍ତ ଶ୍ରୁଖଳିତ ନିଷ୍ପତ୍ତିକୁ ସମର୍ଥନ କରୁଥିବା ଅନେକ ଅଭିଯୋଗକାରୀ ପ୍ରଶଂସା କରିଥିଲେ, ଯାହା ଅଭିଯୋଗ ସମାଧାନ ବୈଠକରେ ଅବହେଳା ପ୍ରଦର୍ଶନକାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶର ଏକ ଅନୁରୂପ ଥିଲା। ରାୟଗଡ଼ା ଜିଲ୍ଲାପାଳ ଆଶୁତୋଷ କୁଲକର୍ଣୀଙ୍କ ଏହି ଶୃଙ୍ଖଳିତ ନିଷ୍ପତି ଜନସାଧାରଣଙ୍କ ଅଭିଯୋଗର ସମାଧାନରେ ପ୍ରଶାସନର ସମୟାନୁବର୍ତ୍ତୀତା ଏବଂ ଦାୟିତ୍ୱବୋଧତା ପ୍ରତି ପ୍ରତିବଦ୍ଧତାକୁ ସ୍ପଷ୍ଟ କରିପାରିଥିଲା।

ଜିଲ୍ଲାପାଳଙ୍କ ପାଖକୁ ମୋଟ ୭୦ ଟି ଅଭିଯୋଗ ଆସିଥିବା ବେଳେ ସେଥି ମଧ୍ୟରୁ ୫୨ଟି ବ୍ୟକ୍ତିଗତ ଅଭିଯୋଗ ଥିଲା ବେଳେ ୧୮ଗୋଟି ଗ୍ରାମ ବାସୀ ମାନଙ୍କର ସାମୂହିକ ଅଭିଯୋଗ ଥିଲା l ୮ ଜଣଙ୍କ ସ୍ୱାସ୍ଥ୍ୟ ସମସ୍ୟା ଅଭିଯୋଗ ଥିଲା ସେମାନଙ୍କ ମଧ୍ୟରୁ ୫ଜଣକୁ ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠିରୁ ଏକ ଲକ୍ଷ ୧୦ ହଜାର ଟଙ୍କା ଏବଂ ତିନିଜଣକୁ ଜିଲ୍ଲା ରେଡକ୍ରସ ଫଣ୍ଡରୁ ୨୫ହଜାର ଟଙ୍କା ଆର୍ଥିକ ସାହାଯ୍ୟ ପ୍ରଦାନ କରିଥିଲେ । ଜିଲ୍ଲାପାଳ ଆଜିର ଅଭିଯୋଗ ଗୁଡିକୁ ପାଇଲା ପରେ ବିଭାଗୀୟ ଅଧିକାରୀ ମାନଙ୍କୁ ତୁରନ୍ତ ଫଇସଲା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ ।

ରିପୋର୍ଟ:ରାୟଗଡ଼ା ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *