୧୬ତମ ଜାତୀୟ ମତଦାତା ଦିବସ ପାଳିତ
ବରଗଡ଼: ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ବରଗଡ଼ଙ୍କ ଅଧ୍ୟକ୍ଷତାରେ ୧୬ତମ ଜିଲ୍ଲାସ୍ତରୀୟ ଜାତୀୟ ମତଦାତା ଦିବସ ପାଳିତ ହୋଇଛି । ଏହି ଅବସରରେ ଗାନ୍ଧିଛକ ଠାରୁ ଆରକ୍ଷୀ ଅଧିକ୍ଷକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ଭୋଟର ସଚେତନତା ଶୋଭାଯାତ୍ରା ଆୟୋଜିତ ହେବା ସହ ଗାନ୍ଧୀଛକ ଠାରେ ଏକ ସଚେତନତା ପଥପ୍ରାନ୍ତ ସଭା ଆୟୋଜନ କରାଯାଇଥିଲା । ଏବଂ ସଭା ପ୍ରାଙ୍ଗଣରେ ଏକ ରଙ୍ଗୋଲି ପ୍ରଦାଶନୀ ମାଧ୍ୟମରେ ଲୋକଙ୍କୁ ସଚେତନତା କରାଯାଇଥିଲା।

ପଥପ୍ରାନ୍ତ ଉତ୍ସବରେ ବାଲ୍ ଧନୁଯାତ୍ରାର ମହାରାଜ କଂସଙ୍କ ସମେତ ତାଙ୍କ ପାତ୍ରମନ୍ତ୍ରୀ ଗଣ, ଦୂଲଦୁଲି ବାଦ୍ୟ, ବଂଶୀ ବାଦନ, ବ୍ୟାଣ୍ଡ ପର୍ଦାର୍ଶନୀ ମାଧ୍ୟମରେ ଭୋଟରଙ୍କୁ ସଚେତନ କରାଯାଇଥିବା ବେଳେ ଅତିରିକ୍ତ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମହେନ୍ଦ୍ର ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ ମଧୁଛନ୍ଦା ସାହୁ, ଉପଜିଲ୍ଲାପାଳ ପ୍ରସନ୍ନ ପାଣ୍ଡେ ଉପସ୍ଥିତ ଯୁବ ଭୋଟଙ୍କୁ ଭୋଟର ତାଲିକାରେ ନାମ ପଞ୍ଜୀକରଣ, ସ୍ଥାନାନ୍ତରିକଣ, ଅପସାରଣ, ଆଦି ପ୍ରକ୍ରିୟା ବିଷୟରେ ଅବଗତ କରିବା ସହ ସୁସ୍ଥ ଗଣତନ୍ତ୍ରରେ ଯୁବପୀଢିର ଭୂମିକା ଉପରେ ଗୁରୁତ୍ବାରୋପ କରି ସଚେତନ ଭୋଟର ହେବାପାଇଁ ଉପଦେଶ ଦେଇଥିଲେ।ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଶ୍ରୀ ଆଦିତ୍ୟ ଗୋୟଲ, ନିଜ ଛାତ୍ର ଜୀବନର ଅନୁଭୂତି କହି ଆଜିର ଯୁବପିଢି କିପରି ସୁଦୃଢ ଗଣତନ୍ତ୍ର ଗଠନରେ ମହତ୍ୱପୂର୍ଣ ଭୂମିକା ଗ୍ରହଣ କରିବେ, ତାଙ୍କର ଦିଗଦର୍ଶନ ଦେଇଥିଲେ। ଯୁବପୀଢିମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ଆୟୋଜିତ ହୋଇଥିବା ଉଭୟ ଜିଲ୍ଲା ଏବଂ ଉପଖଣ୍ଡ ସ୍ତରୀୟ ବକ୍ତୃତା, ରଚନା ଲିଖନ, ଚିତ୍ରାଙ୍କନ ଏବଂ କୁଇଜ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ନିର୍ବାଚନ ମଣ୍ଡଳୀ ସ୍ତରରେ ଉତ୍କୃଷ୍ଟ କାମ ପ୍ରଦର୍ଶନ କରିଥିବା ବୁଥ ସ୍ତରୀୟ ଅଧିକାରୀ ମାନଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା।

ଉତ୍ସବରେ ବରଗଡ଼ ଡେପୁଟୀ ଜିଲ୍ଲାପାଳ, ନିର୍ବାଚନ ସୂର୍ଯ୍ୟମଣୀ ଭୋଇଙ୍କ ସମେତ ଡିଇଜିଏମ ମସ୍ତରାମ ଛନ୍ଦ, ଏଚ.ଆର.ଏମ.ଏସ. ସଂଯୋଜକ ଶ୍ରୀ ଶ୍ରୀକାନ୍ତ ତ୍ରିପାଠୀ ଏବଂ ଜିଲ୍ଲା ନିର୍ବାଚନ ଉପବିଭାଗର ସମସ୍ତ କର୍ମକର୍ତ୍ତାମାନେ କାର୍ଯ୍ୟକ୍ରମ ପରିଚଳନରେ ସହଯୋଗ କରିଥିବା ବେଳେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ପ୍ରହଲ୍ଲାଦ ଖୋସ୍ଲା ମଞ୍ଚ ପରିଚାଳନା କରିଥିଲେ ।
ଇପିଏରୁ ବରଗଡ଼ ଜିଲ୍ଳା ପ୍ରତିନିଧି କ୍ଷମା ନିଧି ବଣ୍ଡୁକିଙ୍କ ରିପୋର୍ଟ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସୀ)
