୨୫ ତମ ଆନ୍ତର୍ଜାତିକ ନାଟକ ମହୋତ୍ସବ ଉଦଯାପିତ – ଓଡ଼ିଆ ନାଟକ ବେଗମ ମଞ୍ଚସ୍ତ
ପାରାଦୀପର ଜୟଦେବ ସଦନ ଠାରେ ଜାତୀୟ ନାଟ୍ୟ ବିଦ୍ୟାଳୟ ଓ କାନମାସ, ପାରାଦୀପର ସହଯୋଗରେ ଆୟୋଜିତ ୨୫ ତମ ଆନ୍ତର୍ଜାତିକ ନାଟକ ମହୋତ୍ସବ “ଭାରତ ରଙ୍ଗ ମହୋତ୍ସବର” ୬ ତାରିଖ ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି । ଉଦଯାପନୀ ସନ୍ଧ୍ୟାରେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ, ଭୁବନେଶ୍ୱରର କଳାକାର ମାନେ ସଞ୍ଜୟ ଶାହଙ୍କ ନିର୍ଦ୍ଦେଶନାରେ ପ୍ରମୋଦ ତ୍ରିପାଠୀଙ୍କ ଲିଖିତ ଓଡ଼ିଆ ନାଟକ ବେଗମ୍ ମଞ୍ଚସ୍ତ କରିଥିଲେ ।

ଆମର ସାମାଜିକ ବ୍ୟବସ୍ଥା ବହୁତ୍ ଅଦ୍ଭୁତ । ଏହି ସମାଜ କେତେବେଳେ କାହାକୁ ସମାଲୋଚନା କରେ ତ କେତେବେଳେ କାହାକୁ ପୁରସ୍କୃତ କରେ । ଲୋଭ ଓ ଲାଭ ପାଇଁ ଲୋକମାନେ କେତେବେଳେ ସାମାଜିକ ବ୍ୟବସ୍ଥାର ପ୍ରତୀକକୁ ଫୁଙ୍କି ଦିଅନ୍ତି । ଆଜିର ମଣିଷ ଏହି କଥା ଭାବିବାକୁ ବାଧ୍ୟ ହୁଏ ଯେ ଯଦି ତାଙ୍କ ଆଗରେ ବହୁତ୍ ଟଙ୍କା ରଖା ଯାଏ ତେବେ ସେ ସାପ ପରି ନିଜର ରଙ୍ଗ ବଦଳାଇଦେବ । ସେଥିପାଇଁ ପୁଜାସ୍ଥଳ, ସ୍କୁଲ, ଆଇନ ପ୍ରବର୍ତ୍ତନ ଅଧିକାରୀ, ଗାଁର ବୟସ୍କ ବ୍ୟକ୍ତି କିମ୍ବା ଗାଁର ମୁଖିଆ ଏପରି ଚିନ୍ତାଧାରାରେ ମତ୍ତ ହୋଇଯାଆନ୍ତି ।

କେବଳ ସେମାନେ ଜାଣନ୍ତି ଯେ ଶୋଷଣ ଏବଂ ଲୋଭ ଦ୍ଵାରା ସେମାନେ କଣ ପାଇବେ । ସେଥିପାଇଁ ବେଗମ୍ ଶବ୍ଦର ବ୍ୟବହାର କରାଯାଇଛି । ଓଡ଼ିଆ ତଥା ଏକ ଭିନ୍ନ ସ୍ୱାଦର ନାଟକର ଆନନ୍ଦ ନେବା ପାଇଁ ଅଧିକ ନାଟ୍ୟପ୍ରେମି ଦର୍ଶକ ଆଜି ଜୟଦେବ ସଦନରେ ଉପସ୍ଥିତ ଥିଲେ ଏବଂ କଳାକାର ମାନେ ସେମାନଙ୍କର ନିଖୁଣ ଅଭିନୟରେ ଦର୍ଶକମାନଙ୍କୁ ବାନ୍ଧି ରଖିଥିଲେ । ଉଦଯାପନୀ ସନ୍ଧ୍ୟାରେ ଅତିଥି ମାନେ କଳାକାର ମାନଙ୍କୁ ସମ୍ମାନିତ କରିବା ସଙ୍ଗେ ସଙ୍ଗେ କାନମାସର ନାଟକକୁ ଲୋକାଭିମୁଖୀ କରିବାର ପ୍ରୟାସକୁ ପ୍ରଶଂସା କରିଥିଲେ ।
ପାରାଦୀପ ଇପିଏ ରୁ ପ୍ରଶାନ୍ତ ଦାଶ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )
