୩ ଝାଡ଼ଖଣ୍ଡୀ ଲୁଟେରା, ୨ ଜୁଏଲେରି ଦୋକାନୀ ଗିରଫ

ଯୋଡ଼ା – କେନ୍ଦୁଝର ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ଲୁଟ୍ର ଆତଙ୍କ ଖେଳାଇଥିବା ଝାଡ଼ଖଣ୍ଡୀ ଲୁଟେରା ଗ୍ୟାଙ୍ଗ୍ର ୩ ଜଣଙ୍କୁ ପୋଲିସ ଗିରଫ କରିଛି। ସେମାନଙ୍କ ନିକଟରୁ ୨୯.୫୩୦ ଗ୍ରାମ୍ ସ୍ପର୍ଣ୍ଣ ଅଳଙ୍କାର ସହ ୩. ୬୮୧ କିଲୋ ରୁପା ଅଳଙ୍କାର ଜବତ କରିଥିବା ଜଣାପଡ଼ିଛି। ଚୋରି ଅଳଙ୍କାର କ୍ରୟ ଅଭିଯୋଗରେ ୨ ଜୁଏଲେରି ଦୋକାନୀଙ୍କୁ ମଧ୍ୟ ଗିରଫ କରାଯାଇଛି। ୩ ଅଭିଯୁକ୍ତ ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମ ଜିଲ୍ଲା ମଝିଗାଁ ଥାନା ଅନ୍ତର୍ଗତ ଗଡ଼କେଶନା ଗ୍ରାମର ରାଜେନ୍ଦ୍ର ପିଙ୍ଗୁଆ, ଗୁଡୁଗାଁ ଅଞ୍ଚଳର ଦୀପକ ଗୋପ, ଜଗନ୍ନାଥପୁର ଥାନା ଟୋନାଘାଟୁ ଫାଟକ ଅଞ୍ଚଳର ସରୋଜ କେଶରୀ ଓ ୨ ଜୁଏଲେରି ଦୋକାନୀ ହେଲେ ବାଗବେଡ଼ା ଥାନା ଅନ୍ତର୍ଗତ ନ୍ଯୁ ବସ୍ତିର ଶିବପ୍ରକାଶ ପ୍ରସାଦ ଓ ସୀତାଗୋଡ଼ା ଥାନା ବାଗୁନହାତୁ ଅଞ୍ଚଳର ରାଜେନ୍ଦ୍ର ପ୍ରସାଦ। ଏ ନେଇ ବଡ଼ବିଲ ଥାନା ପରିସରରେ ଏସ, ଡି, ପି ,ଓ, ଦେବେନ୍ଦ୍ର ନାଥ ପିଙ୍ଗୁଆ ପ୍ରେସ ମିଟ କରି ସୂଚନା ଦେଇଛନ୍ତି।
ସୂଚନା ଅନୁଯାୟୀ, ଜିଲ୍ଲାର ବଡ଼ବିଲ, ଯୋଡ଼ା, ଚମ୍ପୁଆ ସମେତ ଅନ୍ୟ ଥାନା ଅଞ୍ଚଳରେ ଲୁଟେରା ଗ୍ୟାଙ୍ଗ୍ ଭୋର ଓ ସନ୍ଧ୍ୟା ସମୟରେ ବୟସ୍କା ଓ ମହିଳାଙ୍କୁ ଟାର୍ଗେଟ କରୁଥିଲେ। ଏ ନେଇ ବିଭିନ୍ନ ସମୟରେ ବଡ଼ବିଲ ଥାନାରେ ୫, ଯୋଡ଼ା ଥାନାରେ ୩ ଓ ଚମ୍ପୁଆ ଥାନାରେ ୧ ମାମଲା ରୁଜୁହୋଇଥିଲା। ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ନିର୍ଦ୍ଦେଶକ୍ରମେ ବଡ଼ବିଲ ଥାନା ଆଇ ଆଇ ସି ଅଶୋକ କୁମାର ନାୟକଙ୍କ ନେତୃତ୍ୱରେ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇ ତଦନ୍ତ କରାଯାଇଥିଲା। ପୋଲିସ ୩ ଜଣଙ୍କୁ ଧରିବାକୁ ସକ୍ଷମ ହୋଇଥିବା ହୋଇଥିଲେ ।
ଦୁର୍ବୃତ୍ତମାନେ ଚୋରି ସୁନା ଓ ରୂପା ଅଳଙ୍କାର ବିକ୍ରି କରିଦେଇଥିବା ଜଣାପଡ଼ିଥିଲା। ଅଧିକ ତଦନ୍ତକରି ଚୋରି ଅଳଙ୍କାର କ୍ରୟ କରିଥିବା ଶିବଶକ୍ତି ଜୁଏଲେରି ଉପରେ ଚଢ଼ାଉକରି ଦୋକାନୀଙ୍କ ନିକଟରୁ ୨୯.୫୩୦ ଗ୍ରାମ୍ ସ୍ବର୍ଣ୍ଣ ଅଳଙ୍କାର ସହ ୩ କିଲୋ ୬୮୧ଗ୍ରାମ ୨୭ ମିଲିଗ୍ରାମ ରୁପା ଅଳଙ୍କାର ଜବତ କରିଥିଲା। ଲୁଟ୍ରେ ବ୍ୟବହୃତ ବାଇକ୍ (ଜେଏଚ୍ ୦୫ ବିଏନ୍ ୯୨୬୬)କୁ ମଧ୍ଯ ପୋଲିସ ଜବତ କରିଛି। ଗିରଫ ସମସ୍ତ ୩ ଅଭିଯୁକ୍ତ ସମସ୍ତ ଘଟଣାରେ ସମ୍ପୃକ୍ତ ରହିଛନ୍ତି। ଅଭିଯୁକ୍ତ ରାଜେନ୍ଦ୍ର ଝାଡ଼ଖଣ୍ଡର ହାଟଗମ୍ଭାରିଆ ଥାନା କେସ୍ ନଂ. ୨୩/୨୦୨୨ରେ ମଧ୍ୟ ସମ୍ପୃକ୍ତ ଥିବା ପୋଲିସ ସୂଚନା ଦେଇଛି। ଘଟଣାରେ ଆଉ କିଏ ସମ୍ପୃକ୍ତ ଅଛନ୍ତି କି ନାହିଁ ତଦନ୍ତ ଜାରି ରହିଥିବା ପୋଲିସ କହିଛି।
କେନ୍ଦୁଝର ଜିଲ୍ଲା ଯୋଡ଼ା ରୁ ଡିମ୍ପଲ ସାଣ୍ଡିଲ ଙ୍କ ରିପୋର୍ଟ ଇପିଏ ନିଉଜ ।