March 15, 2026
Home » ୩୦ ବର୍ଷୀୟ ଯୁବକଙ୍କୁ ”ନିଷ୍କ୍ରିୟ ଇଚ୍ଛାମୃତ୍ୟୁ” ପାଇଁ ଅନୁମତି ପ୍ରଦାନ କରିଛନ୍ତି ଦେଶର ସର୍ବୋଚ୍ଚ ଅଦାଲତ।

୩୦ ବର୍ଷୀୟ ଯୁବକଙ୍କୁ ”ନିଷ୍କ୍ରିୟ ଇଚ୍ଛାମୃତ୍ୟୁ” ପାଇଁ ଅନୁମତି ପ୍ରଦାନ କରିଛନ୍ତି ଦେଶର ସର୍ବୋଚ୍ଚ ଅଦାଲତ।

0

 

ନୂଆଦିଲ୍ଲୀ: ଜୀବନ ଓ ମୃତ୍ୟୁର ସୀମା ରେଖାରେ ୧୩ ବର୍ଷ ଧରି ଛଟପଟ ହେଉଥିବା ଜଣେ ଯୁବକଙ୍କ ପାଇଁ ଶେଷରେ ସୁପ୍ରିମକୋର୍ଟ ଏକ ଐତିହାସିକ ତଥା ମର୍ମାହତ ଶୁଣାଣି କରିଛନ୍ତି। ଗାଜିଆବାଦର ୩୦ ବର୍ଷୀୟ ଯୁବକ ହରିଶ ରାଣାଙ୍କୁ ”ନିଷ୍କ୍ରିୟ ଇଚ୍ଛାମୃତ୍ୟୁ” ପାଇଁ ଅନୁମତି ପ୍ରଦାନ କରିଛନ୍ତି ଦେଶର ସର୍ବୋଚ୍ଚ ଅଦାଲତ। ବିଚାରପତି ଜେବି ପାରଦିୱାଲା ଏବଂ କେଭି ବିଶ୍ୱନାଥନଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ସମ୍ବେଦନଶୀଳ ମାମଲାରେ ଶେଷ ନିଷ୍ପତ୍ତି ଶୁଣାଇଛନ୍ତି।

ଘଟଣାଟି ଥିଲା ୨୦୧୩ ମସିହାର। ଚଣ୍ଡିଗଡ଼ରେ ପାଠ ପଢୁଥିବା ମେଧାବୀ ଛାତ୍ର ହରିଶ ନିଜ ହଷ୍ଟେଲର ଚତୁର୍ଥ ମହଲାରୁ ହଠାତ୍ ତଳକୁ ଖସି ପଡ଼ିଥିଲେ। ଏହି ଦୁର୍ଘଟଣାରେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା, ଯାହା ତାଙ୍କ ଜୀବନର ଗତିପଥକୁ ସମ୍ପୂର୍ଣ୍ଣ ବଦଳାଇ ଦେଇଥିଲା। ସେବେଠାରୁ ଦୀର୍ଘ ୧୩ ବର୍ଷ ଧରି ହରିଶ ଶଯ୍ୟାଶାୟୀ ହୋଇ ଅଚେତନ ଅବସ୍ଥାରେ ପଡ଼ି ରହିଥିଲେ। ଲଗାତାର ବିଛଣାରେ ପଡ଼ି ରହିବା ଯୋଗୁଁ ତାଙ୍କ ଶରୀରରେ ଅନେକ ସ୍ଥାନରେ କ୍ଷତ ସୃଷ୍ଟି ହୋଇଥିଲା ଏବଂ ସେ ୧୦୦% ଅକ୍ଷମ ହୋଇଯାଇଥିଲେ।

ସୁପ୍ରିମକୋର୍ଟ ଏହି ମାମଲାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଦିଲ୍ଲୀ ଏମ୍ସରୁ ଏକ ବିଶେଷଜ୍ଞ ଦଳ ଗଠନ କରି ହରିଶଙ୍କ ସ୍ୱାସ୍ଥ୍ୟାବସ୍ଥାର ରିପୋର୍ଟ ମାଗିଥିଲେ। ଏମ୍ସର ରିପୋର୍ଟ ଅତ୍ୟନ୍ତ ନୈରାଶ୍ୟଜନକ ଥିଲା। ଡାକ୍ତରୀ ଦଳ ସ୍ପଷ୍ଟ କରିଥିଲେ ଯେ, ହରିଶଙ୍କ ସୁସ୍ଥ ହେବାର କୌଣସି ସମ୍ଭାବନା ନାହିଁ। ରିପୋର୍ଟ ପଢ଼ିବା ପରେ ଜଷ୍ଟିସ ପାରଦିୱାଲା କହିଥିଲେ, “ଏହା ଏକ ଅତ୍ୟନ୍ତ ଦୁଃଖଦାୟକ ରିପୋର୍ଟ। ଜଣେ ବିଚାରପତି ଭାବେ ଏପରି ନିଷ୍ପତ୍ତି ନେବା ଆମ ପାଇଁ ଅତ୍ୟନ୍ତ କଷ୍ଟକର, କିନ୍ତୁ ମାନବିକତା ଦୃଷ୍ଟିରୁ ଏହି ଯନ୍ତ୍ରଣାର ଅନ୍ତ ହେବା ଆବଶ୍ୟକ।”

ଜଣେ ପୁଅକୁ ନିଜ ଆଖି ଆଗରେ ମୃତ୍ୟୁ ସହ ପ୍ରତିଦିନ ସଂଗ୍ରାମ କରୁଥିବା ଦେଖିବା ପିତାମାତାଙ୍କ ପାଇଁ ସବୁଠାରୁ ବଡ଼ ଦଣ୍ଡ। ହରିଶଙ୍କ ବୃଦ୍ଧ ପିତାମାତା ଶେଷରେ ନିରୁପାୟ ହୋଇ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସେମାନେ ନିଜ ପୁଅ ପାଇଁ ”ଇଚ୍ଛାମୃତ୍ୟୁ” ମାଗିଥିଲେ, ଯାହାଦ୍ୱାରା ହରିଶ ଏହି ଜୀବନ୍ତ ନର୍କରୁ ମୁକ୍ତି ପାଇପାରିବେ। ଏବେ ୧୩ ବର୍ଷର ଏହି ଦୀର୍ଘ ପ୍ରତୀକ୍ଷା ଓ ଅସହ୍ୟ ଯନ୍ତ୍ରଣାର ଅନ୍ତ ଘଟିବାକୁ ଯାଉଛି। ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତି କେବଳ ଏକ ଆଇନଗତ ରାୟ ନୁହେଁ, ବରଂ ଜଣେ ଯନ୍ତ୍ରଣାଗ୍ରସ୍ତ ମଣିଷକୁ ସମ୍ମାନର ସହ ବିଦାୟ ଦେବାର ଏକ ମାନବିକ ପ୍ରୟାସ। ହରିଶ ରାଣାଙ୍କ କାହାଣୀ ସାରା ଦେଶକୁ ସ୍ତବ୍ଧ କରିଦେଇଛି।
ଇପିଏରୁ ବିରଞ୍ଚିନାରାୟଣ ପତ୍ରୀ ଙ୍କ ରିପୋର୍ଟ, ଇଷ୍ଟଣ୍ଣ ପ୍ରେସ ଏଜେନ୍ସି, ଭୁବନେଶ୍ୱର

Leave a Reply

Your email address will not be published. Required fields are marked *