୫ ଦିନିଆ ଓଡ଼ିଶା ଗସ୍ତରେ ମହାମହିମ ରାଷ୍ଟ୍ରପତି
ପୁରୀ:ମହାମହିମ ରାଷ୍ଟ୍ରପତି ଶ୍ରୀମତି ଦ୍ରୈଉପଦୀ ମୂର୍ମୁ ୫ ଦିନିଆ ଓଡ଼ିଶା ଗସ୍ତରେ ଆସି ଆଜି ସକାଳ ୯ ଟା ସମୟରେ ଭୁବନେଶ୍ଵରରୁ ଏକ ସ୍ବତନ୍ତ୍ର ହେଲିକେପ୍ଟରରେ ପୁରୀରେ ପହଞ୍ଚିଥିଲେ। ସେଠାରୁ ମହାମହିମ ରାଷ୍ଟ୍ରପତି ଶ୍ରୀମତି ମୂର୍ମୁ କାର୍ଗେଟରେ ଶ୍ରୀମନ୍ଦିର ଅଭିମୁଖେ ଯାତ୍ରା କରିଥିଲା। ମହାମହିମ ରାଷ୍ଟ୍ରପତି ମେଡିକାଲ ଛକରୁ ଚାଲିଚାଲି ଶ୍ରୀମନ୍ଦିର ସମ୍ମୁଖରେ ପହଞ୍ଚିଥିଲେ । ଗଜପତି ମହାରାଜା ଶ୍ରୀ ଶ୍ରୀ ଦିବ୍ୟସିଂହ ଦେବ, ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଡଃ ଅରବିନ୍ଦ ପାଢୀ, ପୁରୀ ଜିଲ୍ଲାପାଳ, ଆଇନ ବିଭାଗ ସଚିବ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିନିତ୍ କୁମାର ଅଗ୍ରଓ୍ବାଲଙ୍କ ସମେତ ରାଷ୍ଟ୍ରପତିଙ୍କ କୈଳିକ ପଣ୍ଡା ଛତିଶା ନିଯୋଗର ମହାନାୟକ ଜନାର୍ଦ୍ଦନ ପାଟ୍ଟଯୋଶୀ ମହାମହିମଙ୍କୁ ସ୍ବାଗତ କରିଥିଲେ । ଏହାପରେ ମହାମହିମ ରାଷ୍ଟ୍ରପତି ଶ୍ରୀମନ୍ଦିର ଭିତରକୁ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦର୍ଶନ କରିବାକୁ ପ୍ରବେଶ କରିଥିଲେ । ମହାମହିମ ରାଷ୍ଟ୍ରପତିଙ୍କ ସହ ଝିଅ ଓ ନାତୁଣୀ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ସାଂସଦ ଡ ସମ୍ବିତ ପାତ୍ର ପ୍ରମୁଖ ଶ୍ରୀମନ୍ଦିରକୁ ଯାଇଥିଲେ ।
ମହାମହିମ ରାଷ୍ଟ୍ରପତି ସାତପାହାଚ ଦେଇ ଜୟବିଜୟ ଦ୍ଵାର ବାଟେ ଗର୍ଭଗୃହକୁ ପ୍ରବେଶ କରି ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିଥିଲେ । ଶ୍ରୀମନ୍ଦିର ଭିତରେ ମହାଲକ୍ଷ୍ମୀ ଓ ବିମଳାଙ୍କୁ ଦର୍ଶନ କରି ପୂଜାର୍ଚ୍ଚନା କରିଥିଲେ । ଶ୍ରୀମନ୍ଦିରରେ ଶ୍ରୀଜୀଉ ମାନଙ୍କର ଦର୍ଶନ କରି ବାଇଶପାହାଚ ଦେଇ ସିଂହଦ୍ବାରକୁ ଫେରିଥିଲେ । ସିଂହଦ୍ଵାର ସମ୍ମୁଖରେ ଥିବା ଅରୁଣସ୍ତମ୍ବକୁ ପ୍ରଣିପାତ କରିଥିଲେ । ଏହି ଅବସରରେ ମହାମହିମ ରାଷ୍ଟ୍ରପତିଙ୍କୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏକ ପଟ୍ଟଚିତ୍ର, ମହାପ୍ରସାଦ ଓ ଖଣ୍ଡୁଆ ପ୍ରଦାନ କରାଯାଇଥିଲା । ରାଷ୍ଟ୍ରପତିଙ୍କୁ ଦେଖିବା ପାଇଁ ପୁରୀ ସହରର ଜନସାଧାରଣ ଓ ଆଖପାଖ ଅଞ୍ଚଳର ଲୋକଙ୍କ ସମେତ ବାହାରୁ ଆସିଥିବା ପର୍ଯ୍ୟଟକମାନେ ସିଂହଦ୍ଵାର ସମ୍ମୁଖରେ ରୁଣ୍ଡ ହୋଇଥିଲେ । ସିଂହଦ୍ଵାର ସମ୍ମୁଖ ଆଜି ଲୋକାରଣ୍ୟ ହୋଇଉଠିଥିଲା । ଲୋକମାନଙ୍କର ହୁଳହୁଳି ଓ ଶଙ୍ଖ ଧ୍ବନୀରେ ସମଗ୍ର ବଡ଼ଦାଣ୍ଡ ପ୍ରକମ୍ପିତ ହୋଇ ଉଠିଥିଲା । ରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ଯବସ୍ଥା କରାଯାଇଥିଲା ।
ପୁରୀ ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )