October 26, 2026
Home » ୬ ମାସ ପରେ ଧରା ପଡ଼ିଲେ ଫେରାର ବରିଷ୍ଠ ସହାୟକ

୬ ମାସ ପରେ ଧରା ପଡ଼ିଲେ ଫେରାର ବରିଷ୍ଠ ସହାୟକ

0
WhatsApp Image 2026-10-26 at 2.06.56 PM

୨.୬୦ କୋଟି ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗ….

ଓଡ଼ିଶା ସରକାରଙ୍କ ପାଣ୍ଠି ୨.୬୦ କୋଟିରୁ ଊର୍ଦ୍ଧ୍ଵ ଟଙ୍କା ହଡପ କରିବା ଅଭିଯୋଗରେ ରବିବାର ନୂଆପଡ଼ା ଜିଲା ସୁନାବେଡା ବନ୍ୟପ୍ରାଣୀ ବନଖଣ୍ଡ କାର୍ଯ୍ୟାଳୟର ବରିଷ୍ଠ ସହାୟକ ତଥା ପ୍ରତିଷ୍ଠାନ ଶାଖା ଦାୟିତ୍ଵରେ ଥିବା ବବଲୁ ସୁନାଙ୍କୁ ସ୍ବତନ୍ତ୍ର ଭିଜିଲାନ୍ସ ଟିମ୍ ଗିରଫ କରିଛି । ତାଙ୍କୁ ଭବାନୀପାଟଣା ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟକୁ ପଠାଯାଇଛି। ସେଠାରେ ଜାମିନ ନ ମିଳିବାରୁ ସୁନାଙ୍କୁ ଜେଲ ଯିବାକୁ ପଡିଛି। ଗତ ୬ ମାସ ଧରି ଫେରାର ଥିବା ବବଲୁ ଶନିବାର ରାତିରେ ବଲାଙ୍ଗୀରରେ ଭିଜିଲାନ୍ସ ଟିମ୍ ହାତରେ ଧରାପଡ଼ିଥିଲେ।
ବନଖଣ୍ଡ ସୂଚନା ଅନୁଯାୟୀ ସୁନାବେଡ଼ା ବନ୍ୟପ୍ରାଣୀ କାର୍ଯ୍ୟାଳୟରେ ବିଭାଗୀୟ ଅବସରପ୍ରାପ୍ତ, ମୃତ ଅଧିକାରୀ ଓ କର୍ମଚାରୀଙ୍କ ନାଁରେ ଜାଲିଆତି କରି ପ୍ରାୟ ୨.୬୦ କୋଟିରୁ ଉର୍ଦୁ ସରକାରୀ ଟଙ୍କା ଆତ୍ମସାତ ହୋଇଥିଲା। ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗରୁ ସୁନାବେଡା ବନ୍ୟପ୍ରାଣୀ ବନଖଣ୍ଡ କାର୍ଯ୍ୟାଳୟକୁ ମିଥ୍ୟା ଚିଠି ପଠାଇ ବବଲୁ ଅନୁଦାନ ରାଶି ଆତ୍ମସାତ କରିଥିଲେ। ଗତ ଫେବୃଆରୀରେ ଖରିଆର ରୋଡ ଓଭରସିଜ ବ୍ୟାଙ୍କରେ ଅବସରପ୍ରାପ୍ତ ରେଞ୍ଜର ଦିଲୀପ ଚମ୍ପତିରାୟଙ୍କ ନାଁରେ ୧୮ ଲକ୍ଷ ୮୭ ହଜାର ଟଙ୍କା ଉଠାଣ କରିବାକୁ ଉଦ୍ୟମ କରିଥିଲେ। କିନ୍ତୁ ଉକ୍ତ ବ୍ୟାଙ୍କର ମ୍ୟାନେଜରଙ୍କ ସନ୍ଦେହ ହେବାରୁ ଟଙ୍କା ଦେଇ ନ ଥିଲେ। ଗତ ମାର୍ଚ୍ଚରେ ବ୍ୟାଙ୍କ ମ୍ୟାନେଜରଙ୍କ ଚିଠି ପାଇ ଚମ୍ପତିରାୟ ବ୍ୟାଙ୍କରେ ପହଞ୍ଚିବାରୁ ସବୁ ଜାଲିଆତିର ଗୁମର ଖୋଲିଥିଲା। ଜୁନ୍ ୨ରେ ସୁନାବେଡା ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ (ଡିଏଫ୍‌ଓ) ସମୀର ସାହୁଙ୍କ ନିର୍ଦ୍ଦେଶକ୍ରମେ ନୂଆପଡ଼ା ଏସିଏଫ୍ ଅଜୟ ଖେସ୍ ଓ ସୁନାବେଡା ଏସିଏଫ୍ ସଞ୍ଜୀବ ବନଗୋଳାଙ୍କ ନେତୃତ୍ୱରେ ୨ଟି ଟିମ୍ ୩ ମାସ ଧରି ଘଟଣାର ତଦନ୍ତ କରିଥିଲେ। ଜୁନ ୨୧ରେ ନୂଆପଡ଼ା ସାଇବର ଥାନାରେ ମାମଲା ରୁଜୁ ହୋଇଥିଲା।

ନୂଆପଡ଼ା ଭିଜିଲାନ୍ସ ଟିମ୍ ବନ୍ୟପ୍ରାଣୀ ବନଖଣ୍ଡ କାର୍ଯ୍ୟାଳୟରୁ ଫାଇଲ ଜବତ କରି ତଦନ୍ତ ଆରମ୍ଭ କରିଥିଲା। ସରକାରୀ ଅର୍ଥ ଆତ୍ମସାତ ଘଟଣାରେ ସମ୍ପୃକ୍ତି ଜଣାପଡ଼ିବାରୁ ସୁନା ମେ ମାସରୁ ଫେରାର୍ ହୋଇଥିଲେ। ଘଟଣା ସମ୍ପର୍କରେ ବିଭିନ୍ନ ଦିଗକୁ ନେଇ ତଦନ୍ତ ଜାରି ରହିଥିଲା। କେତେ ଜଣଙ୍କ କେତେ ଟଙ୍କା ଆତ୍ମସାତ ହୋଇଛି ସ୍ପଷ୍ଟ ଜଣାପଡି ନ ଥିଲା। ତେବେ ଧରାପଡ଼ିବା ପରେ ଅଧିକ ପଚରାଉଚରା କରାଯାଇଥିବା ସୂଚନା ମିଳିଛି।
ଭିଜିଲାନ୍ସ ତଦନ୍ତରୁ ଜଣାପଡିଛି, ସୁନା ମୋଡିଫାଏଡ ଆର୍ସୁଡଲ କ୍ୟାରିଅର ପ୍ରୋଗ୍ରେସନ (ଏସ୍ଏସିପି) ଓ ରିଭାଇଜ୍‌ଡ ଆକ୍ୟୁର୍ଡ କ୍ୟାରିଅର ପ୍ରୋଗ୍ରେସନ (ଆର୍‌ଏସିପି) ଯୋଜନା ଅଧୀନରେ ଠକେଇ, ମିଥ୍ୟା ବିଲ୍ ତିଆରି କରି ତାଙ୍କ ପଦବୀର ଅପବ୍ୟବହାର କରିଥିଲେ। ପୂର୍ବତନ, ଅବସରପ୍ରାପ୍ତ ଏବଂ ମୃତ ଅଧିକାରୀ ଓ କର୍ମଚାରୀଙ୍କ ପରିଚୟପତ୍ର ବ୍ୟବହାର କରି ସେ ସାର୍ବଜନୀନ ପାଣ୍ଠିକୁ ତାଙ୍କ ପତ୍ନୀ, ଭାଇ, ଭଉଣୀ ଓ ୨ ସହଯୋଗୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଇଥିଲେ। ସେ ପୂର୍ବରୁ ୧୦.୫୮ ଲକ୍ଷ ଟଙ୍କାରୁ ଉର୍ଦ୍ଧ ଦରମା ଉଠାଇଛନ୍ତି । ୨୦୨୩ ମସିହାରୁ ସେ ମୋଟ ୨ କୋଟି ୬୦ ଲକ୍ଷ ୨୧ ହଜାର ୩୦୬ ଟଙ୍କା ଆତ୍ମସାତ କରିଛନ୍ତି। ତାଙ୍କ ବିରୋଧରେ ଦୁର୍ନୀତି ନିବାରଣ ଆଇନ ଏବଂ ଭାରତୀୟ ନ୍ୟାୟ ସଂହିତା (ବିଏନ୍‌ଏସ୍)ର ପ୍ରାସଙ୍ଗିକ ଧାରା ଅନୁଯାୟୀ ୨ଟି ମାମଲା କୋରାପୁଟ ଭିଜିଲାନ୍ସ ପିଏସ୍ କେସ ନଂ. ୨୪/୨୦୨୬ ଓ ୨୫/୨୦୨୬ ରୁଜୁ କରାଯାଇଛି। ଏହି ଘଟଣାରେ ଅଧିକ ତଦନ୍ତ ଚାଲିଛି ବୋଲି ଭିଜିଲାନ୍ସ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…

Leave a Reply

Your email address will not be published. Required fields are marked *