୭୬ତମ ସାଧାରଣତନ୍ତ୍ର ଦିବସ ମହାସମାରୋହ ପାଳିତ

ମାଲକାନଗିରି ଜିଲ୍ଲା ସଦର ମହକୁମା ସ୍ଥିତ ଡି.ଏନ.କେ ଖେଳ ପଡିଆ ଠାରେ ୭୬ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ମାଲକାନଗିରି ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଆଶିଷ ଇଶ୍ବର ପାଟିଲ୍ ଭା.ପ୍ର.ସେ.ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଜିଲ୍ଳାସ୍ତରୀୟ ଏହି ଉତ୍ସବ କର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ଗୋକୁଳାନନ୍ଦ ମଲ୍ଲିକ, ମାନ୍ୟବର ରାଷ୍ଟ୍ର ମନ୍ତ୍ରୀ ,(ସ୍ବାଧୀନ) ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ, ଓଡିଶା ସରକାର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏଥିସହ ପୋଲିସ, ଏନ.ସି.ସି, ସ୍କୁଲ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ପ୍ରଦର୍ଶିତ ପ୍ୟାରେଡ ଏବଂ ପ୍ରଜ୍ଞାପନ ମେଢ଼ ସମ୍ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିବା ସହ ସମବେତ ଜନସାଧାରଣଙ୍କୁ ସମ୍ବୋଧିତ କରିଥିଲେ ।
ମନ୍ତ୍ରୀ ଶ୍ରୀ ମଲ୍ଲିକ ସମସ୍ତ ଜିଲ୍ଲାବାସୀ ଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହିତ ସମ୍ବିଧାନ ସଭାର ଅଧ୍ୟକ୍ଷ ଏବଂ ସମସ୍ତ ସଦସ୍ୟଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ। ୭୫ ବର୍ଷ ତଳେ ଏହି ଦିବସରେ ସମ୍ବିଧାନ ପ୍ରଣୟନ ହୋଇଥିଲା। ସମ୍ବିଧାନରେ ଭାରତକୁ ଏକ ଗଣତାନ୍ତ୍ରିକ , ଧର୍ମନିରପେକ୍ଷ, ସମାଜବାଦୀ, ସାଧାରଣତନ୍ତ୍ର ରାଷ୍ଟ୍ର ଭାବେ ଗ୍ରହଣ କରିବା ସଙ୍ଗେ ସଙ୍ଗେ ପ୍ରତ୍ୟେକ ନାଗରିକଙ୍କୁ ସାମାଜିକ, ଅର୍ଥନୈତିକ ଓ ରାଜନୈତିକ କ୍ଷେତ୍ରରେ ସମାନ ସୁବିଧା ସୁଯୋଗ ଯୋଗାଇ ଦେବାର ବ୍ୟବସ୍ଥା ରହିଛି ବୋଲି ମନ୍ତ୍ରୀ ଶ୍ରୀଯୁକ୍ତ ମଲ୍ଲିକ ପ୍ରକାଶ କରିଥିଲେ।
ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଆଦିମ ଜନଜାତି ଅଧ୍ୟୁଷିତ ଏହି ମାଲକାନଗିରି ଜିଲ୍ଲା ସମଗ୍ର ଓଡ଼ିଶା ରେ ସ୍ଵତନ୍ତ୍ର ସ୍ଥାନ ଅଧିକାର କରିଛି। ମାଲକାନଗିରି ହେଉଛି ବୀରଙ୍କ ମାଟି। ଏହି ପବିତ୍ର ମାଟି ରେ ଲକ୍ଷ୍ମଣ ନାୟକଙ୍କ ସମେତ ଅନେକ ସ୍ଵାଧୀନତା ସଂଗ୍ରାମୀ ଜନ୍ମ ଗ୍ରହଣ କରିଛନ୍ତି । ଯେଉଁମାନେ କି ସ୍ଵାଧୀନତା ସଂଗ୍ରାମରେ ଝାସ ଦେଇ ଦେଶ ମାତୃକା ର ଟେକ ରଖିଛନ୍ତି । ସେହିଭଳି ମନ୍ତ୍ରୀ ଶ୍ରୀଯୁକ୍ତ ମଲ୍ଲିକ ପାରମ୍ପରିକ ଆବାସସ୍ଥଳୀ ଉପରେ ଗୋଷ୍ଠୀଗତ ଅଧିକାରରେ ମାଲକାନଗିରି ଜିଲ୍ଲାରେ ପ୍ରଥମ ଥର ପାଇଁ ବଣ୍ଡା ସମ୍ପ୍ରଦାୟର ବିଶେଷ ଭାବରେ ଆଦିମ ଜନଜାତି ସମୁଦାୟ ( ପି ଭି ଟି ଜି) ଙ୍କୁ ଦିଆଯାଇଛି ବୋଲି ପ୍ରକାଶ କରିଥିଲେ। ସେ ଆହୁରି ମଧ୍ୟ କହିଥିଲେ ଯେ ଗ୍ରାମସଭା ମାଧ୍ୟମରେ ସମୁଦାୟ ୯୫୮ ଟି ଜଙ୍ଗଲ ଅଧିକାର କମିଟି ଗଠନ କରାଯାଇଛି। ଜଙ୍ଗଲ ଅଧିକାର ଆଇନ, ୨୦୦୬ ଅଧିନରେ ମାଲକାନଗିରି ଜିଲ୍ଲାର ୩୭୧୦୨ ଜଣଙ୍କୁ ବ୍ୟକ୍ତିଗତ ଏଫ ଆର ଏ ପଟ୍ଟା, ୧୯୨ ଜଣଙ୍କୁ ଗୋଷ୍ଠୀ ଅଧିକାର ପଟ୍ଟା ଓ ୧୧୮ ଜଣଙ୍କୁ ଗୋଷ୍ଠୀ ସମ୍ପଦ ଅଧିକାର ପଟ୍ଟା ହସ୍ତାନ୍ତର କରାଯାଇଛି।
ସେହିଭଳି ସରକାରଙ୍କ ବିଭିନ୍ନ ଜନ ହିତକର ଯୋଜନା ଏବଂ ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ଅର୍ନ୍ତଗତ ବିଭିନ୍ନ ଯୋଜନା ଉପରେ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ମଲ୍ଲିକ ନିଜ ଅଭିଭାଷଣ ମାଧ୍ୟମରେ ଆଲୋକପାତ କରିଥିଲେ।
ଅନ୍ୟ ମାନଙ୍କ ମଧ୍ୟରେ ମାଲକାନଗିରି ବିଧାୟକ ନରସିଂହ ମାଡକାମୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରୀ ତାଙ୍ଗୁଲ, ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ବେଦବର ପ୍ରଧାନ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ନରେଶ ଚନ୍ଦ୍ର ଶବର ଓ ସଦର ଉପଜିଲ୍ଲାପାଳ ଦୁର୍ଯ୍ୟଧନ ଭୋଇ ଉପସ୍ଥିତ ଥିଲେ।ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରମିଳା ମାଝୀ ଓ ସରୋଜ ପଟ୍ଟନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ପ୍ୟାରେଡରେ ସମୁଦାୟ ୩୦ ଗୋଟି ଦଳ ଭାଗ ନେଇଥିଲେ। ପ୍ୟାରେଡକୁ ପୋଲିସ ଆରଆଇ ସତ୍ୟପ୍ରିୟ ବିଶ୍ଵାଳ ନେତୃତ୍ୱ ନେଇଥିବା ବେଳେ ସେକେଣ୍ଡ ଇନ୍ କମାଣ୍ଡ ଭାବେ ଏସଆଇ ତ୍ରିଲୋଚନ ସେଠୀ ଥିଲେ। ପ୍ୟାରେଡରେ ବିଚାରକ ଭାବେ ସହାୟକ ଜିଲ୍ଲାପାଳ ତଥା ଅବସପ୍ରାପ୍ତ ନୌସେନା କର୍ମଚାରୀ ଅଜୟ ମାଣ୍ଡାଙ୍ଗି, ଡିଏସପି ଓନମ ଲାକ୍ରା ଓ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ହେମନ୍ତ କୁମାର ଦାସ ଯୋଗ ଦେଇଥିଲେ।
ସାଧାରଣତନ୍ତ୍ର ଦିବସ ପାଳନ ଏହି ଅବସରରେ ରବିବାର ଦିନ ପ୍ରାତଃ ୦୫ ଘଟିକା ସମୟରେ ରାମଧୂନ୍ ଓ ପ୍ରଭାତ ଫେରୀ,ସକାଳ ଘ.୦୭.୦୦ ମି ସମୟରେ ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ମାନଙ୍କରେ ଜାତୀୟ ପତାକା ଉତ୍ତୋଳନ ହୋଇଥିଲା । ସହରରେ ଥିବା ମହାପୁରୁଷମାନଙ୍କ ପ୍ରତିମୂର୍ତ୍ତିରେ ମୁଖ୍ୟ ଅତିଥିଙ୍କ ଦ୍ଵାରା ମାଲ୍ୟାର୍ପଣ କରାଯାଇଥିଲା । ତାପରେ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରୀ/ ଛାତ୍ରମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ମୁଖ୍ୟ ଅତିଥିଙ୍କ ଦ୍ଵାରା ଉତ୍ତମ କାର୍ଯ୍ୟ ସମ୍ପାଦନ କରିଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ବ ସମ୍ଭର୍ଦ୍ଧିତ କରାଯାଇଥିଲା । ଏଥିସହ ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିବା କୃତି ଛାତ୍ରୀଛାତ୍ର ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ତାପରେ ମୁଖ୍ୟ ଅତିଥି ଶିଶୁ ଯତ୍ନ କେନ୍ଦ୍ରରେ ମିଷ୍ଟାନ୍ନ ବଣ୍ଟନ କରିଥିଲେ । ସାଧାରଣତନ୍ତ୍ର ଦିବସ ୨୦୨୫ କାର୍ଯ୍ୟକ୍ରମ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ବିଭାଗ, ମାଲକାନଗିରି ସୌଜନ୍ଯତା ଅତି ସୁରୁଖୁରୁରେ ଅନୁଷ୍ଠିତ ହୋଇଯାଇଛି।
ରିପୋର୍ଟ: ମାଲକାନଗିରି ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ