୮୦ ବର୍ଷରୁ ଉର୍ଦ୍ଧ୍ୱ ବୟସ ବର୍ଗରେ ଚମକିଲେ କଳାହାଣ୍ଡିଆ….
ନେପାଳ ଏସବିକେଏଫ ଅନ୍ତର୍ଜାତୀୟ କ୍ରୀଡ଼ା ରେ ଦୁର୍ଗା ମିଶ୍ର ପାଇଲେ ୩ ଟି ସ୍ୱର୍ଣ୍ଣ ପଦକ।
ଭବାନୀପାଟଣା : ସ୍ଥାନୀୟ ମନ୍ଦାର ବଗିଚା ପଡ଼ା ନିବାସୀ ଅବସର ପ୍ରାପ୍ତ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଦୁର୍ଗା ଚରଣ ମିଶ୍ର ନେପାଳର ପୋଖରା ଠାରେ ସଂଯୁକ୍ତ ଭାରତୀୟ ଖେଳ ଫେଡେରେସନ ଦ୍ୱାରା ଜୁଲାଇ ୨୩ ରୁ ୨୭ ତାରିଖ ଯାଏଁ ଅନୁଷ୍ଠିତ ଏସବିକେଏଫ୍ ଅନ୍ତର୍ଜାତୀୟ କ୍ରୀଡ଼ାରେ ତିନୋଟି ସ୍ୱର୍ଣ୍ଣ ପଦକ ବିଜେତା ହୋଇଛନ୍ତି। ୮୦ ବର୍ଷରୁ ଉର୍ଦ୍ଧ୍ୱ ବୟସ ବର୍ଗରେ ସେ ସଟପୁଟ, ଡିସକସ ଥ୍ରୋ ଓ ଜାଭେଲିନ ଥ୍ରୋ ରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି।

ଏହି ଅନ୍ତର୍ଜାତୀୟ କ୍ରୀଡ଼ାରେ ଭାରତ, ଶ୍ରୀଲଙ୍କା ଓ ନେପାଳର ୩ ଶହ ଭେଟେରାନ ଖେଳାଳି ଅଂଶ ଗ୍ରହଣ କରିଥିଲେ। ଏଠାରେ ସୂଚନା ଯୋଗ୍ୟ ଯେ ଶ୍ରୀ ମିଶ୍ର ଉଭୟ ଫୁଟବଲ୍ ଓ ଭଲିବଲର ଦକ୍ଷ ଖେଳାଳି ସହ ଜଣେ ଶ୍ରେଷ୍ଠ କ୍ରୀଡ଼ାବିତ୍ ଥିଲେ। ଯୁବକ ଅବସ୍ଥାରେ ସେ ଓଡ଼ିଶା ଫୁଟବଲ ଓ ଭଲିବଲ୍ ଅଧିନାୟକ ଥିଲେ। ଅବସର ପରେ ଶ୍ରୀ ମିଶ୍ର ଭେଟେରାନ କ୍ରୀଡ଼ାବିତ୍ ଭାବରେ ବିଦେଶରେ ଅନେକ ମାଷ୍ଟର୍ସ ଗେମ୍ ରେ ଅଂଶ ଗ୍ରହଣ କରି ଅନେକ ପଦକ ହାସଲ କରିଛନ୍ତି। ତାଙ୍କର ଏହି ସଫଳତା ପାଇଁ ଜିଲ୍ଲାବ୍ୟାପୀ ଖୁସିର ଲହରୀ ଖେଳିଯାଇଛି। ଜିଲ୍ଲା କ୍ରୀଡା ସଂସ୍ଥାର ସାଧାରଣ ସଂପାଦକ ଜଗମୋହନ ପଟ୍ଟନାୟକ, ବ୍ରାହ୍ମଣ ସମାଜ କଳାହାଣ୍ଡି ସମେତ ଜିଲ୍ଲାର ବହୁ କ୍ରୀଡ଼ାବିତ୍ ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।
ବିଦ୍ୟାଧର ସାହୁଙ୍କ ରିପୋର୍ଟ….
