ଅନ୍ତର୍ଜାତୀୟ ଯୁବ ମହୋତ୍ସବ ୨୦୨୬
ରୁଷିଆରେ ଭାରତକୁ ପ୍ରତିନିଧିତ୍ୱ କରିବେ କଳାହାଣ୍ଡିର ଶୁଭଲକ୍ଷ୍ମୀ ଦାସ।
ରୁଷିଆର ଏକାଟେରିନବର୍ଗ ସହରରେ ଆୟୋଜିତ ହେବାକୁ ଥିବା ପ୍ରସିଦ୍ଧ ‘ଅନ୍ତର୍ଜାତୀୟ ଯୁବ ମହୋତ୍ସବ–୨୦୨୬’ରେ ଭାରତର ପ୍ରତିନିଧିତ୍ୱ କରିବା ପାଇଁ ଭାରତୀୟ ଯୁବ ପ୍ରତିନିଧି ଶୁଭଲକ୍ଷ୍ମୀ ଦାସ ଙ୍କୁ ଆନୁଷ୍ଠାନିକ ଭାବେ ଆମନ୍ତ୍ରଣ କରାଯାଇଛି। ଆସନ୍ତା ସେପ୍ଟେମ୍ବର ୧୧ ସେପ୍ଟେମ୍ବର ରୁ ୧୭ ତାରିଖ ପର୍ଯ୍ୟନ୍ତ ଏହି ମହୋତ୍ସବ ଅନୁଷ୍ଠିତ ହେବ। ବିଶ୍ୱ ଯୁବ ମହୋତ୍ସବ ନିର୍ଦ୍ଦେଶାଳୟ ପକ୍ଷରୁ ସମ୍ପୂର୍ଣ୍ଣ ପ୍ରାୟୋଜିତ ଏହି ମହୋତ୍ସବରେ
ବିଶ୍ୱର ୧୯୧ଟି ଦେଶରୁ ୧୦,୦୦୦ ଯୁବ ପ୍ରତିନିଧିଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।୧ ଲକ୍ଷ ୧୩ ହଜାରରୁ ଅଧିକ ଆବେଦନକାରୀଙ୍କ ମଧ୍ୟରୁ ଶୁଭଲକ୍ଷ୍ମୀ ଦାଶ ମନୋନୀତ ହୋଇଛନ୍ତି।ଏହି ସମାବେଶରେ ଶୁଭଲକ୍ଷ୍ମୀ ‘ପ୍ରଗତି’ ନାମକ ଏକ ସ୍ୱତନ୍ତ୍ର ପ୍ରକଳ୍ପ ସମ୍ପର୍କରେ ଉପସ୍ଥାପନ କରିବେ। ଭାରତ ଓ ରୁଷିଆ ମଧ୍ୟରେ ଯୁବ ସଂପୃକ୍ତି, ସାଂସ୍କୃତିକ ଆଦାନପ୍ରଦାନ ଏବଂ ଲୋକ-ଲୋକ ସମ୍ପର୍କକୁ ସୁଦୃଢ଼ କରିବା ଏହି ପ୍ରକଳ୍ପର ମୁଖ୍ୟ ଲକ୍ଷ୍ୟ। ଯୁବ କୂଟନୀତି କିପରି ପାରମ୍ପରିକ କୂଟନୈତିକ ସମ୍ପର୍କକୁ ପୂରକ ଭାବେ ସହଯୋଗ କରିପାରିବ, ସେ ନେଇ ସେ ଏକ ନୂଆ ଦିଗ ଦେଖାଇବେ।“ମୁଁ ଏହି ସୁଯୋଗକୁ କେବଳ ଏକ ଦେଶର ପ୍ରତିନିଧିତ୍ୱ ଭାବେ ନୁହେଁ, ବରଂ ଏଭଳି ଏକ ପିଢ଼ିର ପ୍ରତିନିଧିତ୍ୱ ଭାବେ ଦେଖୁଛି, ଯିଏ ବିଶ୍ୱାସ କରେ ଯେ ଆଲୋଚନା, ସଂସ୍କୃତି ଓ ପରସ୍ପର ବୁଝାମଣା ଦେଶଗୁଡ଼ିକୁ ନିକଟତର କରିପାରେ। ‘ପ୍ରଗତି’ ମାଧ୍ୟମରେ ଯୁବପିଢ଼ି କିପରି ଦୁଇଟି ଦେଶ ମଧ୍ୟରେ ଏକ ସାର୍ଥକ ସେତୁ ଭାବେ କାର୍ଯ୍ୟ କରିପାରିବ, ତାହା ଦେଖାଇବା ମୋର ଉଦ୍ଦେଶ୍ୟ।”ବୋଲି ଶୁଭଲକ୍ଷ୍ମୀ ଗଣ ମାଧ୍ୟମକୁ ପ୍ରକାଶ କରିଛନ୍ତି।ଏହି କାର୍ଯ୍ୟକ୍ରମ ଏକାଟେରିନବର୍ଗ-ଏକ୍ସପୋରେ ଅନୁଷ୍ଠିତ ହେବ, ଯେଉଁଥିରେ ପ୍ରଶାସନ, ଶିକ୍ଷା, ବିଜ୍ଞାନ, କଳା, ଉଦ୍ୟୋଗ ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରର ଯୁବ ନେତାମାନେ ଏକାଠି ହେବେ। ଜିଲ୍ଲାସ୍ତରରୁ ଆରମ୍ଭ ହୋଇ ଆଜି ବିଶ୍ୱ ମଞ୍ଚରେ ଭାରତର ପ୍ରତିନିଧିତ୍ୱ କରିବା ଶୁଭଲକ୍ଷ୍ମୀଙ୍କ ପାଇଁ ଏକ ଅତ୍ୟନ୍ତ ଉଲ୍ଲେଖନୀୟ ସଫଳତା।
ବିଦ୍ୟାଧର ସାହୁଙ୍କ ରିପୋର୍ଟ….
