September 7, 2026
Home » ଅବସରପ୍ରାପ୍ତ ସାମ୍ବାଦିକଙ୍କ ପାଇଁ ଶୀଘ୍ର ପେନସନ୍ ଯୋଜନା ଦାବି

ଅବସରପ୍ରାପ୍ତ ସାମ୍ବାଦିକଙ୍କ ପାଇଁ ଶୀଘ୍ର ପେନସନ୍ ଯୋଜନା ଦାବି

0
WhatsApp Image 2026-09-07 at 5.56.10 PM

ବ୍ରହ୍ମପୁର, : (ନରସିଂହ ଡାକୁଆ) ରାଜ୍ୟର ଅବସରପ୍ରାପ୍ତ ଓ ଅବସର ନେବାକୁ ଥିବା ସାମ୍ବାଦିକମାନଙ୍କ ପାଇଁ ତୁରନ୍ତ ପେନସନ୍ ଯୋଜନା ଲାଗୁ କରିବାକୁ ସିନିୟର ଜର୍ନାଲିଷ୍ଟସ୍ ଆସୋସିଏସନ୍ ଅଫ୍ ଓଡ଼ିଶା (SJAO) ପୁଣିଥରେ ଦାବି କରିଛି। ଏଥିସହ ଓଡ଼ିଶା ହାଇକୋର୍ଟଙ୍କ ଅନୁକୂଳ ନିର୍ଦ୍ଦେଶ ଅନୁଯାୟୀ ଆଉ ବିଳମ୍ବ ନକରି ଆବଶ୍ୟକ ପଦକ୍ଷେପ ନେବାକୁ ରାଜ୍ୟ ସରକାରଙ୍କୁ ସଂଘ ଅନୁରୋଧ କରିଛି।
ଦେଶର ପ୍ରାୟ ୧୯ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଅବସରପ୍ରାପ୍ତ ଗଣମାଧ୍ୟମ କର୍ମୀଙ୍କ ପାଇଁ ପେନସନ୍ ଯୋଜନା କିମ୍ବା ଅନୁରୂପ ଆର୍ଥିକ ସହାୟତା ପ୍ରଚଳିତ ରହିଛି। ଦୀର୍ଘ ବର୍ଷ ଧରି ସେବା ପ୍ରଦାନ କରିଥିବା ସାମ୍ବାଦିକମାନଙ୍କ ଅବସର ପରବର୍ତ୍ତୀ ସାମାଜିକ ସୁରକ୍ଷାର ଆବଶ୍ୟକତାକୁ ସ୍ୱୀକାର କରି ଏହି ବ୍ୟବସ୍ଥା କରାଯାଇଛି। ତେବେ ଓଡ଼ିଶାରେ ଏଯାବତ୍ ସାମ୍ବାଦିକମାନଙ୍କ ପାଇଁ ସ୍ୱତନ୍ତ୍ର ଅବସରକାଳୀନ ପେନସନ୍ ଯୋଜନା ଲାଗୁ ହୋଇନାହିଁ।
SJAO ସଭାପତି କାହ୍ନୁ ଚରଣ ନନ୍ଦ କହିଛନ୍ତି ଯେ, ସାମ୍ବାଦିକମାନେ ନିଜ ଜୀବନର ଉତ୍ପାଦନଶୀଳ ସମୟକୁ ଜନସାଧାରଣଙ୍କୁ ସୂଚନା ପ୍ରଦାନ, ନାଗରିକ ସମସ୍ୟାକୁ ସାମ୍ନାକୁ ଆଣିବା ଏବଂ ଗଣତାନ୍ତ୍ରିକ ଅନୁଷ୍ଠାନକୁ ସୁଦୃଢ଼ କରିବାରେ ନିୟୋଜିତ କରିଥାନ୍ତି। ଅବସର ପରେ ସେମାନଙ୍କୁ ଆର୍ଥିକ ଅନିଶ୍ଚିତତା ମଧ୍ୟରେ ଛାଡ଼ି ଦିଆଯିବା ଉଚିତ ନୁହେଁ।
୨୦୨୨ ମସିହାରୁ ଏହି ଦାବି ନେଇ ସଂଘ ରାଜ୍ୟ ସରକାରଙ୍କ ସହ ଆଲୋଚନା ଓ ଯୋଗାଯୋଗ ଜାରି ରଖିଥିବା ବେଳେ ପରେ ବରିଷ୍ଠ ସାମ୍ବାଦିକମାନଙ୍କୁ ପେନସନ୍ ସୁବିଧା ପ୍ରଦାନ ପାଇଁ ଓଡ଼ିଶା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ଚଳିତ ବର୍ଷ ଜୁନ୍ ମାସରେ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ତିନି ମାସ ମଧ୍ୟରେ ଏ ସମ୍ପର୍କରେ ନୀତିଗତ ନିଷ୍ପତ୍ତି ନେବାକୁ କହିଥିଲେ। ୬୦ ବର୍ଷ ଓ ତଦୁର୍ଦ୍ଧ୍ୱ ବୟସର ସାମ୍ବାଦିକମାନଙ୍କୁ ମାସିକ ପେନସନ୍ ପ୍ରଦାନ ନେଇ ପ୍ରସ୍ତାବ ସରକାରଙ୍କ ସକ୍ରିୟ ବିଚାରାଧୀନ ଥିବା ହାଇକୋର୍ଟ ଦର୍ଶାଇଥିଲେ ବୋଲି କାହ୍ନୁ ଚରଣ ନନ୍ଦ କହିଛନ୍ତି।
ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ SJAO ସୂଚନା ଓ ଲୋକସମ୍ପର୍କ ବିଭାଗକୁ ଆବଶ୍ୟକ ପ୍ରଶାସନିକ ପ୍ରକ୍ରିୟା ଆରମ୍ଭ କରିବା ସହ ଯୋଗ୍ୟ ଅବସରପ୍ରାପ୍ତ ସାମ୍ବାଦିକମାନଙ୍କୁ ଏହି ସୁବିଧା ପ୍ରଦାନ ପାଇଁ ଏକ ବ୍ୟବସ୍ଥା ପ୍ରସ୍ତୁତ କରିବାକୁ ଦାବି କରିଛି।
ଏହି ଦାବି କେବଳ ଆର୍ଥିକ ସହାୟତା ପାଇଁ ନୁହେଁ, ବରଂ ଜନସ୍ୱାର୍ଥ ଓ ଗଣତନ୍ତ୍ରର ସୁଚାରୁ କାର୍ଯ୍ୟକାରିତା ପାଇଁ ନିଜର କର୍ମଜୀବନ ଉତ୍ସର୍ଗ କରିଥିବା ସାମ୍ବାଦିକମାନଙ୍କ ପ୍ରତି ସମ୍ମାନ, ମର୍ଯ୍ୟାଦା ଓ ସାମାଜିକ ସୁରକ୍ଷାର ପ୍ରଶ୍ନ ବୋଲି ସଂଘ କହିଛି।
ବ୍ରହ୍ମପୁର ଠାରେ ଆୟୋଜିତ ସଭାରେ ସୁନୀଲ ମୋହନ ପଟ୍ଟନାୟକ ସଭାପତିତ୍ୱ କରିଥିଲେ। କେନ୍ଦ୍ରୀୟ ନେତୃତ୍ୱ ମଧ୍ୟରେ ଉପସଭାପତି ପ୍ରଦୀପ୍ତ ଚୌଧୁରୀ, ଉପଦେଷ୍ଟା ଦେବେନ୍ଦ୍ର ସିଂହ, କାର୍ଯ୍ୟକାରୀ ସଦସ୍ୟା ଦୀପ୍ତିମୟୀ କର, ସାଧାରଣ ସମ୍ପାଦକ ଆଶୁତୋଷ ବେହେରା, ସଂଗଠନ ସମ୍ପାଦକ ବିପ୍ଳବ ମହାନ୍ତି, ଶରତ ବେହେରା, ଅଜିତ ପଣ୍ଡା, ରବି ନାରାୟଣ ମିଶ୍ର, ଜ୍ୟୋତିରଞ୍ଜନ ଦାସ, ଗରୁଡ଼ଧ୍ୱଜ ଚୌଧୁରୀ, ସ୍ୱରୂପ ଦାସ ପ୍ରମୁଖ ଉଦ୍‌ବୋଧନ ଦେଇଥିଲେ। ପାଞ୍ଚଟି ଜିଲ୍ଲାରୁ ବରିଷ୍ଠ ସାମ୍ବାଦିକମାନେ ଏହି ବୈଠକରେ ଯୋଗ ଦେଇଥିଲେ।
ପ୍ରଶାନ୍ତ କୁମାର ଦାସ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ଅଭୟ କୁମାର ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ। ଅନୀଲ ପାଢ଼ୀ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ।
ଅବସରପ୍ରାପ୍ତ ସାମ୍ବାଦିକମାନଙ୍କ ପାଇଁ ପେନସନ୍ ଯୋଜନା ଶୀଘ୍ର ଲାଗୁ କରିବା ଦିଗରେ ରାଜ୍ୟ ସରକାର ସକାରାତ୍ମକ ପଦକ୍ଷେପ ନେବେ ବୋଲି SJAO ପ୍ରତିନିଧିମାନେ ଆଶା ପ୍ରକାଶ କରିଛନ୍ତି।
ଓଡ଼ିଶାର ଅବସରପ୍ରାପ୍ତ ସାମ୍ବାଦିକମାନଙ୍କ ପାଇଁ ଏକ ପ୍ରଭାବୀ ସାମାଜିକ ସୁରକ୍ଷା ବ୍ୟବସ୍ଥା ପ୍ରତିଷ୍ଠା ନହେବା ପର୍ଯ୍ୟନ୍ତ ଏହି ଦାବି ଜାରି ରଖିବ ବୋଲି ସଂଘ ସ୍ପଷ୍ଟ କରିଛି।

Leave a Reply

Your email address will not be published. Required fields are marked *