ଅସହାୟଙ୍କୁ ସହାୟ ହେଲା କେନ୍ଦ୍ରାପଡ଼ା କ୍ରେଡିଟ କୋ-ଅପରେଟିଭ, ଅଢଙ୍ଗା ଅନାଥ ନାବାଳିକା ମାମଲା
ଡେରାବିଶ: ଡେରାବିଶ ବ୍ଲକ ଇନ୍ଦାଳୋ ପଞ୍ଚାୟତ ଅଢଙ୍ଗା ଗ୍ରାମର ଅସହାୟ ଚର୍ଚ୍ଚିତ ନାବାଳିକା ମାମଲାରେ ପୂର୍ଣ୍ଣଛେଦ ପଡ଼ିବାକୁ ଯାଉଛି। କେନ୍ଦ୍ରାପଡ଼ା କ୍ରେଡିଟ କୋ-ଅପରେଟିଭ ସୋସାଇଟି ପକ୍ଷରୁ ଏହି ମାମଲାରେ ହସ୍ତକ୍ଷେପ କରାଯାଇଥିବା ବେଳେ ୨ ଅସହାୟ ନାବାଳିକାଙ୍କ ଦାୟିତ୍ଵ ନେବାକୁ ଘୋଷଣା କରିଛି। ଘଟଣା ରୁ ପ୍ରକାଶ ଯେ ଅଢଙ୍ଗା ଗ୍ରାମର ଗୌତମ ଯେନା (୫୫) କିଡନୀ ରୋଗରେ ଆକ୍ରାନ୍ତ ହୋଇ ୧୧ ଦିନ ତଳେ ମୃତ୍ୟୁ ବରଣ କରିଥିବା ବେଳେ ଅନୁରୂପ ଭାବେ ପତ୍ନୀ ପ୍ରତିମା (୪୮) ୬ ମାସ ପୂର୍ବେ ରୋଗରେ ପଡି ଆର ପାରିକୁ ଚାଲି ଯାଇଥିଲେ।ଦିନ ମଜୁରିଆ ଗୌତମଙ୍କ ଅକାଳ ମୃତ୍ୟୁ ପରେ ଦୁଇ ଝିଅ ପ୍ରଭାସିନୀ ଓ ରୂପାଲି ଅନାଥ ହୋଇପଡିଥିଲେ। ପ୍ରଭାସିନୀ ନବମ ଓ ରୂପାଲି ସପ୍ତମ ଶ୍ରେଣୀରେ ପଢ଼ୁଥିବା ବେଳେ ବାପା ମାଆଙ୍କ ମୃତ୍ୟୁ ପରେ ପାଠ ପଢାର ଆଶା ଯେପରି ମଉଳି ଯାଇଥିଲା।

ଅନାଥ ଦୁଇ ଝିଅ ପାଠ ପଢିବା ତ ଦୂରର କଥା ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗ୍ରାମରୁ ଭିକ୍ଷା ମାଗିବା ଘଟଣା ଚର୍ଚ୍ଚାର ପରିସରକୁ ଆସିଥିଲା। ଉକ୍ତ ଘଟଣାଟି ପ୍ରଚାରିତ ହେବା ପରେ କେନ୍ଦ୍ରାପଡା କ୍ରେଡିଟ କୋ-ଅପରେଟିଭ ସୋସାଇଟିର ସଭାପତି ତଥା ସମବାୟବିତ ପ୍ରମୋଦ କୁମାର ସାହୁ ଦୁଇ ନାବାଳିକା ଝିଅଙ୍କୁ ସହାୟତା ପାଇଁ ଆଗେଇ ଆସିଛନ୍ତି। ଏହି ଅବସରରେ ମଙ୍ଗଳବାର ଅପରାହ୍ନରେ ଶ୍ରୀ ସାହୁ ଅଢଙ୍ଗା ଗ୍ରାମରେ ପହଞ୍ଚି ପଞ୍ଚାୟତର ସରପଞ୍ଚ ଜ୍ୟୋସ୍ନାମୟୀ ବେହେରା, ଓ୍ବାର୍ଡସଭ୍ୟାଙ୍କ ପ୍ରତିନିଧି ମଣିନାଥ ଯେନା, ପୂର୍ବତନ ସରପଞ୍ଚ ଅଶ୍ବିନୀ ମହାନ୍ତି ,ପୂର୍ବତନ ସମିତିସଭ୍ୟ ସୁଜିତ ସାମନ୍ତରାୟ ଓ ଗ୍ରାମବାସୀଙ୍କ ସହିତ ଆଲୋଚନା କରି ଶୁଦ୍ଧିକ୍ରିୟା ପାଇଁ ଆର୍ଥିକ ସହାୟତା ରାଶି ପ୍ରଦାନ କରିବା ସହିତ ଅନାଥ ଦୁଇ ଝିଅଙ୍କ ପାଠପଢ଼ା ଓ ଚଳିବା ପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଇଛନ୍ତି। ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ କୋ-ଅପରେଟିଭ ସୋସାଇଟି ଗରଦପୁର ଶାଖା ପରିଚାଳକ ଅନୋଜ ସିଂ, ଦୈନିକ ଜମା ସଂଗ୍ରହକାରୀ ଗୟାଚାନ୍ଦ ଭୂୟାଁ, ସମାଜସେବୀ ଧୀରେନ୍ଦ୍ର ଜେନା ଓ ଶୁଭଙ୍କର ସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ।
