May 23, 2026
Home » ଆଗେଇ ଚାଲିଛି ରଥ ନିର୍ମାଣ କାର୍ଯ୍ୟ

ଆଗେଇ ଚାଲିଛି ରଥ ନିର୍ମାଣ କାର୍ଯ୍ୟ

0
WhatsApp Image 2026-05-22 at 3.28.08 PM (1)

ମହାପ୍ରଭୁ ଙ୍କ ରଥଯାତ୍ରା ନେଇ ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି। ତେବେ ରଥ ରେ କାଠ କୁ କାଠରେ ଯୋଡ଼ିବା ପାଇଁ ଲୁହା କଣ୍ଟା ପ୍ରସ୍ତୁତ କରିଥାନ୍ତି ଓଝା ମହାରଣା ସେବକ ମାନେ। ଶ୍ରୀମନ୍ଦିର ନିକଟ ରେ ଥିବା ଦୋଳବେଦୀ ରେ ଅସ୍ଥାୟୀ କମାରସାଳ ରେ ବିଭିନ୍ନ ପ୍ରକାର ଲୁହା ସାମଗ୍ରୀ ଓ କଣ୍ଟା ପ୍ରସ୍ତୁତ ହୋଇଥାଏ। ୨୦ ଜଣ ଓଝା ମହାରଣା ସେବକମାନେ ୪ ଟନ୍ ଲୁହା କଣ୍ଟା ପ୍ରସ୍ତୁତ କରିଥାନ୍ତି।
ତିନି ରଥ ପାଇଁ ଏକ ହଜାର ରୁ ଅଧିକ ଅର କଣ୍ଟା, ତୁମ୍ବରେ ଲାଗୁଥିବା ୮୪ ପନ୍ଦାରି, ୧୬୮ ଟି ପନ୍ଦାରି ଚାବୀ, ୮୪ ଟି ତୁମ୍ୱବାହାରର ବଳା, ୫୦୦ ରୁ ଅଧିକ ଘଡ଼ିମୁହଁ ବିଡିଆ, ୧୨ ଟି ଗରଗରା, ୧୨୦ ଟି ଗୟଳ କଣ୍ଟା ଓ ଛନ୍ଦା ଗୟଳ, ଯୋଖା, ୧୫୦ ରୁ ଅଧିକ କଇଁଚି, ୭ ଟି ଓରାକଣ୍ଟା, ୧୫ ଟି ଛାର ପରିଛା, ୨୦ ଟି କତରା, ୪୪୦ ଟି ତାଗ, ୫୦ ରୁ ଅଧିକ ବାହୁଟ ଫାଳିଆ, ୬ ଟି ସିଂହାସନ ରାୟ, ୬ ଟି ଜଗତଭୂଷଣ ସେଣି,୩୦ ଟି ସିଂହାସନ ଗୁଣ୍ଠୀ, ୬୦ ଶିଖଡମ୍ବରୁ କଣ୍ଟା, ୫୦ ଟି ଅନ୍ଧାରୀ ତାଗ ଓ ଧ୍ୱଜବତା କଣ୍ଟା ଓଝା ସେଵକ ମାନେ ପ୍ରସ୍ତୁତ କରିଥାନ୍ତି। ତିନି ରଥ ପାଇଁ ପ୍ରାୟ ୪ ଟନ୍ ରୁ ଅଧିକ ଲୁହା କଣ୍ଟା ଦରକାର ହୋଇଥାଏ। ଏଥି ପାଇଁ ଦୀର୍ଘ ୫୨ ଦିନ ଧରି ଅସ୍ଥାୟୀ କମାରସାଳ ରେ ବିଭିନ୍ନ ଲୁହା କଣ୍ଟା ପ୍ରସ୍ତୁତ କରାଯାଇଥାଏ।


ଯଦି ରଥରେ କିଛି ଅଂଶ ଭାଙ୍ଗିଯାଏ ତାହାର ମରାମତି ପାଇଁ ଆବଶ୍ୟକ କଣ୍ଟା ମଧ୍ୟ ପ୍ରସ୍ତୁତ କରାଯାଇଥାଏ। କତରା କଣ୍ଟା ଗୁଡିକୁ ରଥର ସମ୍ମୁଖ ଭାଗରେ ବ୍ୟବହାର କରାଯାଇଥାଏ। ଧମକ କଣ୍ଟା ତିନି ରଥର ସିଂହାସନ ରେ ବାଡ଼ିଆ ହୋଇଥାଏ। ୪୪୦ ଟି ତାଗକଣ୍ଟା ପିଣ୍ଡିତଳ ଓ ଗଣ୍ଠି ଉପରେ ପଟା ବାଡ଼ିଆ ରେ ବ୍ୟବହୃତ ହୁଏ। ଅରକଣ୍ଟା ଅର ଦେହରେ ବାଡ଼ିଆ ହୋଇଥାଏ। ପନ୍ଦାରି କଣ୍ଟାଗୁଡ଼ିକ ତୁମ୍ୱ ର ଭିତର ପାର୍ଶ୍ୱ ରେ ଲଗାଯାଏ। ପନ୍ଦାରି ଚାବି ଅଖର ବାହାରପଟୁ ସେଗୁଡ଼ିକୁ ଜାବୁଡ଼ି ଧରିଥାଏ। ଗରଗରା ତିନି ରଥର ଦଣ୍ଡା ଉପରେ ବାଡ଼ିଆ ହୋଇଥାଏ। ରଥର ପିଣ୍ଡି ନିର୍ମାଣ ରେ ଗୟଳ କଣ୍ଟା ଓ ଛନ୍ଦା ଗୟଳ କଣ୍ଟା ବ୍ୟବହୃତ ହୋଇଥାଏ। ବାନ୍ଧେଣି ପାଈଁ ଯୋଖା କଣ୍ଟା ଓ ଚାରି ନାହାକା କୁ ବାନ୍ଧି ରଖିବା ପାଇଁ ୧୫୦ ରୁ ଅଧିକ କଇଁଚ କଣ୍ଟା ବ୍ୟବହୃତ ହୋଇଥାଏ। ଭୂଇଁ ଓ ଓରା କଣ୍ଟା ଗୁଡ଼ିକ ଚାରି ନାହାକ ଉପରେ ଭୂଇଁରେ ବାଡ଼ିଆ ହୋଇଥାଏ। ଚାରମାଳ ବନ୍ଧା ପାଇଁ ଚାର ପରିଛା କଣ୍ଟା ବ୍ୟବହୃତ ହୋଇଥାଏ। ତିନି ରଥର ପାର୍ଶ୍ୱ ଦେବତା ଙ୍କୁ ଧରି ରଖିବା ପାଇଁ ୬୦ ଟି ଶିଖ ଡମ୍ବରୁ କଣ୍ଟା ଆବଶ୍ୟକ ହୋଇଥାଏ।

ତେବେ ରଥ ନିର୍ମାଣ ପାଈଁ ବ୍ୟବହୃତ ସବୁଠୁ ଛୋଟ କଣ୍ଟା ନାମ ହେଉଛି ଗୋଡିସାଲ ଯାହାକି ୩ ଇଞ୍ଚ ହୋଇଥିବା ବେଳେ ଏହା ପୋଟୋଳ ନିର୍ମାଣ କାର୍ଯ୍ଯ ରେ ଲାଗେ। ସେପଟେ ସବୁଠୁ ବଡ କଣ୍ଟା ହେଉଛି ଜଙ୍ଗା। ଯାହାର ଲମ୍ୱ ୪ଫୁଟ ରହିଛି।

ବରିଷ୍ଠ ଓଝା ସେଵକ ଜଗନ୍ନାଥ୍ ମହାରଣା କୁହନ୍ତି, ଏହି କାର୍ଯ୍ୟ ହେଉଛି ଆମର ପରମ୍ପରା। ଆମ ପୂର୍ଵ ପୁରୁଷ ଏହି କାର୍ଯ୍ୟ କରିଆସୁଥିବାରୁ ଏହି ସୁଯୋଗ ଆମକୁ ମିଳିଛି।ମହାପ୍ରଭୁ ସେବାରେ ନିଜ କୁ ସାମିଲ ହେବାର ସୁଯୋଗ ମିଳିଥିବାରୁ ଆମେ ବହୁତ୍ ଖୁସି। ଆମେ ଛୋଟ ପିଲା ଥିବା ବେଳେ ଆମ ବାପା ଜେଜେ ବାପା ଙ୍କ ସହ ଆସି ଏହି କଣ୍ଟା ନିର୍ମାଣ କାର୍ଯ୍ୟ ଶିକ୍ଷା ଲାଭ କରିଥିଲୁ। ଏବେ ଏହି କାର୍ଯ୍ୟ ଆମେ କରୁଛୁ। ଆମ ପର ପିଢ଼ି ମଧ୍ୟ ଏହି କାର୍ଯ୍ୟ କରିବେ। ଯୁଗ ଯେତେ ଆଧୁନିକ ହେଲେ ମଧ୍ୟ ଆମେ ସେହି ପାରମ୍ପରିକ ହାତ ହତିଆର ରେ କଣ୍ଟା ତିଆରି କରୁ। ସକାଳ ୮ ଟା ରୁ ରାତି ୮ ଟା ଯାଏ ଆମେ ଅସ୍ଥାୟୀ କମାର ଶାଳ ରେ କାର୍ଯ୍ୟ କରୁ। ତେବେ ବର୍ତ୍ତମାନ ସମୟରେ ଯୁବ ସେବକ ମାନେ ଯେତେ ଅଧିକ ଶିକ୍ଷା ଗ୍ରହଣ କରିଥିଲେ ମଧ୍ୟ ମହାପ୍ରଭୁ ଙ୍କ କାର୍ଯ୍ୟ ରେ ସବୁବେଳେ ବୁ ସମର୍ପିତ ହୋଇ କାର୍ଯ୍ଯ କରିବାକୁ ଆମେ ଯୁବ ପିଢ଼ି ଙ୍କୁ ପରାମର୍ଶ ଦେଇଥାଉ। କାରଣ ମହାପ୍ରଭୁ ଙ୍କ ସେବା ଆଗରେ ସବୁ ପାଠପଢ଼ା, ଚାକିରୀ ସବୁ ତୁଚ୍ଛ।

Leave a Reply

Your email address will not be published. Required fields are marked *