November 21, 2026
Home » ଆଜି ପଞ୍ଚୁକ ପ୍ରଥମ ଦିନରେ ମହାପ୍ରଭୁ ଲକ୍ଷ୍ମୀନାରାୟଣ ବେଶ

ଆଜି ପଞ୍ଚୁକ ପ୍ରଥମ ଦିନରେ ମହାପ୍ରଭୁ ଲକ୍ଷ୍ମୀନାରାୟଣ ବେଶ

0
WhatsApp Image 2026-11-21 at 12.03.57 PM

ଲକ୍ଷ୍ମୀନାରାୟଣ ବେଶ-

ଆଜି ଠାରୁ ଶ୍ରୀମନ୍ଦିର ରେ ଆରମ୍ଭ ହୋଇଛି ପଞ୍ଚୁକ ବ୍ରତ। ଶ୍ରୀମନ୍ଦିର ଚଳଚଞ୍ଚଳ। ଆଜି ପଞ୍ଚୁକ ପ୍ରଥମ ଦିନରେ ମହାପ୍ରଭୁ ଲକ୍ଷ୍ମୀନାରାୟଣ ବେଶ ରେ ଭକ୍ତ ଙ୍କୁ ଦର୍ଶନ ଦେଉଛନ୍ତି। ମହାପ୍ରଭୁ ଙ୍କ ବେଶ ଦର୍ଶନ ପାଇଁ ଶ୍ରୀମନ୍ଦିର ରେ ହଜାର ହଜାର ଭକ୍ତ ଙ୍କ ଆଗମନ ହେବାରେ ଲାଗିଛି।କାର୍ତ୍ତିକ ମାସ ଶୁକ୍ଳପକ୍ଷ ଏକାଦଶୀ ତିଥିରେ ମହାପ୍ରଭୁଙ୍କର ଠିଆକିଆ ବା ଲକ୍ଷ୍ମୀନାରାୟଣ ବେଶ ଅନୁଷ୍ଠିତ ହୁଏ । ଏହି ଦିନ ମହାପ୍ରଭୁ ଶ୍ରୀଜଗନ୍ନାଥ ନିଦରୁ ଉଠନ୍ତି । ଆଷାଢ଼ ଶୁକ୍ଳପକ୍ଷ ଏକାଦଶୀରୁ ମହାପ୍ରଭୁ ଶୟନ କରିଥାନ୍ତି । ମହାପ୍ରଭୁଙ୍କ ଏହି ଉତଥାପନ ଏକାଦଶୀକୁ ବଡ଼ ଏକାଦଶୀ ବୋଲି କୁହାଯାଏ । ଏହି ଦିନରୁ ପଞ୍ଚକ ମଧ୍ୟ ଆରମ୍ଭ ହୋଇଥାଏ । ଶାସ୍ତ୍ର ମତରେ ବଡ଼ ଏକାଦଶୀ ଠାରୁ ଶୁଭ ସମୟ ଆରମ୍ଭ ହେଉଥିବାରୁ ସମସ୍ତ ମାଙ୍ଗଳିକ କାର୍ଯ୍ୟ ମଧ୍ୟ ଆରମ୍ଭ କରାଯାଏ । ୪ ମାସ ପରେ ଶୟନରୁ ଉଠୁଥିବା ମହାପ୍ରଭୁ ମହାଲକ୍ଷ୍ମୀଙ୍କ ସହ ଭକ୍ତଙ୍କୁ ଦର୍ଶନ ଦିଅନ୍ତି । ସେଥିପାଇଁ ରତ୍ନସିଂହାସନରେ ଶ୍ରୀଜଗନ୍ନାଥଙ୍କ ଲକ୍ଷ୍ମୀନାରାୟଣ ବେଶ ଅନୁଷ୍ଠିତ ହୁଏ।

ମସ୍ତକରେ ସୁବର୍ଣ୍ଣକିଆ ଠିଆ ଭାବରେ ଲାଗି ହେଉଥିବାରୁ ଏହି ବେଶକୁ ଠିଆକିଆ ବେଶ ମଧ୍ୟ କୁହାଯାଏ ।
ଠାକୁରମାନଙ୍କର ଅବକାଶ ନୀତି ଶେଷ ହେବାପରେ ପୁଷ୍ପାଳକ ସେବକମାନେ ଶ୍ରୀଜୀଉମାନଙ୍କୁ ଏହି ବେଶରେ ସଜ୍ଜିତ କରାଇଥାନ୍ତି । ଏହି ବେଶ ଥାଇ ଠାକୁରମାନଙ୍କର ଗୋପାଳ ବଲ୍ଲଭ, ସକାଳଧୂପ, ବାଳଭୋଗ ଓ ଭୋଗମଣ୍ଡପ ନୀତି ଆଦି ସମ୍ପନ୍ନ ହୁଏ ।

ll ବେଶ ll
ଲକ୍ଷ୍ମୀନାରାୟଣ ବେଶରେ ସୁନାବେଶର ସମସ୍ତ ଅଳଙ୍କାର ଲାଗି ହୁଅନ୍ତି ମାତ୍ର ରାଜବେଶରେ ତିନିଗୋଟି ସୁନା କିରିଟ ଲାଗି ହୁଅନ୍ତି। ସେହିପରି କାର୍ତ୍ତିକ ମାସରେ ଅନୁଷ୍ଠିତ ରାଧାଦାମୋଦର ବେଶରେ ମହାପ୍ରଭୁ ହସ୍ତରେ ଶ୍ରୀଭୁଜ ଲାଗି ନହୋଇ ନଳୀଭୁଜ ଲାଗି ହୁଅନ୍ତି, ଏହି ନଳୀଭୁଜର ଶୀର୍ଷ ଦେଶରେ ଆୟୁଧର ଚିହ୍ନ ରହିଥାଏ । ମାତ୍ର ଲକ୍ଷ୍ମୀନାରାୟଣ ବେଶରେ ମହାପ୍ରଭୁ ଆୟୁଧ ଲାଗି ହୁଅନ୍ତି । ଶ୍ରୀଜଗନ୍ନାଥ ବାମ ହସ୍ତରେ ଶଙ୍ଖ ଓ ଡାହାଣ ହସ୍ତରେ ଚକ୍ର ଧରିଥାନ୍ତି । ବଳଭଦ୍ର ହଳ ଓ ମୂଷଳ ଧାରଣ କରନ୍ତି । ସୁଭଦ୍ରାଙ୍କ ବେଶରେ କିଛି ପରିବର୍ତ୍ତନ ହୁଏ ନାହିଁ କେବଳ ମସ୍ତକରେ ଠିଆକିଆ ଶୋଭାପାଏ । ଏହି ଠିଆକିଆ ଗୁଡ଼ିକୁ ଧରି ରଖିବା ପାଇଁ ଏକ ବଳା ମୁଖମଣ୍ଡଳରେ ଲାଗେ । ଠାକୁରମାନେ ପାଟବସ୍ତ୍ରରେ ସୁସଜ୍ଜିତ ହୋଇ ସୁବର୍ଣ୍ଣ ଅଳଙ୍କାରମାନ ଲାଗି ହୋଇ ଅତ୍ୟନ୍ତ ସୁନ୍ଦର ଦେଖାଯାଆନ୍ତି ।

 

ll ଅଳଙ୍କାର ll

ଶ୍ରୀମନ୍ଦିର ସତ୍ତ୍ୱଲିପି ଅନୁସାରେ ନିମ୍ନଲିଖିତ ଅଳଙ୍କାରମାନ ମାନ ଲାଗିହୁଏ
୧. ତ୍ରିସାଖା, ୨. ସୂର୍ଯ୍ୟ ଚନ୍ଦ୍ର ,୩. ତିଳକ , ୪. ତଡକୀ , ୫. କର୍ଣ୍ଣ କୁଣ୍ଡଳ , ୬. ସ୍ବର୍ଣ୍ଣ ଶ୍ରୀଭୁଜ, ୭. ହଳ , ୮. ମୁଷଳ, ୯. ଚକ୍ର , ୧୦. ଶଙ୍ଖ ,୧୧. ଅଳକା , ୧୨. କଦମ୍ବ ମାଳି , ୧୩. ହରିଡ଼ା ମାଳି , ୧୪. ବାହାଡ଼ା ମାଳି , ୧୫. ତାବିଜ ମାଳି ,୧୬. ବାଘ ନଖି ମାଳି , ୧୭. ସେବତୀ ମାଳି , ୧୯. ଓଡ଼ିଆଣି , ୨୦. ଟୋପର, ୨୧. ସ୍ବର୍ଣ୍ଣ କିଆ

-ପଞ୍ଚକ-

କାର୍ତ୍ତିକ ମାସର ଶେଷ ପାଞ୍ଚଦିନ (କାର୍ତ୍ତିକ ଶୁକ୍ଳ ଏକାଦଶୀ ଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ)କୁ ପବିତ୍ର ପଞ୍ଚକ ଭାବେ ପାଳନ କରାଯାଏ । ଏହା ମହା ପଞ୍ଚକ, ବକପଞ୍ଚକ ବା ଭୀଷ୍ମପଞ୍ଚକ ବି ବିଷ୍ଣୁ ପଞ୍ଚକ ଭାବେ ମଧ୍ୟ ଜଣାଶୁଣା । ଯେଉଁମାନେ କାର୍ତ୍ତିକ ମାସ ସାରା ହବିଷ୍ୟ କରିପାରନ୍ତି ନାହିଁ, ସେମାନେ ଏହି ପାଞ୍ଚଦିନ ହବିଷ୍ୟ ପାଳନ କରନ୍ତି । ଅନେକ ଅଁଳା ନବମୀ, ରାଧାପାଦ ଦର୍ଶନ ଦିବସ ଠାରୁ ସାତଦିନ ହବିଷ୍ୟ କରନ୍ତି । ଏହି ପାଞ୍ଚଦିନ ହିନ୍ଦୁମାନେ ଆମିଷ ପରିତ୍ୟାଗ କରି ଶୁଦ୍ଧ, ସାତ୍ତ୍ୱିକ ଖାଦ୍ୟ ଭୋଜନ କରନ୍ତି । ଏହିପଞ୍ଚକରେ ବକମାନେ ମଧ୍ୟ ଆମିଷ ଭୋଜନରୁ ନିବୃତ୍ତ ରୁହନ୍ତି ବୋଲି କଥିତ ଅଛି । ତେଣୁ ଏହାକୁ ‘ବକ ପଞ୍ଚକ’ କୁହାଯାଏ ।

କାର୍ତ୍ତିକ ମାସର ଶେଷ ପାଞ୍ଚଦିନ ଅର୍ଥାତ୍ କାର୍ତ୍ତିକ ଶୁକ୍ଳ ଏକାଦଶୀ ଠାରୁ ପୂର୍ଣ୍ଣମୀ ପର୍ଯ୍ୟନ୍ତ ପରମ ପବିତ୍ର ଦିବସ I ଏହି ପଞ୍ଚକରେ ତେତିଶ କୋଟି ଦେବତା ମନୁଷ୍ୟମାନଙ୍କର ସନ୍ନିକଟ ହୋଇଯାନ୍ତି I ଏହି ସମୟରେ ତୁଳସୀପତ୍ର ଚଢାଇ ବିଷ୍ଣୁଙ୍କୁ ପୂଜାକଲେ, ସମସ୍ତ ଦେବତା ପ୍ରସନ୍ନହୋଇ ବର ପ୍ରଦାନକରନ୍ତି I

ଏହି ଅବସରରେ ଶ୍ରୀମନ୍ଦିରରେ ଠାକୁରମାନଙ୍କୁ ଆକର୍ଷଣୀୟ ବେଶରେ ସୁସଜ୍ଜିତ କରାଯାଏ

ଏକାଦଶୀରେ ରେ ଲକ୍ଷ୍ମୀନାରାୟଣ ବେଶ ବା ଠିଆକିଆ ବେଶ ,
ଦ୍ୱାଦଶୀରେ ବାଙ୍କଚୂଡ଼ା ବେଶ ବା ବାମନ ବେଶ , ତ୍ରୟୋଦଶୀରେ ତ୍ରିବିକ୍ରମ ବେଶ ବା ଆଡ଼କିଆ ବେଶ,
ଚତୁର୍ଦ୍ଦଶୀରେ ଲକ୍ଷ୍ମୀନୃସିଂହ ବେଶ ବା ଡାଳିକିଆ ବେଶ ଓ କାର୍ତ୍ତିକ ପୂର୍ଣ୍ଣମୀରେ ରାଜରାଜେଶ୍ୱର ବେଶ ବା ସୁନାବେଶ, ଏବଂ ମଳତିଥିରେ ନାଗାର୍ଜୁନ ବେଶ ଅନୁଷ୍ଠିତ ହୋଇଥାଏ।

ପ୍ରତ୍ୟହ ଅବକାଶ ନୀତି ଶେଷହେବା ପରେ ତିନିଠାକୁରଙ୍କୁ ଏହିସବୁ ବେଶରେ ସଜ୍ଜିତ କରାଯାଏ । ବେଶ ଥାଇ ଠାକୁରମାନଙ୍କ ଗୋପାଳବଲ୍ଲଭ, ସକାଳଧୂପ, ବାଳଧୂପ ଓ ଭୋଗମଣ୍ଡପ ନୀତି ଆଦି ଅନୁଷ୍ଠିତ ହୋଇଥାଏ । ଭୋଗମଣ୍ଡପ ନୀତି ଶେଷହେବା ପରେ ଏହି ବେଶ ଓ ଅଳଙ୍କାର ଆଦି ମଇଲମ ହୋଇ ମଧ୍ୟାହ୍ନଧୂପ ଅନୁଷ୍ଠିତ ହେବାର ପରମ୍ପରା ରହିଛି । ମହାପ୍ରଭୁଙ୍କ ପଞ୍ଚକ ପାଞ୍ଚଦିନ ଏହି ବେଶ ଦର୍ଶନ କରିବାକୁ ଶ୍ରୀମନ୍ଦିରରେ ଲକ୍ଷଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ । କାର୍ତ୍ତିକ ମାସରେ ପଞ୍ଚକ ଛଅ ଦିନ ପଡ଼ିଲେ ମଳତିଥି ଦିନ ମହାପ୍ରଭୁଙ୍କର ନାଗାର୍ଜୁନ ବେଶ ଅନୁଷ୍ଠିତ ହୁଏ । ଗତ ୨୭.୧୧.୨୦୨୦ ତାରିଖ କାର୍ତ୍ତିକ ମଳ ତ୍ରୟୋଦଶୀ ଶୁକ୍ରବାର ଦିନ ମହାପ୍ରଭୁଙ୍କର ଏହି ନାଗାର୍ଜୁନ ବେଶ ଅନୁଷ୍ଠିତ ହୋଇଥିଲା ।

 

(ଚଳିତବର୍ଷ ତିଥି କ୍ଷୟ ପାଇଁ ପଞ୍ଚୁକ ପାଞ୍ଚ ଦିନ ପରିବର୍ତ୍ତେ ୪ ଦିନ ଅନୁଷ୍ଠିତ ହେବ)

ଶ୍ରୀମନ୍ଦିର ରେ ଚଳିତବର୍ଷ ତିଥି କ୍ଷୟ ପାଇଁ ପଞ୍ଚୁକ ପାଞ୍ଚ ଦିନ ପରିବର୍ତ୍ତେ ୪ ଦିନ ଅନୁଷ୍ଠିତ ହେଉଛି।ଚଳିତ ବର୍ଷ ୪ ଦିନ ଧରି ମହାପ୍ରଭୁ ବିଭିନ୍ନ ବେଶରେ ଭକ୍ତ ଙ୍କୁ ଦର୍ଶନ ଦେବେ। ମହାକାର୍ତ୍ତୀକ ମାସର ଅନ୍ତିମ ୫ ଦିନ କୁ ପଞ୍ଚୁକ ବ୍ରତ କୁହାଯାଏ। ପଞ୍ଚୁକ ବ୍ରତ ର ପ୍ରଥମ ଦିବସରେ ତଥା ହରିଉତ୍ଥାପନ ଏକାଦଶୀ ରେ ମହାପ୍ରଭୁ ଲକ୍ଷ୍ମି ନାରାୟଣ ବେଶ, ଦ୍ୱାଦଶୀ ରେ ବାଙ୍କଚୂଡ଼ା ବେଶ, ତ୍ରୟୋଦଶୀ ଦିନ ତ୍ରିବିକ୍ରମ ବେଶ, ଚତୁର୍ଦ୍ଦଶୀ ଦିନ ଲକ୍ଷ୍ମୀନୃସିଂହ ବେଶ ଓ ଅନ୍ତିମ ଦିବସରେ ରାଜାଧିରାଜ ବେଶ ରେ ଭକ୍ତ ଙ୍କୁ ଦର୍ଶନ ଦିଅନ୍ତି ମହାପ୍ରଭୂ। ଏହି ସବୁ ବେଶରେ ମହଣ ମହଣ ସୁନା ଅଳଙ୍କାର ମହାପ୍ରଭୂ ପରିଧାନ କରିବେ। ତେବେ ଚଳିତବର୍ଷ ତିଥି କ୍ଷୟ ପାଇଁ ପଞ୍ଚୁକ ପାଞ୍ଚ ଦିନ ପରିବର୍ତ୍ତେ ୪ ଦିନ ଅନୁଷ୍ଠିତ ହେବ। ସେଥିପାଇଁ ଦ୍ୱାଦଶୀ ରେ ମହାପ୍ରଭୂ ଙ୍କ ର ଅନୁଷ୍ଠିତ ହେଉଥିବା ବାଙ୍କଚୂଡ଼ା ବେଶ ଚଳିତ ବର୍ଷ ଅନୁଷ୍ଠିତ ହେବ ନାହିଁ।

ଶ୍ରୀମନ୍ଦିର ଚୂନରା ସେବକ ଶରତ କୁମାର କହିଛନ୍ତି, ଚଳିତ ବର୍ଷ ତିଥି କ୍ଷୟ ଯୋଗୁ ଚଳିତବର୍ଷ ପଞ୍ଚୁକ ୫ ଦିନ ପରିବର୍ତ୍ତେ ୪ ଦିନ ଅନୁଷ୍ଠିତ ହେବ। ଚଳିତବର୍ଷ ମହାପ୍ରଭୂ ଙ୍କ ବାଙ୍କଚୂଡ଼ା ବେଶ ଅନୁଷ୍ଠିତ ହେବ ନାହିଁ। ପଞ୍ଚୁକ ବ୍ରତ ଅତ୍ୟନ୍ତ ପବିତ୍ର। କାର୍ତ୍ତୀକ ମାସ ରେ ଏହି ପଞ୍ଚୁକ କୁ ବିଶେଷ ଭାବରେ ପ୍ରାଧାନ୍ୟ ଦିଆଯାଇଥାଏ। ପଞ୍ଚୁକ ଏତେ ପବିତ୍ର ଯେ ବଗ ବଗୁଲୀ ମଧ୍ଯ ଏହି ସମୟରେ ଆମିଷ ତ୍ୟାଗ କରିଥାନ୍ତି ବୋଲି କଥାରେ ରହିଛି। ଏଣୁ ପବିତ୍ର କାର୍ତ୍ତିକ ମାସର ପଞ୍ଚୁକ ରେ ଯେଉଁ ମାନେ ପଞ୍ଚତୀର୍ଥ ପୁଷ୍କରିଣୀରେ ସ୍ନାନ କରି ଶ୍ରୀମନ୍ଦିର ରେ ମହାପ୍ରଭୂ ଙ୍କ ଦର୍ଶନ ସହିତ ମହାପ୍ରସାଦ ସେବନ କରିଥାନ୍ତି ସେମାନେ ସମଗ୍ର କାର୍ତ୍ତୀକ ମାସ ର ପୁଣ୍ୟ ଅର୍ଜନ କରିଥାନ୍ତି।

ପବିତ୍ର ପଞ୍ଚୁକ ରେ ମହାପ୍ରଭୁ ଙ୍କ ଦର୍ଶନ ପାଇଁ ଶ୍ରୀକ୍ଷେତ୍ର କୁ ଲକ୍ଷାଧିକ ଶ୍ରଦ୍ଧାଳୁ ଙ୍କ ଆଗମନ ହେଵ। ଶ୍ରଦ୍ଧାଳୁ ଙ୍କ ସୁରକ୍ଷା ଓ ସୁରକ୍ଷିତ ଦର୍ଶନ ଲାଗି ପୁଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି।ବଡ଼ଦାଣ୍ଡ ରେ ହୋଇଥିବା ବ୍ୟାରିକେଡ଼ ଦେଇ ଶ୍ରଦ୍ଧାଳୁ ମାନେ ଶ୍ରୀମନ୍ଦିର ର ସିଂହ ଦ୍ୱାର ରେ କେବଳ ପ୍ରଵେଶ କରିବେ। ଦର୍ଶନ ପରେ ଶ୍ରଦ୍ଧାଳୁ ମାନେ ଶ୍ରୀମନ୍ଦିର ର ଉତ୍ତର, ପଶ୍ଚିମ ଓ ଦକ୍ଷିଣ ଦ୍ୱାର ଦେଇ ପ୍ରସ୍ଥାନ କରିବେ। ପଞ୍ଚୁକ ୪ ଦିନ ଶ୍ରଦ୍ଧାଳୁ ମାନେ କେବଳ ସିଂହ ଦ୍ୱାର ଦେଇ ପ୍ରବେଶ କରିବାର ବ୍ୟବସ୍ଥା ରହିଛି। ମନ୍ଦିର ଭିତରେ ଭିଡ ନିୟନ୍ତ୍ରଣ ପାଇଁ କ୍ଲିୟରାନ୍ସ ଟିମ ମୁତୟନ କରାଯାଇଛି। ଶ୍ରଦ୍ଧାଳୁ ଙ୍କ ସୁରକ୍ଷା, ଭିଡ ନିୟନ୍ତ୍ରଣ ଓ ଟ୍ରାଫିକ ସୁପରିଚାଳନା ପାଇଁ ୫୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି।
ଶ୍ରଦ୍ଧାଳୁ ଙ୍କ ସୁରକ୍ଷା ଓ ଶୃଙ୍ଖଳିତ ଦର୍ଶନ ପାଇଁ ବଡଦାଣ୍ଡ ର ମାର୍କେଟ ଛକ ରୁ ସିଂହ ଦ୍ୱାର ବ୍ୟାରିକେଡ଼ ଯାଏ ୬ ଲେନ୍ ବ୍ୟାରିକେଡ଼ କରାଯାଇଛି। ଭିଡ ନିୟନ୍ତ୍ରଣ ପାଇଁ ବରିଷ୍ଠ ପୁଲିସ ଅଧିକାରୀ ଙ୍କୁ ଦୟୀତ୍ଵ ଦିଆଯାଇଛି। ପଞ୍ଚୁକ ରେ ଭିଡ ନିୟନ୍ତ୍ରଣ, ଶୃଙ୍ଖଳିତ ଦର୍ଶନ, ଶ୍ରଦ୍ଧାଳୁ ଙ୍କ ସୁରକ୍ଷା ଓ ଟ୍ରାଫିକ ନିୟନ୍ତ୍ରଣ ପାଇଁ ୫୦ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯାଇଛି। ସିସିଟିଭି କ୍ୟାମେରା ସହିତ ଏହାକୁ ପରିଚାଲନା ପାଇଁ କଣ୍ଟ୍ରୋଲ ରୁମ୍ ରହିଛି। ଭିଡ ର ସୁଯୋଗ ନେଇ ଅନେକ ଅପରାଧୀ ବିଭିନ୍ନ ଅପରାଧ ଘଟାଇବା ନଜିର ରହିଛି। ଏଣୁ ଅପରାଧି ଙ୍କ ଉପରେ ନଜର ରଖିବା ପାଇଁ ସାଧା ପୋଷାକରେ ପୋଲିସ୍ ମୁତୟନ କରାଯାଇଛି। ମନ୍ଦିର ଭିତରେ ଭିଡ ନିୟନ୍ତ୍ରଣ କରିବା ପାଇଁ କ୍ଲିୟରାନ୍ସ ଟିମ ରହିଛନ୍ତି।

Leave a Reply

Your email address will not be published. Required fields are marked *