ଉତ୍ତମ ମହାନ୍ତିଙ୍କୁ ଭେଟିଲେ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ଵର: ସୁଧୁରୁଛି ଓଲିଉଡ ସୁପରଷ୍ଟାର ଉତ୍ତମ ମହାନ୍ତିଙ୍କ ସ୍ବାସ୍ଥ୍ୟବସ୍ଥା । ଅନେକ କଳାକାରଙ୍କ ସମେତ ରାଜନେତା ମାନେ ମଧ୍ୟ ଉତ୍ତମଙ୍କୁ ଭେଟିବାକୁ ହସ୍ପିଟାଲରେ ପହଞ୍ଚିଛନ୍ତି । ଏଥିସହ ତାଙ୍କର ଆଶୁ ଆରୋଗ୍ୟ କାମନା କରୁଛନ୍ତି । ଏହରି ଭିତରେ ବର୍ଷିୟାନ ଅଭିନେତା ଉତ୍ତମ ମହାନ୍ତିଙ୍କୁ ଭେଟିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ଉତ୍ତମଙ୍କ ଚିକିତ୍ସା ସମ୍ପର୍କରେ ଡାକ୍ତରଙ୍କ ପାଖରୁ ବୁଝିଛନ୍ତି କେନ୍ଦ୍ରମନ୍ତ୍ରୀ। ଏଥିସହ ଉତ୍ତମ ମହାନ୍ତିଙ୍କ ପୁଅ ବାବୁସାନଙ୍କ ସହ କଥା ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ।
ହସ୍ପିଟାଲରେ ଉତ୍ତମଙ୍କୁ ଭେଟିବା ସହ ତାଙ୍କ ଚିକିତ୍ସା ପାଇଁ ଯାହା ଆବଶ୍ୟକ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଧର୍ମେନ୍ଦ୍ର । ଧିରେ ଧିରେ ସୁଧୁରୁଛି ଉତ୍ତମଙ୍କ ସ୍ବାସ୍ଥ୍ୟାବସ୍ଥା । ତାଙ୍କ ଉପରେ ୨୪ ଘଣ୍ଟା ନଜର ରଖିଛନ୍ତି ନିୟୋଜିତ ସ୍ଵତନ୍ତ୍ର ଡାକ୍ତରୀ ଟିମ୍ । ଉତ୍ତମଙ୍କୁ ଚିକିତ୍ସା ପାଇଁ ଏକ ସ୍ବତନ୍ତ୍ର ଡାକ୍ତରୀ ଟିମ୍ ଗଠନ କରାଯାଇଛି । ଲିଭର ସିରୋସିସ ରୋଗରେ ଆକ୍ରାନ୍ତ ହୋଇଥିବା ଅଭିନେତା ଉତ୍ତମ ମହାନ୍ତିଙ୍କ ଉନ୍ନତ ଚିକିତ୍ସା ପାଇଁ ସମସ୍ତ ପ୍ରକାରର ସହାୟତା ଯୋଗାଇ ଦେବାକୁ ପ୍ରତିଶୃତି ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ସୂଚନା ଅନୁସାରେ, ଅଭିନେତା ଉତ୍ତମ ମହାନ୍ତି ଏକ ଫିଲ୍ମର ସୁଟିଂ ପାଇଁ ବାହାରକୁ ଯାଇଥିଲେ । ସେଠାରେ ହିଁ ତାଙ୍କର ସ୍ବାସ୍ଥ୍ୟ ହଠାତ୍ ଖରାପ ହୋଇଥିଲା । ତାପରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ଏବଂ ଏହା ପରେ ଚିକିତ୍ସା ହୋଇ ଘରକୁ ଆସିଥିଲେ । ହେଲେ ପୁଣି ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବା ପରେ ତାଙ୍କୁ ଭୁବନେଶ୍ୱର ସ୍ଥିତ ‘କିମ୍ସ’ରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ପରେ ଅଧିକ ଚିକିତ୍ସା ପାଇଁ ଗତ 8 ତାରିଖରେ ତାଙ୍କୁ ଗୁରୁଗ୍ରାମକୁ ଏୟାରଲିଫ୍ଟ କରାଯାଇଥିଲା । କିମ୍ସ ହସ୍ପିଟାଲରୁ ସ୍ବତନ୍ତ୍ର ଆମ୍ବୁଲାନ୍ସ ଯୋଗେ ଗ୍ରୀନ୍-କରିଡ଼ରରେ ବିଜୁ ପଟ୍ଟନାୟକ ବିମାନ ବନ୍ଦରକୁ ନିଆଯାଇଥିଲା । ସେଠାରୁ ଏକ ସ୍ବତନ୍ତ୍ର ବିମାନ ଯୋଗେ ଦିଲ୍ଲୀ ଏୟାରଲିଫ୍ଟ କରାଯାଇଥିଲା । ଏବେ ସେ ଗୁରୁଗ୍ରାମର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି ।
ଇପିଏରୁ ବିରଞ୍ଚିନାରାୟଣ ପତ୍ରୀ ଙ୍କ ରିପୋର୍ଟ, ଇଷ୍ଟଣ୍ଣ ପ୍ରେସ ଏଜେନ୍ସି, ଭୁବନେଶ୍ୱର