କଇଁଛ ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କଲେ ପ୍ରକୃତି ପ୍ରେମୀ l
ସୁବର୍ଣ୍ଣପୁର — ସୋନପୁର -ବଲାଙ୍ଗିର 57 ନମ୍ବର ଜାତୀୟ ରାଜପଥ ହରଡ଼ଖୋଲ ରାସ୍ତାକଡ଼ରୁ ଆଜି ଏକ କଇଁଛକୁ ଅସହାୟ ଅବସ୍ଥାରେ ଉଦ୍ଧାର କରିଛନ୍ତି ସୋନପୁର ବ୍ଲକ୍ ଅନ୍ତର୍ଗତ କୁଲିପାଲିର ପ୍ରକୃତି ପ୍ରେମୀ ଶ୍ରୀ ବ୍ଯାସ ଦେବ ନନ୍ଦ। ଏହି ନିରୀହ ଜୀବଟିର ସୁରକ୍ଷା ଓ ଉପଯୁକ୍ତ ଯତ୍ନକୁ ଗୁରୁତ୍ୱ ଦେଇ ସେ ସୋନପୁର ଜୁନିୟର୍ ରେଡ୍କ୍ରସ୍ର ପରାମର୍ଶ ଦାତା ଶ୍ରୀ ବିକ୍ରମ କୁମାର ନନ୍ଦଙ୍କ ପରାମର୍ଶକ୍ରମେ ସୋନପୁର ବନ ଅଧିକାରୀଙ୍କ ସହ ଯୋଗାଯୋଗ କରିଥିଲେ ଏବଂ ପରେ କଇଁଛ ଶାବକଟିକୁ ଉପଯୁକ୍ତ ପ୍ରାକୃତିକ ଆବାସରେ ଛାଡ଼ିବା ଉଦ୍ଦେଶ୍ୟରେ ବନ କର୍ମଚାରୀଙ୍କୁ ହସ୍ତାନ୍ତର କରିଥିଲେ।ଏହି ମହତ୍ କାର୍ଯ୍ୟ ସମୟରେ ଶ୍ରୀ ନନ୍ଦଙ୍କ ସହ କୁଲିପାଲିର ଶିକ୍ଷକ ବିକ୍ରମ କୁମାର ନନ୍ଦ,ପ୍ରଶାନ୍ତ,ପ୍ରଦୀପ ଜୟନ୍ତ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।ଏହି ଅବସରରେ ଶ୍ରୀ ନନ୍ଦ ବନ୍ୟପ୍ରାଣୀଙ୍କ ସୁରକ୍ଷା ଓ ସଂରକ୍ଷଣ ସହ ଜୈବ ବିବିଧତାର ରକ୍ଷା ପାଇଁ ଗଣମାଧ୍ୟମ ଜରିଆରେ ଜନସାଧାରଣଙ୍କୁ ଆହ୍ୱାନ ଦେଇଥିଲେ। ଏଥିସହ ଜଙ୍ଗଲ ଓ ପରିବେଶର ସନ୍ତୁଳନ ରକ୍ଷା କରିବାରେ ପ୍ରତ୍ୟେକ ଜୀବଜନ୍ତୁଙ୍କର ଗୁରୁତ୍ୱ ରହିଛି ବୋଲି ସଚେତନତା ସୃଷ୍ଟି କରିଥିଲେ।ସମାଜ ପାଇଁ ଏକ ମହତ୍ ବାର୍ତ୍ତା ବନ୍ୟପ୍ରାଣୀମାନେ ପ୍ରକୃତିର ଅବିଚ୍ଛେଦ୍ୟ ଅଙ୍ଗ। ସେମାନଙ୍କ ସୁରକ୍ଷା କେବଳ ବନ ବିଭାଗର ଦାୟିତ୍ୱ ନୁହେଁ, ବରଂ ସମାଜର ପ୍ରତ୍ୟେକ ନାଗରିକଙ୍କର ନୈତିକ କର୍ତ୍ତବ୍ୟ। ରାସ୍ତାକଡ଼ରେ କିମ୍ବା ଜନବସତି ନିକଟରେ କୌଣସି ବନ୍ୟପ୍ରାଣୀ ଅସହାୟ ଅବସ୍ଥାରେ ଦେଖାଗଲେ, ତାକୁ ଆଘାତ ନଦେଇ ତୁରନ୍ତ ବନ ବିଭାଗକୁ ଖବର ଦେବା ଉଚିତ।ବନ୍ୟପ୍ରାଣୀଙ୍କୁ ନିଜ ଘରେ ରଖିବା କିମ୍ବା ନିଜ ଇଚ୍ଛାରେ ଅନ୍ୟତ୍ର ଛାଡ଼ିବା ପରିବର୍ତ୍ତେ ବିଶେଷଜ୍ଞଙ୍କ ପରାମର୍ଶ ନେବା ଆବଶ୍ୟକ।ବ୍ଯାସ ଦେବ ନନ୍ଦଙ୍କ ଏହି ପଦକ୍ଷେପ ଆମକୁ ଶିଖାଏ ଯେ, ଏକ ଛୋଟ ମାନବିକ ପ୍ରୟାସ ମଧ୍ୟ ଏକ ନିରୀହ ଜୀବର ଜୀବନ ରକ୍ଷା କରିପାରେ। ପ୍ରକୃତି ପ୍ରତି ଭଲ ପାଇବା କେବଳ କଥାରେ ନୁହେଁ, ବରଂ କାର୍ଯ୍ୟରେ ପ୍ରତିଫଳିତ ହେବା ଆବଶ୍ୟକ।ଜୀବେ ଦୟା, ପ୍ରକୃତି ପ୍ରତି ଶ୍ରଦ୍ଧା—ଏହା ହିଁ ପ୍ରକୃତ ମାନବିକତା।
ରିପୋର୍ଟ — ଉଗ୍ରସେନ କର୍ମୀ
