December 14, 2024
Home » କଟକର ‘ଐତିହାସିକ’ ବାଲିଯାତ୍ରାରେ ବିଶୃଙ୍ଖଳା !

କଟକର ‘ଐତିହାସିକ’ ବାଲିଯାତ୍ରାରେ ବିଶୃଙ୍ଖଳା !

0

କଟକ: କଟକ ଐତିହାସିକ ବାଲିଯାତ୍ରାରେ ବିଶୃଙ୍ଖଳାକୁ ନେଇ ବର୍ଷିଲା ବିଜେଡି । ପ୍ରଥମ ଦିନ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ରାଗିଲେ ତ ଦ୍ବିତୀୟ ଦିନ କଣ୍ଠଶିଳ୍ପୀ ଅସୀମା ପଣ୍ଡାଙ୍କୁ ମଞ୍ଚରୁ ଓହ୍ଲାଇ ଦିଆଗଲା । କରେଣ୍ଟ ଲାଗି ଯୁକ୍ତ ଦୁଇ ଛାତ୍ରଙ୍କ ମୃତ୍ୟୁ ହେଲା ତ ବିଜେପି ବିଧାୟକ ଇଂରାଜୀ ଭାଷଣକୁ ନେଇ ସୋସିଆଲ୍ ମିଡିଆରେ ଟ୍ରୋଲ ହେଉଛନ୍ତି । ଚଳିତ ବାଲିଯାତ୍ରାରେ ବ୍ୟବସ୍ଥା କମ୍, ଅବ୍ୟବସ୍ଥାକୁ ନେଇ ଅଧିକ ଚର୍ଚ୍ଚା । ଏସବୁକୁ ନେଇ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନକୁ ଜୋରଦାର ଟାର୍ଗେଟ୍ କରିଛି ବିଜେଡି । ଏଥିସହ ବାଲିଯାତ୍ରାକୁ ଜାତୀୟ ମାନ୍ୟତା ଦାବି କରିଛି ଦଳ । ଡବଲ ଇଞ୍ଜିନ ସରକାର ଥିବା ବେଳେ ବିଜେପି ନେତା କାହିଁକି ଜାତୀୟ ମାନ୍ୟତା ନେଇ ମୁହଁ ଖୋଲିଲେନି ବୋଲି ପ୍ରଶ୍ନ କରିଛି ବିଜେଡି ।

ବାଲିଯାତ୍ରା ଆୟୋଜନରେ ରାଜ୍ୟ ସରକାରଙ୍କ ତ୍ରୁଟି ଓ ଜିଲ୍ଲା ପ୍ରଶାସନର ଅପାରଗତା ଏହି ଐତିହାସିକ ଯାତ୍ରାକୁ ଅତି ନ୍ୟୁନସ୍ତରକୁ ନେଇଯାଇଥିବା ବିଜେଡି କହିଛି । ବିଦ୍ୟୁତ ଗାଡି ଯୋଗାଇନଥିବାରୁ ମୁଖ୍ୟମନ୍ତ୍ରୀ ବିରକ୍ତ ହେଲେ । ନିମନ୍ତ୍ରଣ କାର୍ଡରେ ମୁଖ୍ୟମନ୍ତ୍ରୀଙ୍କ ନାଁ ଲେଖାଗଲାନି । ବିଜେପିର ଅନ୍ୟ ଏକ ଗୋଷ୍ଠୀ କଥାରେ ଜିଲ୍ଲାପ୍ରଶାସନ ମୁଖ୍ୟମନ୍ତ୍ରୀଙ୍କ ନାଁ ଲେଖିଲେନି ବୋଲି ବିଜେଡି ଅଭିଯୋଗ କରିଛି । କଟକ ଜିଲ୍ଲାପାଳ ଓ ଏସପି ବିଜେପିର ମୁଖପାତ୍ର ପାଲଟିଛନ୍ତି । କେବଳ ବିଜେପି କର୍ମକର୍ତ୍ତାଙ୍କୁ ଖୁସି କରିବାକୁ ଯାଇ ନିଜ ପ୍ରମୁଖ ଦାୟିତ୍ବରୁ ଓହରି ଯାଇଥିବା ବିଜେଡି କହିଛି । ବାଲିଯାତ୍ରା ଓଡିଶାର ଐତିହ୍ୟ । ଉଭୟ କେନ୍ଦ୍ର ଓ ରାଜ୍ୟରେ ବିଜେପି ସରକାର ଥିବା ବେଳେ ଏହାକୁ ଜାତୀୟ ମାନ୍ୟତା ପାଇଁ କାହିଁକି ଚିନ୍ତା କରାଗଲାନି ବୋଲି ବିଜେଡି ପ୍ରଶ୍ନ କରିଛି ।

ଲିଚୁ ଲାଇଟ୍ କରେଣ୍ଟ ଲାଗି ପ୍ରାଣ ହରାଇଲେ ଯୁକ୍ତ ଦୁଇ ଛାତ୍ର। ଏଥିପାଇଁ କିଏ ଉତ୍ତରଦାୟୀ? କରେଣ୍ଟ ଲାଗି କେମିତି ଛାତ୍ରଙ୍କ ମୃତ୍ୟୁ ହେଲା, ବୋଲି ବିଜେଡି ପ୍ରଶ୍ନ କରିବା ସହ ମୃତକଙ୍କ ପରିବାରକୁ ୨୦ଲକ୍ଷ ଟଙ୍କାର କ୍ଷତିପୂରଣ ଦାବି କରିଛି । ସେହିପରି ମଞ୍ଚରୁ କଣ୍ଠଶିଳ୍ପୀ ଅସୀମା ପଣ୍ଡାଙ୍କୁ ଓହ୍ଲାଇ ଦିଆଯିବା ଘଟଣାରେ ବି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିଜେଡି । ବାଲିଯାତ୍ରାର ସ୍ୱାଗତ ଭାଷଣ ମେୟର ଦିଅନ୍ତି । ହେଲେ କେମିତି କଟକ ସଦର ବିଧାୟକ ଆରମ୍ଭ କଲେ ? ପୁଣି ଯେଉଁଭଳି ଇଂରାଜୀରେ ଭାଷଣ ଦେଲେ ରାଜ୍ୟକୁ ଲଜ୍ଜିତ କଲେ, ବୋଲି କହିଛି ବିଜେଡି। ତେବେ ବିଜେଡିର ଅଭିଯୋଗ ନେଇ ବିଜେପିର ପ୍ରତିକ୍ରିୟା ମିଳିପାରିନାହିଁ।

ଐତିହାସିକ ବାଲିଯାତ୍ରା କେବଳ କଟକ ନୁହେଁ, ସାରା ରାଜ୍ୟ ପାଇଁ ଆକର୍ଷଣର କେନ୍ଦ୍ର। କ୍ଷମତାକୁ ଆସିବା ପରେ ପ୍ରଥମ ବାଲିଯାତ୍ରା ପରିଚାଳନା କରୁଛନ୍ତି ବିଜେପି ସରକାର । ହେଲେ ବାଲିଯାତ୍ରା ଆରମ୍ଭରୁ ହିଁ ଭୁଲ କାରଣ ଯୋଗୁଁ ଚର୍ଚ୍ଚାରେ ରହିଛି । ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଅପମାନ ହେଉ କି ଛାତ୍ରଙ୍କ ବିଦ୍ୟୁତ ଆଘାତରେ ଜୀବନ ଯିବା, ବାଲିଯାତ୍ରାରେ କେଉଁଠି ନା କେଉଁଠି ପରିଚାଳନାଗତ ତ୍ରୁଟି ସାମନାକୁ ଆସିଛି । ବିଜେଡି ସହ କଂଗ୍ରେସ ବି ବାଲିଯାତ୍ରା ଅବ୍ୟବସ୍ଥାକୁ ନେଇ ରାଜ୍ୟ ବିଜେପି ସରକାରଙ୍କୁ ଟାର୍ଗେଟ୍ କରିଛି । ଓଡିଆ ଅସ୍ମିତା କଥା କହି କ୍ଷମତାକୁ ଆସିଥିବା ବିଜେପିର ଅସ୍ମିତା ମଞ୍ଚରେ କୁଆଡେ ଗଲା ବୋଲି ପ୍ରଶ୍ନ ଉଠିଛି । କାହିଁକି ହଜାର ହଜାର ଲୋକଙ୍କ ଆଗରେ ଭୁଲ ଇଂରାଜୀରେ ଅଭିଭାଷଣ ଦେଇ ଲୋକହସା କରାଇଲେ ବିଜେପି ବିଧାୟକ? ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ଯଦି ରାତି ଅଧ ଯାଏଁ ଚାଲିପାରିବ, କାହିଁକି ମଞ୍ଚରୁ ଅସୀମା ପଣ୍ଡାଙ୍କୁ ଓହ୍ଲାଇ ଦିଆଗଲା? କୁମ୍ଭମେଳାକୁ ଜାତୀୟ ମାନ୍ୟତା ମିଳିଥିବା ବେଳେ କାହିଁକି ବାଲିଯାତ୍ରାକୁ ମିଳିବନି? କାହିଁକି ଅସୁରକ୍ଷିତ ଅବସ୍ଥାରେ ଥିଲା ଲିଚୁ ତାର? କାହାର ଭୁଲ ପାଇଁ ଚାଲିଗଲା ଯୁକ୍ତ ଦୁଇ ଛାତ୍ରଙ୍କ ଜୀବନ? ବାଲିଯାତ୍ରାକୁ ନେଇ ଏମିତି ଅନେକ ପ୍ରଶ୍ନ ଘେରରେ ଘେରି ହୋଇଛନ୍ତି ବିଜେପି ସରକାର ।

Leave a Reply

Your email address will not be published. Required fields are marked *