October 12, 2024
Home » କଳାହାଣ୍ଡି:ବେଦାନ୍ତ କଷ୍ଟିକ ପୋଖରୀ ଭାଙ୍ଗିବା ଘଟଣା : ବିଲାଟିପଦରରେ ରେଳରୋକୋ କଲେ କ୍ଷତିଗ୍ରସ୍ତ ଲୋକେ।

କଳାହାଣ୍ଡି:ବେଦାନ୍ତ କଷ୍ଟିକ ପୋଖରୀ ଭାଙ୍ଗିବା ଘଟଣା : ବିଲାଟିପଦରରେ ରେଳରୋକୋ କଲେ କ୍ଷତିଗ୍ରସ୍ତ ଲୋକେ।

0

 

ଗତ ଶନିବାର ବିଳମ୍ବିତ ରାତିରେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡସ୍ଥିତ ବେଦାନ୍ତ ଲିମିଟେଡ ପ୍ରୋସେସ ୱାଟର ଲେକ ( ବିଷାକ୍ତ କଷ୍ଟିକ ପୋଖରୀ ) ହଠାତ ଭାଙ୍ଗିଯିବାରୁ ଲାଞ୍ଜିଗଡ, ନାରାୟଣପୁର, ଡଙ୍ଗିଝୁଲା, ଛତ୍ରପୁର ସମେତ ଅନ୍ୟାନ୍ୟ ଅଞ୍ଚଳରେ ଅତ୍ୟନ୍ତ ବିଷାକ୍ତ କଷ୍ଟିକ ପାଣି ବହି ଶହ ଶହ ଏକର ଚାଷଜମି ନଷ୍ଟ ହୋଇଯାଇଛି। ସେହିପରି କଳାହାଣ୍ଡି -ରାୟଗଡ଼ା ଜିଲ୍ଲାର ଜୀବନରେଖା କୁହାଯାଉଥିବା ବଂଶଧାରା ନଦୀରେ ବିଷାକ୍ତ କଷ୍ଟିକ ପାଣି ଓ ଅନ୍ୟାନ୍ୟ ବିଷାକ୍ତ କେମିକାଲ ପ୍ରବାହିତ ହେବାରୁ ଲାଞ୍ଜିଗଡରୁ ଆମ୍ବଦଳା, ମୁନିଗୁଡା, ବିଷମକଟକ ଯାଏଁ ଲକ୍ଷ ଲକ୍ଷ ମାଛ, ବେଙ୍ଗ ଓ ସାପ ଆଦି ଜଳଚର ଜୀବ ମରି ପାଣିରେ ଭାସୁଥିବା ଦେଖିବାକୁ ମିଳିଛି। ସେହିପରି ନଦୀର ଉଭୟ କୂଳରେ ଥିବା ଅନେକ ଗାଁରେ ରୋଗ ସଂକ୍ରମଣର ଆଶଙ୍କା, ପାନୀୟ ଜଳ ପ୍ରଦୂଷଣ, ମଣିଷ ଓ ଗାଈଗୋରୁଙ୍କ ଜୀବନ ବିପର୍ଯ୍ୟସ୍ତ ହେବା ଆଶଙ୍କା ବୃଦ୍ଧି ପାଇଛି। ଏହାକୁ ନେଇ ପତ୍ରାପଡା, ବିଲାଟିପଦର, ହରେକୃଷ୍ଣପୁର, ଗୋପୀନାଥପୁର, ଚନ୍ଦନପୁର, ନୂତନ ବାତେଲିମା ଆଦି ଗାଁର ଶତାଧିକ କ୍ଷତିଗ୍ରସ୍ତ ଲୋକେ ବିଲାଟିପଦର ନିକଟସ୍ଥ ରେଳ ଧାରଣାରେ ସକାଳୁ ରେଳରୋକ କରିବା ସହିତ ଧାରଣାରେ ବସିଥିଲେ। ଦୀର୍ଘ ସମୟ ଯାଏଁ ରେଳରୋକ କରିବା ଫଳରେ ବେଦାନ୍ତ ପ୍ରକଳ୍ପ ସମେତ ସ୍ଥାନୀୟ ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଥିଲା। ଘଟଣାର ଗୁରୁତ୍ୱ ଦୃଷ୍ଟିରୁ ବେଦାନ୍ତ କର୍ତୃପକ୍ଷ ଘଟଣାସ୍ଥଳକୁ ଆସି ବୁଝାସୁଝା ପାଇଁ ଉଦ୍ୟମ କରିଥିଲେ ହେଁ ଲୋକେ ବୁଝିନଥିଲେ। ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଯିବା ଆଶଙ୍କା ଦେଖାଦେବାରୁ ଲାଞ୍ଜିଗଡ ପୁଲିସ ଘଟଣାସ୍ଥଳରେ ପହଂଚିବା ସହିତ ପରିସ୍ଥିତି ଉପରେ ତୀକ୍ଷଣ ନଜର ରଖିଥିଲା। କ୍ଷତିଗ୍ରସ୍ତ ଲୋକେ କ୍ଷୟକ୍ଷତିର ଆକଳନ କରି କପା ଚାଷ ଏକର ପ୍ରତି ଏକ ଲକ୍ଷ ତିରିଶ ହଜାର, ଧାନ ଚାଷ ଏକର ପ୍ରତି ସତୁରି ହଜାର ଟଙ୍କା କ୍ଷତିପୂରଣ ସହିତ ପ୍ରଭାବିତ ଗାଁ ଗୁଡିକୁ ମାଗଣା ଚିକିତ୍ସା ବ୍ୟବସ୍ଥା, ଦିନକୁ ଦୁଇଓଳି ଟ୍ୟାଙ୍କର ଯୋଗେ ପାନୀୟ ଜଳ ଯୋଗାଣ ପାଇଁ ଦାବି କରିଥିଲେ। ତେବେ କମ୍ପାନୀ କର୍ତୃପକ୍ଷ ଲୋକଙ୍କୁ କୌଣସି ନିର୍ଭର ପ୍ରତିଶୃତି ନଦେବାରୁ ଦୀର୍ଘ ପାଞ୍ଚ ଘଣ୍ଟା ପର୍ଯ୍ୟନ୍ତ ରେଳରୋକ ଜାରି ରହିଥିଲା। ଦୀର୍ଘ ସମୟ ଧରି ରେଳରୋକ ହେବାରୁ କମ୍ପାନୀ ପାଇଁ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଥିଲା। ଶେଷରେ ଲୋକଙ୍କ ଦାବି ଆଗରେ ମୁଣ୍ଡ ନୁଆଇଁଥିଲେ ବେଦାନ୍ତ କର୍ତୃପକ୍ଷ। ଆସନ୍ତା ୧୯ ତାରିଖ ସୁଦ୍ଧା ଜିଲ୍ଲା ପ୍ରଶାସନର ଉପସ୍ଥିତିରେ ସମସ୍ତ ଦାବି ଗ୍ରହଣ କରାଯିବ ବୋଲି ଲିଖିତ ପ୍ରତିଶୃତି ଦେଇଥିଲେ। ସେହିପରି ପ୍ରଭାବିତ ଅଞ୍ଚଳରେ ସ୍ୱାସ୍ଥ୍ୟସେବା ଓ ଟ୍ୟାଙ୍କର ଯୋଗେ ପାନୀୟ ଜଳ ଯୋଗାଇଦେବା ପ୍ରସ୍ତାବକୁ ତୁରନ୍ତ କାର୍ଯ୍ୟକାରୀ କରାଯିବାକୁ ନିଷ୍ପତ୍ତି ହୋଇଥିଲା। ଶେଷରେ ଲାଞ୍ଜିଗଡ ପୁଲିସ ଉପସ୍ଥିତିରେ ଲିଖିତ ପ୍ରତିଶୃତି ଦିଆଯିବା ପରେ ଅପରାହ୍ନ ୨. ୪୫ ସମୟରେ ରେଳରୋକ ପ୍ରତ୍ୟାହୃତ ହୋଇଥିଲା। ସେହିପରି କଷ୍ଟିକ ପୋଖରୀ ଦ୍ୱାରା ପ୍ରଦୂଷଣର ଶିକାର ହୋଇଥିବା ବିଜାବଣ୍ଡଲି ଓ ପାଇକ ରାଣୀପିଣ୍ଡାଠାରେ ମଧ୍ୟ ଲୋକେ ରାସ୍ତାକୁ ଓହ୍ଲାଇ କ୍ଷତିପୂରଣ ଦାବି କରିଛନ୍ତି। ତେବେ କମ୍ପାନୀ କର୍ତୃପକ୍ଷଙ୍କ ଦାୟିତ୍ୱହୀନତା, ଏତେବଡ ଅଘଟଣ ପରେ ବି ଉଦାସୀନ ରହିବା ଓ ଲୋକଙ୍କୁ ଭୁଆଁ ବୁଲାଇବାକୁ ନେଇ ଅଞ୍ଚଳରେ ତୀବ୍ର ଜନ ଅସନ୍ତୋଷ ଦେଖିବାକୁ ମିଳିଛି। ଆଜି ବିଲାଟିପଦର, ବିଜାବଣ୍ଡଲି ଓ ପାଇକ ରାଣୀପିଣ୍ଡାରେ ଜନ ଆନ୍ଦୋଳନ ଆରମ୍ଭ ମାତ୍ର ହୋଇଥିବାବେଳେ ଏବେ ଅଞ୍ଚଳର ଗାଁ ଗାଁରେ ବେଦାନ୍ତ ବିରୋଧୀ ହାୱା ବହିବାକୁ ଲାଗିଲାଣି। ଦିନକୁ ଦିନ ଜନ ଅସନ୍ତୋଷ ବଢ଼ି ଚାଲିଥିବାବେଳେ ଏସବୁକୁ ରୋକିବାକୁ କମ୍ପାନୀ କର୍ତୃପକ୍ଷଙ୍କୁ ବହୁମୂଲ୍ୟ ଦେବାକୁ ପଡିପାରେ ବୋଲି ଆଲୋଚନା ହେଉଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ …..

Leave a Reply

Your email address will not be published. Required fields are marked *