August 8, 2026
Home » କଳାହାଣ୍ଡି ଜିଲ୍ଲାରେ ପୁଣି ଏକ ଛୁଆ ଦନ୍ତା ହାତୀର ମୃତ୍ୟୁ

କଳାହାଣ୍ଡି ଜିଲ୍ଲାରେ ପୁଣି ଏକ ଛୁଆ ଦନ୍ତା ହାତୀର ମୃତ୍ୟୁ

0
WhatsApp Image 2026-08-08 at 1.57.35 PM

 

ତ୍ତର ବନଖଣ୍ଡ ଅଞ୍ଚଳରେ ବାରମ୍ବାର ହାତୀ ମୃତ୍ୟୁ ନେଇ ଉଦବେଗ…

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଉତ୍ତର ବନଖଣ୍ଡ ଅନ୍ତର୍ଗତ ନର୍ଲା ରେଞ୍ଜରେ ପୁଣି ଏକ ଛୁଆ ଦନ୍ତା ହାତୀର ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି। କମେଗାଁ ବିଟ୍ ଅଧୀନ ଜାମପଦର ଓ ଖଇରମାଲ ଗ୍ରାମ ମଧ୍ୟବର୍ତ୍ତୀ ଜଙ୍ଗଲ ଅଞ୍ଚଳରୁ ହାତୀଟିର ମୃତଦେହ ଠାବ ହୋଇଥିବା ବେଳେ ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ହାତୀଟିର ମୃତ୍ୟୁ କେଉଁ କାରଣରୁ ଘଟିଛି, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

ସୂଚନା ଅନୁଯାୟୀ ଗତ ରାତିରେ ହାତୀଟିର ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି। ସକାଳେ ସ୍ଥାନୀୟ ଲୋକେ ଜଙ୍ଗଲ ଅଞ୍ଚଳରେ ହାତୀଟିର ମୃତଦେହ ଦେଖି ବନ ବିଭାଗକୁ ସୂଚନା ଦେଇଥିଲେ। ଖବର ପାଇବା ପରେ ନର୍ଲା ରେଞ୍ଜର ବନ ଅଧିକାରୀ ଓ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଯାଞ୍ଚ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ବନ ବିଭାଗ ପକ୍ଷରୁ କୁହାଯାଇଛି ଯେ ହାତୀଟିର ମୃତ୍ୟୁର ପ୍ରକୃତ କାରଣ ଜାଣିବା ପାଇଁ ଆବଶ୍ୟକ ବୈଜ୍ଞାନିକ ପରୀକ୍ଷା, ବ୍ୟବଚ୍ଛେଦ ଓ ଅନ୍ୟାନ୍ୟ ତଦନ୍ତ ପ୍ରକ୍ରିୟା ଚାଲିଛି। ସମସ୍ତ ରିପୋର୍ଟ ମିଳିବା ପରେ ହିଁ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ନର୍ଲା ରେଞ୍ଜ ଅଧିକାରୀ ସୁନୀଲ ମିଶ୍ର ସୂଚନା ଦେଇଛନ୍ତି।

ପ୍ରାଥମିକ ତଦନ୍ତରେ କୌଣସି ନିର୍ଦ୍ଦିଷ୍ଟ କାରଣ ସାମ୍ନାକୁ ଆସିନଥିବାରୁ ବନ ବିଭାଗ ସମସ୍ତ ଦିଗକୁ ଦୃଷ୍ଟିରେ ରଖି ତଦନ୍ତ କରୁଛି। ଏହି ଘଟଣା ପରେ ଉତ୍ତର ବନଖଣ୍ଡ ଅଞ୍ଚଳରେ ଲଗାତାର ହାତୀ ମୃତ୍ୟୁ ଘଟଣାକୁ ନେଇ ପୁଣି ଚିନ୍ତା ପ୍ରକାଶ ପାଇଛି। ଗତ ମେ ମାସରେ ନର୍ଲା ରେଞ୍ଜର କମର୍ଦ୍ଧା ଜଙ୍ଗଲର ଏକ ପୋଖରୀ ନିକଟରେ ମଧ୍ୟ ଏକ ହାତୀର ମୃତଦେହ ଉଦ୍ଧାର ହୋଇଥିଲା। ସେତେବେଳେ ବନ ବିଭାଗ ଦୁଇଟି ହାତୀଙ୍କ ମଧ୍ୟରେ ହୋଇଥିବା ଲଢ଼େଇରେ ଗୋଟିଏ ହାତୀର ମୃତ୍ୟୁ ଘଟିଥିବା ସ୍ପଷ୍ଟୀକରଣ ଦେଇଥିଲା। ତେବେ ଅଳ୍ପ ସମୟ ବ୍ୟବଧାନରେ ପୁଣି ଏକ ଦନ୍ତା ହାତୀର ମୃତ୍ୟୁ ଘଟିବା ବନ୍ୟଜନ୍ତୁ ସୁରକ୍ଷା ବ୍ୟବସ୍ଥାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠାଇଛି। ହାତୀମାନଙ୍କ ଚଳପ୍ରଚଳ ଅଞ୍ଚଳରେ ନିୟମିତ ନଜର, ସେମାନଙ୍କ ସ୍ୱାସ୍ଥ୍ୟ ଓ ସୁରକ୍ଷା ଉପରେ ଅଧିକ ଗୁରୁତ୍ୱ ଦିଆଯିବା ଆବଶ୍ୟକ ବୋଲି ସାଧାରଣରେ ଦାବି ହୋଇଛି ।
ଜଙ୍ଗଲ ଅଞ୍ଚଳରେ ଖାଦ୍ୟ ଓ ପାଣିର ଉପଲବ୍ଧତା, ବିଦ୍ୟୁତ ତାର, ମାନବ-ହାତୀ ସଂଘର୍ଷ ଏବଂ ଅନ୍ୟାନ୍ୟ ସମ୍ଭାବ୍ୟ ବିପଦ ଦିଗକୁ ମଧ୍ୟ ବନ ବିଭାଗ ଅଧିକ ସତର୍କତା ସହ ବିଚାର କରିବା ଦରକାର ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଥିବା ବେଳେ ଭବିଷ୍ୟତରେ ଏଭଳି ଘଟଣାର ପୁନରାବୃତ୍ତି ରୋକିବାକୁ ଦୃଢ଼ ପଦକ୍ଷେପ ନେବାର ଆବଶ୍ୟକତା ରହିଛି। ବର୍ତ୍ତମାନ ବନ ବିଭାଗର ତଦନ୍ତ ରିପୋର୍ଟକୁ ସମସ୍ତଙ୍କ ଅପେକ୍ଷା ରହିଛି। ରିପୋର୍ଟ ପ୍ରକାଶ ପାଇବା ପରେ ହାତୀଟିର ମୃତ୍ୟୁର ପ୍ରକୃତ କାରଣ ସାମ୍ନାକୁ ଆସିବ ବୋଲି ବନ ବିଭାଗ ସୂଚନା ଦେଇଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Leave a Reply

Your email address will not be published. Required fields are marked *