କଳାହାଣ୍ଡି ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଆ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା। ପରମ୍ପରା ନାଁରେ ପଡ଼ିଲା ପଶୁ ବଳି….

ଆଜି କଳାହାଣ୍ଡି ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଆ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ଶେଷ ହୋଇଛି ।ପରମ୍ପରା ନାଁରେ ଆଜି ପଡ଼ିଲା ଶହ ଶହ ପଶୁ ବଳି। ପୁଣି ରକ୍ତରଞ୍ଜିତ ହୋଇଛି ଭବାନୀପାଟଣା ସହର ରାଜରାସ୍ତା। ଚଳିତବର୍ଷ ବି ଶ୍ରଦ୍ଧାଳୁମାନେ ନିଜ ମାନସିକ ପୂରଣ ଲାଗି ନିରୀହ ପଶୁ ବଳି ଦେଇଛନ୍ତି। ଭବାନୀପାଟଣାର ନାଗ ବଂଶୀୟ ରାଜ ପରିବାରର ତଥା କଳାହାଣ୍ଡି ବାସିନ୍ଦାଙ୍କ ଆରାଧ୍ୟ ଦେବୀ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଙ୍କ ସମାବେଶ ମଧ୍ୟରେ ମହାଆଡମ୍ବରରେ ଅନୁଷ୍ଠିତ ହୋଇଛି।
ଆଜି ଭୋର ୪ଟା ପରେ ମା’ଙ୍କର ବିଜୟ ଛତର ସହର ଉପକଣ୍ଠରେ ଥିବା ଜେନାଖାଲରୁ ବାହାରିଥିଲା। ମଧ୍ୟରାତ୍ରରେ ଜେନାଖାଲରେ ରୀତିନୀତି ଅନୁଯାୟୀ ଗୁପ୍ତ ପୂଜା ପରେ ମାଆଙ୍କ ବିଜୟ ପ୍ରତିମା ଛତର ମନ୍ଦିର ଅଭିମୁଖେ ପ୍ରତ୍ୟାବର୍ତ୍ତନ କରିଥିଲେ। ଦିନ ୧୨ଟା ପୁର୍ବରୁ ରାଜବାଟି ସ୍ଥିତ ମା ମାଣିକେଶ୍ୱରୀ ମନ୍ଦିରରେ ପହଞ୍ଚିବା ନେଇ ସମୟ ସ୍ଥିର ହୋଇଥଲା।ଭକ୍ତମାନେ ଶାନ୍ତି ଓ ମୈତ୍ରୀର ପ୍ରତୀକ କଳା ଓ ଧଳା ରଙ୍ଗର ପାରାକୁ ଛତର ଉପରେ ଉଡାଇଛନ୍ତି। ମାଆଙ୍କ ଛତର ଯାତ୍ରା ଦେଖିବାକୁ ଜିଲ୍ଲା ତଥା ଜିଲ୍ଲା ବାହାରରୁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି।
ଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ କୁ ଦୃଷ୍ଟିରେ ରଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଆଇନ ଶୃଂଖଳା ଏବଂ ଟ୍ରାଫିକ ନିୟନ୍ତ୍ରଣ ଦୃଷ୍ଟିରେ କଳାହାଣ୍ଡି ଏସପି ଅଭିଳାଷ ଜୀ ଙ୍କ ନେତୃତ୍ବରେ ଜଣେ ଅତିରିକ୍ତ ଏସ୍ପି, ୯ଜଣ ଡିଏସ୍ପି, ୧୮ ଜଣ ଇନ୍ସପେକ୍ଟର, ୩୬ ଜଣ ସବଇନ୍ସପେକ୍ଟର, ୪୮ଜଣ ଏଏସଆଇ ଓ ୧୫ ପ୍ଲାଟୁନ ପୁଲିସ ଫୋର୍ସ ସହ ୧୦୦ ହୋମଗାର୍ଡ ମୁତୟନ ହୋଇଥିଲେ।
ମାଆ ମାଣିକେଶ୍ୱରୀ ମହାଷ୍ଟମୀର ମଧ୍ୟରାତ୍ରରେ ଗର୍ଭଗୃହରୁ ବାହାରକୁ ଆସନ୍ତି ଏବଂ ପାଖାପାଖି ୩କିମି ଦୂର ଜେନାଖାଳକୁ ଯାଆନ୍ତି ।ମହାଷ୍ଟମୀର ସକାଳେ ନଗର ପରିଭ୍ରମଣରୁ ଏହି ଯାତ୍ରା ଆରମ୍ଭ ହୁଏ । ଏକ ବାଉଁଶକୁ କଳା କପଡ଼ାରେ ଗୁଡ଼ାଯାଇ ମାଆ ମାଣୀକେଶ୍ୱରୀଙ୍କର ପ୍ରତିନିଧିତ୍ୱ କରାଯାଏ । ଚାନ୍ଦିର ଏକ ପାତ୍ର ଯାହା ଉପରେ ଦଶମହାବିଦ୍ୟା ଯନ୍ତ୍ର ଖୋଦିତ ହୋଇଥାଏ ଯାହାକି ହିନ୍ଦୁମାନଙ୍କର ତାନ୍ତ୍ରିକ ରୂପ ଦେଖାଏ।ଏହି ଚାନ୍ଦିର ପାତ୍ରଟି କଳା କପଡ଼ା ଗୁଡ଼ାଯାଇଥିବା ବାଉଁଶର ଉର୍ଦ୍ଧ୍ୱରେ ଲଗାଯାଇଥାଏ । ମାଆ ମାଣୀକେଶ୍ୱରୀଙ୍କୁ ଖୁସି କରିବା ପାଇଁ କଳାହାଣ୍ଡି ଜିଲ୍ଲାର ପାରମ୍ପରିକ ଆଦିବାସୀ ନୃତ୍ୟ ଘୁମୁରା ପ୍ରଦର୍ଶନ କରାଯାଇଥାଏ । ଏହି ପର୍ବକୁ ଦେଖିବା ପାଇଁ ଅସଂଖ୍ୟ ଲୋକଙ୍କର ଭିଡ଼ ଜମିଥାଏ ।
ପରମ୍ପରା ଅନୁଯାୟୀ ମାନସିକଧାରୀ ଭକ୍ତ ମାନେ ମାଁଆଙ୍କ ଛତର ଜେନାଖାଲରୁ ବାହାରିବା ପରେ ରାସ୍ତାର ଦୁଇ ପାର୍ଶ୍ୱରେ କୁକୁଡ଼ା, ବୋଦା ବଳି ପାଳନ କରୁଛନ୍ତି । ପଶୁ ଓ ପକ୍ଷୀର ରକ୍ତରେ ରକ୍ତରଞ୍ଜିତ ହୋଇଛି ଭବାନୀପାଟଣା ରାସ୍ତା । ବାଜା ଏବଂ ଘଣ୍ଟରେ ଦୁଲୁକିଥିଲା ପୁରା ପରିବେଶ । ମାଣିକେଶ୍ବରୀ ମନ୍ଦିରରେ ଛତର ପହଞ୍ଚିଥିବା ପରେ ସେଠାରେ କଳାହାଣ୍ତି ରାଜପରିବାର ଛତରକୁ ସ୍ବାଗତ କରି ମନ୍ଦିରକୁ ପାଛୋଟି ନେଇଥିଲେ।
ବିଦ୍ୟାଧର ସାହୁଙ୍କ ରିପୋର୍ଟ…