April 27, 2025
Home » କେନ୍ଦ୍ରକୁ ‘ସୁପ୍ରିମ୍‌ କୋର୍ଟଙ୍କ ଭର୍ତ୍ସନା : ସୁପାରିସ୍‌ ସତ୍ତ୍ବେ ବିଚାରପତି ନିଯୁକ୍ତି କାହିଁକି ହେଲାନି

କେନ୍ଦ୍ରକୁ ‘ସୁପ୍ରିମ୍‌ କୋର୍ଟଙ୍କ ଭର୍ତ୍ସନା : ସୁପାରିସ୍‌ ସତ୍ତ୍ବେ ବିଚାରପତି ନିଯୁକ୍ତି କାହିଁକି ହେଲାନି

0
WhatsApp Image 2024-09-21 at 12.04.48 PM

 

ନୂଆଦିଲ୍ଲୀ : ବିଚାରପତି ନିଯୁକ୍ତିକୁ ନେଇ ସୁପ୍ରିମକୋର୍ଟ ପୁଣି କେନ୍ଦ୍ର ସରକାରଙ୍କୁ ଭର୍ତ୍ସନା କରିଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି, କଲେଜିୟମ ଏକ ‘ସର୍ଚ୍ଚ କମିଟି’ ନୁହେଁ। କଲେଜିୟମ ସୁପାରିସକୁ ଗ୍ରହଣ କରିବାରେ କୌଣସି ବାଛବିଚାର କରାଯିବା ଅନୁଚିତ। ଏହାକୁ ଅଟକାଇ ରଖାଯାଇପାରିବ ନାହିଁ ବୋଲି ପ୍ରଧାନ ବିଚାରପତିଙ୍କ ନେତୃତ୍ବାଧୀନ ଖଣ୍ଡପୀଠ କହିଛନ୍ତି।

ଏକ ଜନସ୍ବାର୍ଥ ମାମଲାର ବିଚାର କରି ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ସ୍ପଷ୍ଟୀକରଣ ମାଗିବା ସହ ସୁପାରିସ ସତ୍ତ୍ବେ କାହିଁକି ବିଚାରପତି ନିଯୁକ୍ତି ଦିଆଗଲାନି ବୋଲି ପ୍ରଶ୍ନ କରିଛନ୍ତି। ଏଥିସହିତ ଖାଲି ପଡ଼ିଥିବା ନ୍ୟାୟିକ ପଦବୀ ସଂଖ୍ୟା ଏବଂ ସ୍ଥିତି ସହିତ ପଦବୀ ପୂରଣରେ ବିଳମ୍ବର କାରଣ ଦର୍ଶାଇବାକୁ ଆଟର୍ଣ୍ଣି ଜେନେରାଲଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଶୁଣାଣି ସମୟରେ ସିଜେଆଇ କହିଛନ୍ତି ଯେ କଲେଜିୟମ ସୁପାରିସ ଅନୁସାରେ ସରକାର ନାମ ତାଲିକା ପ୍ରସ୍ତୁତ କରନ୍ତୁ। ଏବେ କିଛି ନିଯୁକ୍ତି ବିଚାରାଧୀନ ରହିଛି।

ଖୁବ୍‌ଶୀଘ୍ର ଏହାକୁ ଅନୁମତି ଦିଆଯିବ ବୋଲି ଆଶା। ଏହାପରେ କୋର୍ଟ ଆଟର୍ଣ୍ଣି ଜେନେରାଲଙ୍କ ଅନୁରୋଧରେ ମାମଲାର ଶୁଣାଣିକୁ ସ୍ଥଗିତ ରଖିଥିଲେ। ଆଇନଜୀବୀ ହର୍ଷ ବିଭୋର ସିଙ୍ଘଲଙ୍କ ଦ୍ବାରା ଦାଏର ମାମଲାରେ ସୁପ୍ରିମକୋର୍ଟ କଲେଜିୟମଙ୍କ ସୁପାରିସ ଉପରେ ସମୟସୀମା ଧାର୍ଯ୍ୟ କରିବାକୁ ଦାବି କରାଯାଇଥିଲା। ପୂର୍ବରୁ ବିଭିନ୍ନ ହାଇକୋର୍ଟରେ ବିଚାରପତି ନିଯୁକ୍ତି ନେଇ କଲେଜିୟମ କରିଥିବା ସୁପାରିସ ମଧ୍ୟ କେନ୍ଦ୍ର ନିକଟରେ ପଡ଼ି ରହିଛି। ଏହାକୁ ନେଇ ଝାଡ଼ଖଣ୍ଡ ସରକାର କେନ୍ଦ୍ର ସରକାରଙ୍କ ବିରୋଧରେ ସୁପ୍ରିମକୋର୍ଟରେ ଅଦାଲତ ଅବମାନନା ମାମଲା ମଧ୍ୟ ଦାଏର କରିଛନ୍ତି। ହାଇକୋର୍ଟର ମୁଖ୍ୟ ବିଚାରପତି ନିଯୁକ୍ତିରେ ବିଳମ୍ବ ହେଉଥିବାରୁ ନ୍ୟାୟିକ କାର୍ଯ୍ୟରେ ସମସ୍ୟା ସୃଷ୍ଟି ହେଉଛି ବୋଲି କୁହାଯାଇଛି।

ଇପିଏରୁ ବିରଞ୍ଚିନାରାୟଣ ପତ୍ରୀ ଙ୍କ ରିପୋର୍ଟ, ଇଷ୍ଟଣ୍ଣ ପ୍ରେସ ଏଜେନ୍ସି, ଭୁବନେଶ୍ୱର

Leave a Reply

Your email address will not be published. Required fields are marked *