November 13, 2026
Home » କେନ୍ଦ୍ରାପଡ଼ା କ୍ରେଡିଟ୍ ସମବାୟ ସମିତିର ୧୮ତମ ଶାଖା ବାଲିକୁଦାରେ ଉଦ୍‌ଘାଟିତ

କେନ୍ଦ୍ରାପଡ଼ା କ୍ରେଡିଟ୍ ସମବାୟ ସମିତିର ୧୮ତମ ଶାଖା ବାଲିକୁଦାରେ ଉଦ୍‌ଘାଟିତ

0
WhatsApp Image 2026-11-13 at 4.55.09 PM

ଜଗତସିଂହପୁର ଜିଲ୍ଲାରେ ସମବାୟ ସେବାର ସମ୍ପ୍ରସାରଣ ସହ ଆର୍ଥିକ ଓ ସାମାଜିକ ବିକାଶକୁ ଗୁରୁତ୍ୱ
ବାଲିକୁଦା: ଜଗତସିଂହପୁର ଜିଲ୍ଲାର ବାଲିକୁଦା ଅଞ୍ଚଳରେ କେନ୍ଦ୍ରାପଡ଼ା କ୍ରେଡିଟ୍ ସମବାୟ ସମିତି ଲିଃ.ର ୧୮ତମ ଶାଖା ଶୁଭ ଉଦ୍‌ଘାଟିତ ହୋଇଯାଇଛି। ଏହି ନୂତନ ଶାଖାର ଶୁଭାରମ୍ଭ ଫଳରେ ଜଗତସିଂହପୁର ଜିଲ୍ଲାର ବାଲିକୁଦା ଓ ନିକଟବର୍ତ୍ତୀ ଅଞ୍ଚଳର ଲୋକମାନେ ଉନ୍ନତ ସମବାୟ ଓ ଆର୍ଥିକ ସେବା ପାଇବାର ସୁଯୋଗ ପାଇବେ।
କାର୍ଯ୍ୟକ୍ରମରେ ସମିତିର ସମ୍ପାଦକ ଶ୍ରୀ ଅରବିନ୍ଦ ସାହୁ ସ୍ୱାଗତ ଭାଷଣ ପ୍ରଦାନ କରି ଅତିଥିମାନଙ୍କୁ ସ୍ୱାଗତ ଜଣାଇବା ସହ ସମବାୟ ଆନ୍ଦୋଳନର ମହତ୍ତ୍ୱ, ସମିତିର କାର୍ଯ୍ୟଧାରା ଓ ନୂତନ ଶାଖା ସ୍ଥାପନର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ।
ମୁଖ୍ୟ ଅତିଥି ଶ୍ରୀ କମଳଜନ୍ତ ତ୍ରିପାଠୀ (I.E.S), ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦର ଯୁଗ୍ମ ସଚିବ, ନିଜ ବକ୍ତବ୍ୟରେ ସମବାୟ ସଂସ୍ଥାର ସଫଳତା ଓ ସୁଦୃଢ଼ୀକରଣ ପାଇଁ କର୍ମଚାରୀ ଏବଂ ସଦସ୍ୟମାନଙ୍କ ଦାୟିତ୍ୱ, କର୍ତ୍ତବ୍ୟ ଓ ସକ୍ରିୟ ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ।
ଅନ୍ୟତମ ଅତିଥି ଭାବେ ଶ୍ରୀ ପ୍ରସନ୍ନ କୁମାର ଜେନା, ଅବସରପ୍ରାପ୍ତ ସମବାୟ ବିଭାଗର ମହାଲେଖା ପରୀକ୍ଷକ; ଶ୍ରୀ କୁଳମଣି ପାଢ଼ୀ, ଅବସରପ୍ରାପ୍ତ ସଦସ୍ୟ, ଓଡ଼ିଶା ସମବାୟ ନ୍ୟାୟାଧିକରଣ, ଭୁବନେଶ୍ୱର; ଶ୍ରୀ ପି. କନ୍ନାୟା, ନିର୍ଦ୍ଦେଶକ, ଏମ୍.ଆଇ.ସି.ଏମ୍., ଭୁବନେଶ୍ୱର ଏବଂ ଶ୍ରୀ ରାଜକିଶୋର ସାହୁ, ସଭାପତି, ବାଲିକୁଦା ବଜାର କମିଟି ଯୋଗଦେଇଥିଲେ। ସେମାନେ ନିଜ ନିଜ ବକ୍ତବ୍ୟରେ ସମବାୟ ଆନ୍ଦୋଳନର ବିକାଶ, ଆର୍ଥିକ ସୁଦୃଢ଼ୀକରଣ, ସଦସ୍ୟମାନଙ୍କ ସହଯୋଗ ଏବଂ ଗ୍ରାମାଞ୍ଚଳର ଆର୍ଥିକ ପ୍ରଗତିରେ ସମବାୟ ସଂସ୍ଥାର ଗୁରୁତ୍ୱପୂର୍ଣ୍ଣ ଭୂମିକା ବିଷୟରେ ମତ ପ୍ରକାଶ କରିଥିଲେ।
ସଭାପତି ଶ୍ରୀ ପ୍ରମୋଦ କୁମାର ସାହୁ ନିଜ ଅଭିଭାଷଣରେ ସମିତିର ଉନ୍ନତି ଓ ଅଗ୍ରଗତି ସମ୍ପର୍କରେ ଆଲୋଚନା କରିବା ସହ ସମବାୟ ସମିତି କେବଳ ଆର୍ଥିକ କାରବାରରେ ସୀମିତ ନ ରହି ସାମାଜିକ କାର୍ଯ୍ୟ, ଜନକଲ୍ୟାଣ ଓ ଜନସେବାମୂଳକ କାର୍ଯ୍ୟରେ ମଧ୍ୟ ଅଗ୍ରଣୀ ଭୂମିକା ନେଉଥିବା ପ୍ରକାଶ କରିଥିଲେ। ୧୮ତମ ଶାଖାର ଶୁଭାରମ୍ଭ ସମିତିର ବିକାଶ ଯାତ୍ରାରେ ଏକ ନୂତନ ଅଧ୍ୟାୟ ବୋଲି ସେ ମତବ୍ୟକ୍ତ କରିଥିଲେ।
କାର୍ଯ୍ୟକ୍ରମର ସଫଳ ଆୟୋଜନରେ ସମିତିର ସହକାରୀ ମହାପ୍ରବନ୍ଧକ ଶ୍ରୀ ରମେଶ ସେଠୀ, ନୋଡାଲ ଅଧିକାରୀ ଶ୍ରୀ ଦିଲ୍ଲୀପ ସ୍ୱାଇଁ, ଶ୍ରୀ ଦେବାଶିଷ ସାହୁ, ଶ୍ରୀ ହିମାଂଶୁ ବାଇ, ନେଟୱର୍କ ପ୍ରଶାସକ ଶ୍ରୀ ପବିତ୍ର ଜେନା ଏବଂ ଶାଖା ପରିଚାଳକ ଶ୍ରୀ ମନୋରଞ୍ଜନ ମୁଦୁଲି ସହଯୋଗ କରିଥିଲେ।
ଶେଷରେ ସମିତିର ଅତିରିକ୍ତ ସମ୍ପାଦକ ଶ୍ରୀ ମନୋଜ କୁମାର ସାହୁ ଧନ୍ୟବାଦ ଅର୍ପଣ କରି ସମସ୍ତ ଅତିଥି, ସଦସ୍ୟ, କର୍ମଚାରୀ ଓ ସହଯୋଗୀମାନଙ୍କୁ କୃତଜ୍ଞତା ଜଣାଇଥିଲେ।
ସମିତିର ୧୮ତମ ଶାଖାର ଶୁଭାରମ୍ଭ ଦ୍ୱାରା ଜଗତସିଂହପୁର ଜିଲ୍ଲାରେ ସମବାୟ ସେବାର ଆହୁରି ସମ୍ପ୍ରସାରଣ ହେବା ସହ ଗ୍ରାମାଞ୍ଚଳର ଲୋକଙ୍କ ଆର୍ଥିକ ସମୃଦ୍ଧି, ସ୍ୱାବଲମ୍ବନ ଓ ସାମାଜିକ ବିକାଶରେ ଏହି ଶାଖା ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ ବୋଲି ଆଶା ପ୍ରକାଶ ପାଇଛି।

Leave a Reply

Your email address will not be published. Required fields are marked *