October 10, 2024
Home » କୋଶଲି ସମ୍ବଲପୁରୀ ବିବାଦ ଯୋଗୁଁ ପଶ୍ଚିମ ଓଡିଶାର ଅସ୍ମିତା କ୍ଷୁର୍ଣ୍ଣ ନ ହେଉ

କୋଶଲି ସମ୍ବଲପୁରୀ ବିବାଦ ଯୋଗୁଁ ପଶ୍ଚିମ ଓଡିଶାର ଅସ୍ମିତା କ୍ଷୁର୍ଣ୍ଣ ନ ହେଉ

0

 

ସୁବର୍ଣ୍ଣପୁର –କୋଶଲି ସମ୍ବଲପୁରୀ ବିବାଦ ଏବେ ହାଟରୁ ଯାଇ ବାଟରେ ଗଡିବାକୁ ଆରମ୍ଭ କଲାଣି I ପଶ୍ଚିମ ଓଡିଶାବାସୀଙ୍କ ମାତୃଭାଷାର ନାମକୁ କେନ୍ଦ୍ର କରି ଏହି ବିବାଦ କେତେକ ନିର୍ଦ୍ଦିଷ୍ଟ ଲୋକଙ୍କ ମଧ୍ୟରେ ସୀମିତ ବୋଲି ଗତ 17 ତାରିଖରୁ 22 ତାରିଖ ପର୍ଯ୍ୟନ୍ତ ସମଗ୍ର ପଶ୍ଚିମ ଓଡିଶାର ଦଶଟି ଜିଲ୍ଲା ଦେଇ ଗଡିଥିବା କୋଶଲ ଅସ୍ମିତା ରଥଯାତ୍ରାରୁ ଏହା ସ୍ପଷ୍ଟ ହୋଇ ଯାଇଛି I ଏହି ରଥର ଅଗ୍ରଗତିକୁ କେବଳ ବରଗଡ ସମ୍ବଲପୁର ରାସ୍ତାରେ ଥିବା ଗୋଡଭଗା ନିକଟରେ ମୁଷ୍ଟିମେୟ ଲୋକଙ୍କ ଦ୍ବାରା ବିରୋଧ କରାଯାଇଥିଲା I ଉଲ୍ଲେଖନୀୟ ବିଷୟ ଏହି ଯେ ଏହି ଭଳି ବିରୋଧାଭାଷ ଦ୍ବାରା ସମଗ୍ର ପଶ୍ଚିମ ଓଡିଶାବାସୀଙ୍କ ଘୋର କ୍ଷତି ହେଉଛି I ଏତଦ୍ବାରା ପଶ୍ଚିମ ଓଡିଶାର ଅସ୍ମିତା ଏହାର ଭାଷା , ସଂସ୍କୃତି କ୍ରମେ ସମାଧି ଭଜିବାକୁ ଯାଉଛି I 1936 ମସିହା ପୂର୍ବରୁ କାନ୍ତିଲାଲ ଭଟ୍ଟାଚାର୍ଯ୍ୟଙ୍କ ଭଳି କେତେକ ବଙ୍ଗାଳି ଲୋକ ‘ଉଡିଆ ଏକଟା ସ୍ବତନ୍ତ୍ର ଭାଷା ନଏ’ କହିଲା ଭଳି ଡ. ନିଳକଣ୍ଠ ରଥ ଓ ଡ. ଦେବୀ ପ୍ରସନ୍ନ ପଟ୍ଟନାୟକଙ୍କ ଭଳି କିଛି ଲୋକ କହୁଛନ୍ତି ‘କୋଶଲି / ସମ୍ବଲପୁରୀ ଏକ ସ୍ବତନ୍ତ୍ର ଭାଷା ନୁହେଁ I ଏହା ଓଡିଆ ଭାଷାର ଏକ ଉପଭାଷା ’ ଯଦିଓ ସେମାନେ ସ୍ବୀକାର କରୁଛନ୍ତି ଯେ ଏହି ଭାଷା ରାମାୟଣ ଯୁଗରୁ ଚଳି ଆସୁଛି ଓ ଏହା ଅତ୍ୟନ୍ତ ପ୍ରାଚୀନ ଓ ସମୃଦ୍ଧ ଅଟେ I ସେମାନେ ଯୋଗାଚାର୍ଯ୍ୟ ପ୍ରଫେସର ଜୟଦେବ ଡନସନାଙ୍କ ‘ଅବଗା କୋଶଲି କବିତା’ କୁ ଓଡିଆ ଭାଷାର କବିତା ଭାବେ ଉଲ୍ଲେଖ କରୁଛନ୍ତି ଯାହା ସଂମ୍ପର୍କରେ ନିଜେ ପ୍ରଫେସର ଡନସନା ଦୃଷ୍ଟି ଆକର୍ଷଣ କରି ଦୁଃଖ ପ୍ରକାଶ କରିଛନ୍ତି I ଏ ସଂପର୍କରେ ଗୋରେଖନାଥ ସାହୁ,ଉଭୟ ଡ. ନିଳକଣ୍ଠ ରଥ ଓ ଡ. ଦେବୀ ପ୍ରସନ୍ନ ପଟ୍ଟନାୟକଙ୍କ ସହ କଥାହୋଇ ସେମାନଙ୍କ ମତର ଦୃଢ ବିରୋଧ କରି ସାରିଛନ୍ତି I
ପ୍ରକାଶ ଥାଉ କି ଗତ 2001ମସିହା ଜନଗଣନାରେ ମାତ୍ର ପାଞ୍ଚ ଲକ୍ଷ ଲୋକ ସେମାନଙ୍କ ମାତୃଭାଷା କେବଳ ସମ୍ବଲପୁରୀ ବୋଲି ଦର୍ଜ କରାଇଥିଲେ I 2011 ମସିହା ଜନଗଣନାରେ କୋଶଲ ସାହିତ୍ୟ ସଂସ୍କୃତି ଏକାଡେମୀ ତଥା ଆଉ କେତେକ ଅନୁଷ୍ଠାନର ଉଦ୍ୟମ ଫଳରେ 26 ଲକ୍ଷରୁ ଅଧିକ ଲୋକ ଏହି ଭାଷାକୁ କୋଶଲି ବା ସମ୍ବଲପୁରୀ ବୋଲି ନିଜର ମାତୃଭାଷା ଭାବେ ଉଲ୍ଲେଖ କରିଛନ୍ତି I କିନ୍ତୁ ଜନଗଣନା ରିପୋର୍ଟରେ ଉକ୍ତ ଭାଷାର ନାମ କେବଳ ସମ୍ବଲପୁରୀ ବୋଲି ପ୍ରକାଶ ପାଇଛି ଯାହା ସାଧାରଣ ଜନତାଙ୍କ ମଧ୍ୟରେ କ୍ଷୋଭ ଜାତ କରୁଛି ଯେହେତୁ 2014 ମହିହାରେ କେନ୍ଦ୍ର ସରକାରଙ୍କୁ ଓଡିଶା ସରକାର ପଠାଇଥିବା ପ୍ରସ୍ତାବରେ ସମ୍ବଲପୁରୀ/କୋଶଲି ବୋଲି ଉଲ୍ଲେଖ ଅଛି Iଏବେ ପ୍ରଶ୍ନ ଉଠୁଛି କେନ୍ଦ୍ର ସରକାର କେଉଁ ନାମରେ ଏହି ଭାଷାର ନାମକରଣ କରି ଏହାକୁ ସମ୍ବିଧାନର ଅଷ୍ଟମ ପରିଚ୍ଛେଦରେ ସ୍ଥାନିତ କରିବେ I
କୋଶଲ ସାହିତ୍ୟ ସଂସ୍କୃତି ଏକାଡେମୀର ଲକ୍ଷ୍ୟ ହେଲା ଯେଉଁ ନାମରେ ହେଉ ପଶ୍ଚିମ ଓଡିଶାର ବ୍ୟବହାରିକ ଭାଷାକୁ ସାମ୍ବିଧାନିକ ମାନ୍ୟତା ଶୀଘ୍ର ପ୍ରଦାନ କରାଯାଉ I କାରଣ ଏହାର ଅଭାବରେ ପଶ୍ଚିମ ଓଡିଶାର ଶିଶୁମାନେ ସେମାନଙ୍କ ମାତୃଭାଷାରେ ପ୍ରାଥମିକ ସ୍ତରରେ ଶିକ୍ଷା ପ୍ରାପ୍ତିରୁ ବଞ୍ଚିତ ହେଉଛନ୍ତି I ଏତଦ୍ବାରା ସେମାନଙ୍କ ବୌଦ୍ଧିକ ବିକାଶରେ ଅହେତୁକ ବାଧା ସୃଷ୍ଟି ହେଉଛି ଏବଂ ଯେଉଁଥି ପାଇଁ ସେମାନେ ସଂମ୍ପୁର୍ଣ୍ଣ ଅପାଠୁଆ ହୋଇ ଯାଉଛନ୍ତି କିମ୍ବା ଅଧାରୁ ପାଠ ଛାଡିବାକୁ ବାଧ୍ୟ ହେଉଛନ୍ତି I କୋଶଲ ସାହିତ୍ୟ ସଂସ୍କୃତି ଏକାଡେମୀର ଆଭିମୂଖ୍ୟ ହେଲା ଭାଷାର ନାମକୁ ନେଇ ବିବାଦ କରା ନ ଯାଉ ଏବଂ ନିଜ ମାତୃଭାଷାର ନାମକୁ ନେଇ ପ୍ରତ୍ୟେକ ବ୍ୟକ୍ତିକୁ ସ୍ବାଧୀନତା ଦିଆଯାଉ I ଏଥିରେ ସମଗ୍ର ପଶ୍ଚିମ ଓଡିଶାବାସୀଙ୍କ ମଙ୍ଗଳ ହେବ ଏବଂ ଆମର ଭବିଷ୍ୟତ ପିଢିଙ୍କ ସ୍ବାର୍ଥ ସୁରକ୍ଷିତ ରହିବ I ପ୍ରକାଶ ଥାଉ କି ଭାରତ ସରକାରଙ୍କ ଜନଗଣନା ନିର୍ଦ୍ଦେଶାବଳୀ ମତେ କୌଣସି ଗୋଟିଏ ମାତୃଭାଷାକୁ ଆଉ ଗୋଟିଏ ଭାଷାର ଉପଭାଷା କୁହାଯାଇ ପାରିବ ନାହିଁ I କୌଣସି ମାତୃଭାଷାର ସ୍ବତନ୍ତ୍ର ଲିପିଥିବା ଆବଶ୍ୟକ ନାହିଁ I ଏହା ମଧ୍ୟ ଜନଗଣନା ନିର୍ଦ୍ଦେଶାବଳୀରେ ନିର୍ଦ୍ଦେଶ ଦିଆ ହୋଇଛି ଯେ କୌଣସି ଅଂଚଳରେ ଗୋଟିଏ ମାତୃଭାଷାକୁ ନେଇ ଆନ୍ଦୋଳନ ହେଉଥିଲେ ଜନଗଣନାକାରୀଙ୍କୁ ଲୋକେ ତାଙ୍କ ଭାଷାର ନାମ ଯାହା କହିବେ ତାହା ଜନଗଣନାକାରୀ ଲେଖିବାକୁ ବାଧ୍ୟ I ତେଣୁ ଭାଷାର ନାମକରଣକୁ ନେଇ ବାଦ ବିବାଦ ଯଥାଶୀଘ୍ର ବନ୍ଦ ହେବା ଉଚିତ ବୋଲି ଏକ ପ୍ରେସ ବିଜ୍ଞପ୍ତିରେ କୋଶଲ ସାହିତ୍ୟ ସଂସ୍କୃତି ଏକାଡେମୀର ସାଧାରଣ ସଂପାଦକ ଗୋରେଖନାଥ ସାହୁ ପଶ୍ଚିମ ଓଡିଶାର ଜନସାଧାରଣଙ୍କୁ ବିନମ୍ର ନିବେଦନ ଜଣାଇଛନ୍ତି l

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *