January 15, 2025
Home » ଗଜପତି ଜିଲ୍ଲା ଗଠନ ହେବାର ୩୨ବର୍ଷ ପରେବି ସରକାରୀ ବସଷ୍ଟାଣ୍ଡ ନିର୍ମାଣ ହୋଇପାରିଲାନି

ଗଜପତି ଜିଲ୍ଲା ଗଠନ ହେବାର ୩୨ବର୍ଷ ପରେବି ସରକାରୀ ବସଷ୍ଟାଣ୍ଡ ନିର୍ମାଣ ହୋଇପାରିଲାନି

0

 

୧୯୯୨ମସିହା ଅକ୍ଟୋବର ୨ତାରିଖରେ ଅବିଭକ୍ତ ଗଞ୍ଜାମ ଜିଲ୍ଲାକୁ ସରକାର ବିଭାଜନ କରି ଗଜପତି ଜିଲ୍ଲା ଗଠନ ହୋଇଥିଲା । ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟନାୟକ ଗଜପତି ଜିଲ୍ଲା ଗଠନ କରିଥିଲେ । ସରକାରଙ୍କ ଦ୍ୱାରା ପ୍ରଦାନ କରାଯାଉଥିବା ସମସ୍ତ ସୁବିଧା ଗୁଡିକ ଜନସାଧାରଣ ନିକଟରେ ଅତି କମ୍ ସମୟରେ ପହଞ୍ଚିପାରିବ ଜିଲ୍ଲା ଗଠନର ମୁଖ୍ୟ ଉଦ୍ଧେଶ୍ୟ ଥିଲା । ବିଡମ୍ବନାର ବିଷୟ ହେଉଛି ଗଜପତି ଜିଲ୍ଲା ଗଠନ ହେବାର ୩୨ବର୍ଷ ପରେବି ସରକାରୀ ବସ ରହିବା ସକାଶେ ସ୍ୱତନ୍ତ୍ର ଭାବେବସଷ୍ଟାଣ୍ଡଟିଏ ନିର୍ମାଣ ହୋଇପାରିନାହିଁ । ପାରଳାଖେମୁଣ୍ଡି ପୌରପରିଷଦ ତରଫରୁ ଏକ ବସଷ୍ଟାଣ୍ଡ୍ ରହିଛି । ସେହି ବସଷ୍ଟାଣ୍ଡଟି ପୌରପରିଷଦ ଦ୍ୱାରା ନିର୍ମାଣ କରାଯାଇଥିଲେ ମଧ୍ୟ ଘରୋଇ ବସ୍ ମାଲିକଙ୍କ ନିୟନ୍ତ୍ରଣରେ ରହିଛି ସାଧାରଣରେ ଆଲୋଚନା ହେଉଛି । ସେଠାରେ ଘରୋଇ ବସ୍ ମାଲିକ ମାନେ ବିଭିନ୍ନ ଉପାୟରେ ସରକାରୀ ବସ ଗୁଡିକ ହଇରାଣ ହରକତ କରୁଥିବା ବହୁବାର ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ ହୋଇଥିବାର ନଜିର ରହିଛି ।

ଯାହାଫଳରେ କି ଜିଲ୍ଲାରେ ଚାଲୁଥିବା ଦୂରଗାମୀ ଓ ଜିଲ୍ଲା ଭିତରେ ଚାଲୁଥିବା ସରକାରୀ ବସ ଗୁଡିକ ପାରଳାଖେମୁଣ୍ଡି ସହର ଓ ଉପକଣ୍ଠରେ ଥିବା କେଉଁ ଶିକ୍ଷାନୁଷ୍ଠାନ କ୍ୟାମ୍ପସ୍ ଏବଂ ହାଟପଡିଆରେ ଥିବା ଗଛମୂଳେ ଅସୁରକ୍ଷିତ ଭାବେ ରହୁଛି । ବେଳେବେଳେ ଗଛଡାଳ ପଡି ବସର କାଚ ଭାଙ୍ଗି ଯାଉଛି ତ ଆଉ କେତେବେଳେ ଅନ୍ଧାରର ସୁଯୋଗ ନେଇ ବସର ଟାୟାର ସମେତ ଅନ୍ୟାନ୍ୟ ସାମଗ୍ରୀ ଗୁଡିକ ଚୋରୀ କରି ନେଇଯାଉଥିବା ଶୁଣିବାକୁ ମିଳୁଛି ।ସୂଚନାଯୋଗ୍ୟ ନୂତନ ବସଷ୍ଟାଣ୍ଡ ନିର୍ମାଣ ସକାଶେ ଜିଲ୍ଲା ପ୍ରଶାସନ ତରଫରୁ ପାରଳାଖେମୁଣ୍ଡି ସହର ଉପକଣ୍ଠସ୍ଥ ତଥା ଗୁମ୍ମା ତହସିଲ୍ ଅନ୍ତର୍ଗତ ବେତାଗୁଡା ଠାରେ ସ୍ଥାନ ଚିହ୍ନଟ କରାଯାଇଛି ବୋଲି ବିଭିନ୍ନ ବୈଠକରେ ଆଲୋଚନା ହେଉଛି । ତେବେ କେଉଁ କାରଣରୁ ସେଠାରେ ବସଷ୍ଟାଣ୍ଡର ନିର୍ମାଣ କରାଯାଉନାହିଁ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଅପରପକ୍ଷେ କିଛି ଅସାଧୁ କର୍ମଚାରୀ ଘରୋଇ ବସ ମାଲିକଙ୍କ ହାତଗୁଞ୍ଜା ନେଇ ବସଷ୍ଟାଣ୍ଡ ନିର୍ମାଣରେ ପ୍ରତିବନ୍ଧକ ସାଜୁଛନ୍ତି ବୋଲି ବିଭିନ୍ନ ମହଲରେ ଆଲୋଚନା ହେଉଛି । ଆଲୋଚନା ଗୁଡିକର ସତ୍ୟତା ରହିଥାଏ ତାହା ଅତ୍ୟନ୍ତ ସାଂଘାତିକ ବିଷୟ ଅଟେ । ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ଏହାର ତଦନ୍ତ କରିବାର ଆବଶ୍ୟକତା ରହିଛି ।

 

ଗଜପତି ଇପିଏ ରୁ ଦିଲ୍ଲୀପ ଶତପଥି ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *