ସ୍ୱଚ୍ଛତା ସହ ଦେଶପ୍ରେମର ବାର୍ତ୍ତା ଦେଲା ‘ଆମ ଗଞ୍ଜାମ ସ୍ୱଚ୍ଛ ଗଞ୍ଜାମ’ ଅଭିଯାନ
ବ୍ରହ୍ମପୁର : ସ୍ୱଚ୍ଛତା, ପରିବେଶ ସୁରକ୍ଷା ଓ ଦେଶପ୍ରେମର ଭାବନାକୁ ଏକାଠି ନେଇ ବ୍ରହ୍ମପୁର ସହରରେ ଆଜି ‘ଆମ ଗଞ୍ଜାମ ସ୍ୱଚ୍ଛ ଗଞ୍ଜାମ’ ଅଭିଯାନ ଅନୁଷ୍ଠିତ ହୋଇଛି। ବ୍ରହ୍ମପୁର ମହାନଗର ନିଗମ ଅନ୍ତର୍ଗତ ଫୁଲସୁନ୍ଦରୀ ସାହି ଓ ନେଳିଆ ବନ୍ଧ ଅଞ୍ଚଳରେ ଆୟୋଜିତ ଏହି ସ୍ୱଚ୍ଛତା ଅଭିଯାନରେ ପ୍ରଶାସନ ସହ ଜନସାଧାରଣଙ୍କ ସକ୍ରିୟ ଅଂଶଗ୍ରହଣ ଦେଖିବାକୁ ମିଳିଥିଲା।

ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ନିଜେ ସ୍ୱଚ୍ଛତା ସେବାରେ ସାମିଲ ହୋଇ ସ୍ୱଚ୍ଛ, ସବୁଜ ଓ ପ୍ଲାଷ୍ଟିକ୍ମୁକ୍ତ ପରିବେଶ ଗଠନ ପାଇଁ ଜନସାଧାରଣଙ୍କ ସକ୍ରିୟ ସହଯୋଗ ଆହ୍ୱାନ କରିଥିଲେ। ସ୍ୱଚ୍ଛତା କେବଳ ପ୍ରଶାସନର ଦାୟିତ୍ୱ ନୁହେଁ, ଏହା ପ୍ରତ୍ୟେକ ନାଗରିକଙ୍କ ସାମୂହିକ ଦାୟିତ୍ୱ ବୋଲି ସେ ବାର୍ତ୍ତା ଦେଇଥିଲେ।

ଅଭିଯାନରେ ବ୍ରହ୍ମପୁର ମହାନଗର ନିଗମ କମିଶନର ଆକବରମ୍ ସସ୍ୟା ରେଡ୍ଡୀ, ଭାରତୀୟ ପ୍ରଶାସନିକ ସେବାର ଶିକ୍ଷାନବୀସ ସରଣ୍ୟା ସାରାଭନନ୍, ଡେପୁଟି କମିଶନର କଲ୍ୟାଣୀ ସଂଘମିତ୍ରା, ଆଶୀର୍ବାଦ ପରିଡ଼ା, ସହକାରୀ କମିଶନର ରୋନିତ କୁମାର, ବିଶାଳ ଗୌରବ ମଲ୍ଲିକଙ୍କ ସମେତ ୱାର୍ଡ ନଂ. ୯ର କର୍ପୋରେଟର ଟି. କିଶୋର କୁମାର ପାତ୍ର, ଜନପ୍ରତିନିଧି, ମହାନଗର ନିଗମର ଅଧିକାରୀ ଓ କର୍ମଚାରୀ ଏବଂ ସ୍ଥାନୀୟ ଜନସାଧାରଣ ଉତ୍ସାହର ସହ ଯୋଗଦେଇଥିଲେ।

ସ୍ୱଚ୍ଛତା ଅଭିଯାନ ସହ ‘ଘରେ ଘରେ ତ୍ରିରଙ୍ଗା’ ଅଭିଯାନକୁ ଯୋଡ଼ି ଦେଶପ୍ରେମର ବାର୍ତ୍ତା ମଧ୍ୟ ପ୍ରସାର କରାଯାଇଥିଲା। ଜିଲ୍ଲାପାଳ ଓ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଜନସାଧାରଣ, ବିଶେଷକରି ଛାତ୍ରଛାତ୍ରୀଙ୍କୁ ଜାତୀୟ ପତାକା ବଣ୍ଟନ କରିଥିଲେ। ତ୍ରିରଙ୍ଗା ପ୍ରତି ସମ୍ମାନ ଓ ଦେଶ ପ୍ରତି ଗର୍ବର ଭାବନାକୁ ପ୍ରତ୍ୟେକ ଘରେ ପହଞ୍ଚାଇବା ସହ ଅଭିଯାନରେ ସମସ୍ତଙ୍କୁ ସାମିଲ ହେବାକୁ ଜିଲ୍ଲାପାଳ ଆହ୍ୱାନ କରିଥିଲେ ।
- narasingh dakua report
