ଗଣିଆ ଉନ୍ନୟନ କମିଟି ପରିସରରେ ଲଘୁ ଶସ୍ୟ ଖାଦ୍ୟ ମହୋତ୍ସବ ଅନୁଷ୍ଠିତ
ଗଣିଆରେ ଥିବା ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଗଣିଆ ଉନ୍ନୟନ କମିଟି ପରିସରରେ ଦୁଇ ଦିନିଆ ଲଘୁ ଶସ୍ୟ ଖାଦ୍ୟ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଗଣିଆ ଉନ୍ନୟନ କମିଟିର ସଭାପତି ଉଷା ପଟ୍ଟନାୟକ ଅଧ୍ୟକ୍ଷତା କରିଥିବାବେଳେ ମୁଖ୍ୟ ଅତିଥି ଭାବେ କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ଯୋଗ ଦେଇ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ।
ସମ୍ମାନିତ ଅତିଥି ଭାବେ ଜିଲ୍ଲା କୃଷି ଅଧିକାରୀ ସଞ୍ଜୟ କୁମାର ଦଳେଇ,ନାବାର୍ଡର ନୟାଗଡ ଅଧିକାରୀ ଜ୍ୟୋତି ତାପସୀ, ବିଡ଼ିଓ ଡ଼ା ବେବିତା ମଞ୍ଜରୀ ନାୟକ ପ୍ରମୁଖ ମଞ୍ଚାସୀନ ଥିଲେ । ଗଣିଆ ଉନ୍ନୟନ କମିଟି ତରଫରୁ ଅତିଥିଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ, ଉପହାର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ମୁଖ୍ୟ ଅତିଥି ମାଣ୍ଡିଆରେ ପ୍ରସ୍ତୁତ ବିଭିନ୍ନ ଖାଦ୍ୟଶସ୍ୟ ଷ୍ଟଲ ଉଦ୍ ଘାଟନ କରିଥିଲେ ।
ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀର ସମସ୍ତ ସଦସ୍ୟ ଉପସ୍ଥିତ ଅତିଥି ତଥା ଜନସାଧାରଣଙ୍କୁ ମାଣ୍ଡିଆ ପ୍ରସ୍ତୁତ ଖାଦ୍ୟ ବଣ୍ଟନ କରିଥିଲେ । ଆୟୋଜିତ ସଭାରେ ଅତିଥି ମାନେ ମାଣ୍ଡିଆ ସମ୍ପର୍କରେ ବିସ୍ତୃତ ଆଲୋଚନା କରିବା ସହିତ କିଭଳି ଅଧିକରୁ ଅଧିକ ମାଣ୍ଡିଆ ଚାଷ ହୋଇପାରିବ ସେଥିପାଇଁ ଚାଷୀ ମାନଙ୍କୁ ଉତ୍ସାହିତ କରିଥିଲେ । ଗତବର୍ଷ ଗଣିଆରେ ୧ ହଜାର କ୍ଵିଣ୍ଟାଲ ମାଣ୍ଡିଆ ଚାଷ ପାଇଁ ଲକ୍ଷ୍ୟ ରଖାଯାଇଥିବା ବେଳେ ୯୨୦ କ୍ଵିଣ୍ଟାଲ ମାଣ୍ଡିଆ ଉତ୍ପାଦିତ ହୋଇଥିବା ଗଣିଆ ଉନ୍ନୟନ କମିଟିର ସଭାପତି ଉଷା ପଟ୍ଟନାୟକ ପ୍ରକାଶ କରିଥିଲେ । ଏହି ଅବସରରେ ଗଣିଆ ବଜାର ପରିସରରେ ମାଣ୍ଡିଆରେ ତିଆରି ଏକ ଖାଦ୍ୟଶସ୍ୟ ଦୋକାନ ମୁଖ୍ୟ ଅତିଥି ଉଦଘାଟନ କରିଥିଲେ । ଗଣିଆ ହାଟର ଉନ୍ନତି ପାଇଁ ନାବାର୍ଡ ତରଫରୁ ସହାୟତା ପ୍ରଦାନ କରାଯାଇଥିବା ନାବାର୍ଡର ଅଧିକାରୀ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସମ୍ପାଦକ ଆନନ୍ଦ ଚନ୍ଦ୍ର ବେହେରା, ନିରଞ୍ଜନ ନନ୍ଦ, ନନ୍ଦିନୀ ଗୁରୁ ଏବଂ ବିଭିନ୍ନ ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀର ସଦସ୍ୟ ପ୍ରମୁଖ ସହଯୋଗ କରିଥିଲେ ।
ଗଣିଆରୁ ବ୍ରଜ କିଶୋର ସାହୁଙ୍କ ରିପୋର୍ଟ ଇପିଏ