June 18, 2026
Home » ଚାମେଲି କହିଲେ ଗିରଫ ବ୍ୟକ୍ତି ନିର୍ଦ୍ଦୋଷ!

ଚାମେଲି କହିଲେ ଗିରଫ ବ୍ୟକ୍ତି ନିର୍ଦ୍ଦୋଷ!

0
WhatsApp Image 2026-06-17 at 12.28.11 PM

ଏତଲାରେ ନାମଥିବା ଅଭିଯୁକ୍ତଙ୍କ ଗିରଫ ଦାବି
କେନ୍ଦ୍ରାପଡ଼ା: ବହୁଚର୍ଚ୍ଚିତ ତିଖିରୀ ସରପଞ୍ଚ ଚାମେଲି ଓଝାଙ୍କୁ ଦୁର୍ବ୍ୟବହାର ଓ ଆକ୍ରମଣ ମାମଲାରେ ପୁଲିସର କାର୍ଯ୍ୟାନୁଷ୍ଠାନକୁ ନେଇ ଏବେ ପ୍ରଶ୍ନ ଉଠିଛି। ନିଜେ ଅଭିଯୋଗକାରୀ ଚାମେଲି କହିଛନ୍ତି ଯେ ପାର୍ଥସାରଥି ସାମନ୍ତରାୟ ନାମକ ଯେଉଁ ବ୍ୟକ୍ତିଙ୍କୁ ଗିରଫ କରି ପୁଲିସ କୋର୍ଟଚାଲାଣ କରିଛି, ତାଙ୍କର ସମ୍ପୃକ୍ତି ଘଟଣାରେ ସେତେଟା ନ ଥିଲା। ଚାମେଲି କହିଛନ୍ତି ଯେ ଘଟଣାସ୍ଥଳରେ ଯଦିଓ ପାର୍ଥ ଉପସ୍ଥିତ ଥିଲେ, କିନ୍ତୁ ସେ ତାଙ୍କୁ ଗାଳିଗୁଲଜ କରିନାହାନ୍ତି। ମହାକାଳପଡ଼ା ବିଡିଓ, ଆଇଆଇସିଙ୍କ ସମେତ ଯେଉଁ ନଅ ଜଣ ମୁଖ୍ୟ ଅଭିଯୁକ୍ତଙ୍କ ନାଁରେ ସେ ଏତଲା ଦେଇଛନ୍ତି। ସେମାନଙ୍କୁ ଛାଡ଼ି ପୁଲିସ ନାଁ ନ ଥିବା ବ୍ୟକ୍ତିଙ୍କୁ ବାନ୍ଧି ଭୁଆଁ ବୁଲାଇବାକୁ ଚେଷ୍ଟା କରୁଛି।ଚାମେଲି ପରୋକ୍ଷରେ ଗିରଫ ବ୍ୟକ୍ତିଙ୍କୁ ନିର୍ଦ୍ଦୋଷ କହୁଥିଲାବେଳେ ପୁଲିସ ସାତ ଅଭିଯୁକ୍ତଙ୍କୁ ଖସାଇଦେବାକୁ ଉଦ୍ୟମ କରୁନାହିଁ ତ ବୋଲି ପ୍ରଶ୍ନ ଉଠିଲାଣି। ଗତ ୧୧ତାରିଖରେ ଚାମେଲି ମହାକାଳପଡ଼ା ବିଡିଓ ରବିନାରାୟଣ ଆଚାର୍ଯ୍ୟ, ମହାକାଳପଡ଼ା ଥାନା ଆଇଆଇସି ମାନସ କୁମାର ମଲ୍ଲିକଙ୍କ ସମେତ ପ୍ରଶାନ୍ତ ସେଠୀ, ମାନସ ସେଠୀ, କ୍ରିଷ୍ଣପଦ ମଣ୍ଡଳ, ରୋହିତ ରାଉତ, ବିଶ୍ବଜିତ୍‌ ମହାପାତ୍ର, ଚନ୍ଦ୍ରକାନ୍ତ ସ୍ବାଇଁ, ହରୀଶ ଲେଙ୍କାଙ୍କ ନାମରେ ଏତଲା ଦେଇଥିଲେ। କିନ୍ତୁ ପୁଲିସ ବିଡିଓ ଓ ଆଇଆଇସିଙ୍କ ନାଁକୁ ବାଦ୍‌ ଦେଇ ଉପରୋକ୍ତ ସାତ ଓ ଅନ୍ୟମାନଙ୍କୁ ଅଭିଯୁକ୍ତ ଦର୍ଶାଇ ମାମଲା (କେସ୍‌ ନ˚-୧୭୨/୨୬, ଦଫା-୧୧୫(୨), ୧୨୬(୨), ୨୯୬, ୩(୫), ୩୫୧(୩) ରୁଜୁ କରିଥିଲା। ପୁଲିସ ମାମଲାରେ ଅଭିଯୁକ୍ତ ଦର୍ଶାଇ ସୋମବାର ଗିରଫ କରିଥିବା ମହାକାଳପଡ଼ା ଗ୍ରାମର ପାର୍ଥସାରଥିଙ୍କ ନାଁ ଚାମେଲିଙ୍କ ଏତଲାରେ ନାହିଁ। ପାର୍ଥସାରଥି ହେଉଛନ୍ତି ଜଣେ ଟେଣ୍ଟ୍‌ ହାଉସ୍‌ ମାଲିକ। କେଉଁ ଆଧାରରେ ଏତଲାରେ ନାଁ ନ ଥିବା ଏହି ବ୍ୟକ୍ତିଙ୍କୁ ପୁଲିସ ଗିରଫ କଲା, ତାହା ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଚାମେଲି କହିଛନ୍ତି ଯେ ଯେଉଁମାନଙ୍କର ପୂରା ଘଟଣାରେ ସମ୍ପୃକ୍ତି ଥିଲା, ସେହି ନଅ ଜଣଙ୍କ ନାଁ ଏତଲାରେ ଉଲ୍ଲେଖ କରିଛନ୍ତି। ମାମଲା ରୁଜୁର ଏତେଦିନ ପରେ ବି ମୁଖ୍ୟ ଅଭିଯୁକ୍ତମାନଙ୍କୁ ପୁଲିସ କାହିଁକି ଗିରଫ କରୁନାହିଁ ବୋଲି ଚାମେଲି ପ୍ରଶ୍ନ କରିଛନ୍ତି।

ବିଡିଓଙ୍କ ଚାମ୍ବରରେ ଲାଗିଥିବା ସିସି କ୍ୟାମେରା ଯାଞ୍ଚ କରାଯାଉ। ଘଟଣାଦିନ କେଉଁ ଆଧାରରେ ଆଇଆଇସି ତାଙ୍କୁ ଉଠାଇ ନେଇଥିଲେ, ତାହାର ଜବାବ ନିଜେ ଆଇଆଇସି ଦିଅନ୍ତୁ। ଗାଡ଼ିରେ ଥାନାକୁ ନେବା ବେଳେ ଯେଉଁ ପୁଲିସ କର୍ମଚାରୀମାନେ ତାଙ୍କୁ ମାଡ଼ ମାରିଛନ୍ତି, ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେଉ ବୋଲି ଚାମେଲି ନିଜର ଦାବି ଦୋହରାଇଛନ୍ତି। କେନ୍ଦ୍ରାପଡ଼ା ଏସ୍‌ଡିପିଓ ଜ୍ୟୋତିର˚ଜନ ଗୌଡ଼ କହିଛନ୍ତି ଯେ ସିସି କ୍ୟାମେରା, ଭିଡିଓ ଏବ˚ ଅନ୍ୟ ଦିଗଗୁଡ଼ିକୁ ଯାଞ୍ଚ କରାଯାଇ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଉଛି। ଯେଉଁମାନଙ୍କର ଏହି ଘଟଣାରେ ସମ୍ପୃକ୍ତିର ପ୍ରମାଣ ମିଳିବ, ସମସ୍ତଙ୍କୁ ଗିରଫ କରାଯିବ।
ଇପିଏରୁ ବିରଞ୍ଚିନାରାୟଣ ପତ୍ରୀ ଙ୍କ ରିପୋର୍ଟ, ଇଷ୍ଟଣ୍ଣ ପ୍ରେସ ଏଜେନ୍ସି, ଭୁବନେଶ୍ୱର

Leave a Reply

Your email address will not be published. Required fields are marked *