ଜାନୁଆରୀ 7 ରୁ 11 ତାରିଖ ପର୍ଯ୍ୟନ୍ତ ସୁବର୍ଣ୍ଣ ଲୋକ ମହୋତ୍ସବ
ସୁବର୍ଣ୍ଣପୁର– ଆସନ୍ତା 2027 ଜାନୁଆରୀ 7 ତାରିଖ ଠାରୁ 11 ତାରିଖ ପର୍ଯ୍ୟନ୍ତ ଜିଲ୍ଲାସ୍ତରୀୟ ସୁବର୍ଣ୍ଣ ଲୋକ ମହୋତ୍ସବ ଆୟୋଜିତ ହେବ। ଏଥିସହ ଜାନୁଆରୀ 7ରୁ 15 ତାରିଖ ପର୍ଯ୍ୟନ୍ତ ପୁସ୍ତକ ମେଳା ଓ ଓରମାସ୍ ପଲିଶ୍ରୀ ମେଳା ମଧ୍ୟ ଆୟୋଜିତ ହେବ। ଏହାର ପ୍ରସ୍ତୁତି ନିମନ୍ତେ ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଶ୍ରୀ ଦେବାଶିଷ ସିଂହଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ବରିଷ୍ଠ ନାଗରିକ, କଳାକାର, ଅଧିକାରୀ, ଗଣମାଧ୍ୟମ ପ୍ରତିନିଧି, ସାଂସ୍କୃତିକ ଦଳ ଓ ଶିକ୍ଷକମାନେ ଯୋଗଦେଇଥିଲେ।
ବୈଠକରେ ଉପସ୍ଥିତ ସଦସ୍ୟମାନଙ୍କ ମତାମତ ଓ ଅଧିକାଂଶଙ୍କ ସମ୍ମତିକ୍ରମେ ମହିମା ଲୋକ ମହୋତ୍ସବର ନାମ ପରିବର୍ତ୍ତନ କରାଯାଇ ସୁବର୍ଣ୍ଣ ଲୋକ ମହୋତ୍ସବ ରଖାଯାଇଛି। ପୁସ୍ତକ ମେଳାରେ ସ୍ଥାନୀୟ ଲେଖକମାନଙ୍କ ପାଇଁ 3ରୁ 4ଟି ଷ୍ଟଲ୍ ଓ ଶିଶୁମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ଷ୍ଟଲ୍ ରହିବ। ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ପ୍ରକାଶକମାନେ ଏଥିରେ ଅଂଶଗ୍ରହଣ କରିବେ। ମହୋତ୍ସବରେ ଜାନୁଆରୀ 7 ରୁ 11 ପର୍ଯ୍ୟନ୍ତ ସାଂସ୍କୃତିକ ଦଳମାନେ କାର୍ଯ୍ୟକ୍ରମ ପରିବେଷଣ କରିବେ ଏବଂ ପରବର୍ତ୍ତୀ 4 ଦିନ ଛାତ୍ରଛାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ରହିବ। ଶାସ୍ତ୍ରୀୟ ନୃତ୍ୟ ରେକର୍ଡିଂ ମାଧ୍ୟମରେ ଏବଂ ଅନ୍ୟ ସମସ୍ତ ନୃତ୍ୟ ସିଧାସଳଖ ମଞ୍ଚରେ ପରିବେଷଣ କରାଯିବ।
ମହୋତ୍ସବର ଉଦ୍ଘାଟନୀ ଶୋଭାଯାତ୍ରା ପାଇଁ ସୁରେଶ୍ୱରୀ ମନ୍ଦିରରୁ ମଶାଲ ଏବଂ ସୁବର୍ଣ୍ଣମେରୁ ମନ୍ଦିରରୁ ଆଜ୍ଞାମାଳ ଅଣାଯିବ। ଗତବର୍ଷ ଖୋଲିଆପାଲିରୁ ମଶାଲ ଅଣାଯାଇଥିଲା। ଚଳିତବର୍ଷ ପାର୍କିଂ ଶୁଳ୍କ ଦୁଇଚକିଆ ଯାନ ପାଇଁ 10 ଟଙ୍କା ଓ ଚାରିଚକିଆ ଯାନ ପାଇଁ 20 ଟଙ୍କା ଧାର୍ଯ୍ୟ କରାଯାଇଛି।
ସଂସ୍କୃତି ଉନ୍ନୟନ ଅଧିକାରୀ ଶ୍ରୀମତୀ ଯମୁନା ପ୍ରଧାନ ଗତବର୍ଷ ମହୋତ୍ସବ ଆୟୋଜନରେ 80 ଲକ୍ଷ ଟଙ୍କା ବ୍ୟୟ ହୋଇଥିବା ସୂଚନା ଦେଇଥିଲେ। ଚଳିତବର୍ଷ ତିନୋଟି ଆୟୋଜନ ଏକ ସ୍ଥାନରେ ହେଉଥିବାରୁ ବ୍ୟୟ ବୃଦ୍ଧି ପାଇପାରେ ବୋଲି ଜିଲ୍ଲାପାଳ କହିଥିଲେ। ମହୋତ୍ସବ ପରିସରକୁ ପ୍ଲାଷ୍ଟିକ୍ ମୁକ୍ତ ରଖିବା, ଖାଦ୍ୟ ଷ୍ଟଲ୍ଗୁଡ଼ିକରେ ଖାଦ୍ୟ ସୁରକ୍ଷା ନିୟମ ପାଳନ, ମୋବାଇଲ୍ ଏଟିଏମ୍ ବ୍ୟବସ୍ଥା, ପାନୀୟ ଜଳ ଯୋଗାଣ, ଶୌଚାଳୟର ନିୟମିତ ସଫେଇ ଓ ସୁରକ୍ଷା ସହ ତାଜା ପୁଷ୍ପଗୁଚ୍ଛ ଯୋଗାଣ ନିମନ୍ତେ ସମ୍ପୃକ୍ତ ବିଭାଗଗୁଡ଼ିକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।
ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀ ରାଜେନ୍ଦ୍ର ମାଝୀ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ଅନିରୁଦ୍ଧ ପ୍ରଧାନ, ମୁଖ୍ୟ ଉନ୍ନୟନ ଅଧିକାରୀ, ଜିଲ୍ଲା ପରିଷଦ, ଶ୍ରୀ ଅଶ୍ୱିନୀ ମେହେର, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଶ୍ରୀ କେ.କେ. ହରିପ୍ରସାଦ, ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ଉଷାରାଣୀ ଦାସ, ସୋନପୁର ଉପଜିଲ୍ଲାପାଳ ଡ. ସୌମ୍ୟରୂପା ରଥ, ବୀରମହାରାଜପୁର ଉପଜିଲ୍ଲାପାଳ ଶ୍ରୀ ସୁରେନ୍ଦ୍ର ମେହେରଙ୍କ ସମେତ ଅନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଯୋଗଦେଇଥିଲେ। ସଂସ୍କୃତି ଉନ୍ନୟନ ଅଧିକାରୀ ଶ୍ରୀମତୀ ଯମୁନା ପ୍ରଧାନ ବୈଠକର ସଂଯୋଜନା କରିଥିଲେ l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ….
