ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଦୁର୍ଗାପୂଜା ସଂପର୍କିତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

0 10

ଆସନ୍ତା ଦୁର୍ଗାପୂଜା ନିମନ୍ତେ ସମସ୍ତଙ୍କ ସହଯୋଗ ଲୋଡି ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ସମସ୍ତ ପୂଜା କମିଟି କାର୍ଯ୍ୟକର୍ତ୍ତା ମାନଙ୍କ ସହ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ସ୍ବତନ୍ତ୍ର ପ୍ରଦକ୍ଷଣ ଗୃହ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି । ଗତବର୍ଷ ଭଳି ଚଳିତ ବର୍ଷ ଦୁର୍ଗାପୂଜା ପାଳନ ଅବସରରେ ସମସ୍ତ ସହଯୋଗ ଜାରି ରଖିବାକୁ ଜିଲ୍ଲାପାଳ ସମସ୍ତ କମିଟି ସଦସ୍ୟଙ୍କୁ ପରାମର୍ଶ ଦେଇଛନ୍ତି । ପୂଜା ମଣ୍ଡପ ତିନି ପାର୍ଶ୍ବ ବନ୍ଦ ରଖାଯିବ ଏବଂ ସମ୍ମୁଖ ପାର୍ଶ୍ବ ପରଦା ଦ୍ବାରା ଢଙ୍କା ଯିବ । କୌଣସି ଡାକବାଜି ଯନ୍ତ୍ର, ଶୋଭାଯାତ୍ରା, ଭୋଜିଭାତ, ମନୋରଞ୍ଜନ କାର୍ଯ୍ୟକ୍ରମ ଏବଂ ଭକ୍ତଙ୍କୁ ମଣ୍ଡପ ନିକଟରେ ପୂଜା ଓ ଦର୍ଶନ ଉପରେ କଟକଣା ଲାଗୁ ହୋଇଛି । ସେହିପରି ମୂର୍ତ୍ତି ର ଉଚ୍ଚତା ୪ ଫୁଟ ମଧ୍ୟରେ ସୀମିତ ରଖିବାକୁ ମଧ୍ୟ ପ୍ରଶାସନ ପକ୍ଷରୁ କୁହାଯାଇଛି । ପୂଜକଙ୍କ ସମେତ କେବଳ ୭ ଜଣ କର୍ମକର୍ତ୍ତାଙ୍କୁ ପୂଜା ମଣ୍ତପ ନିକଟରେ ରହିବାକୁ ଅନୁମତି ଦିଆଯିବ ।

ପ୍ରତ୍ୟେକଙ୍କୁ ପରିଚୟ ପତ୍ର ପ୍ରଦାନ ବ୍ୟବସ୍ଥା ସହ ମଣ୍ତପ ନିକଟରେ ପୁଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବ ବୋଲି ଆରକ୍ଷୀ ଅଧିକ୍ଷକ ଡଃ କେ.ବିଶାଲ ସିଂ କହିଛନ୍ତି । ସଂପୃକ୍ତ ଥାନାଧିକାରୀ ଏବଂ ପୂଜା କମିଟି ସହ ପରାମର୍ଶ ପରେ ପରିଚୟ ପତ୍ର ପ୍ରଦାନ କରାଯିବ । ଶାନ୍ତି ଶୃଙ୍ଖଳା ରକ୍ଷା ଏବଂ କୋଭିଡ କଟକଣା ନେଇ ସରକାରଙ୍କ ପକ୍ଷରୁ ଜାରି ନିର୍ଦ୍ଦେଶାନାମା କଡାକଡି ପାଳନ କରିବାକୁ ଆରକ୍ଷୀ ଅଧିକ୍ଷକ ପରାମର୍ଶ ଦେଇଛନ୍ତି । ପ୍ରତ୍ୟେକ ମଣ୍ତପରେ ସଫେଇ ସହ ଆବଶ୍ୟକ ସ୍ଥଳେ ଆଲୋକିକରଣ ବ୍ୟବସ୍ଥା କରାଯିବ । ମଙ୍ଗଳାଘାଟ ନିକଟରେ ବିସର୍ଜନ ନିମନ୍ତେ କୃତ୍ରିମ ପୋଖରୀ ପାଖରେ ଆବଶ୍ୟକୀୟ ବନ୍ଦୋବସ୍ତ କରାଯିବ ବୋଲି ପୌରସଂସ୍ଥା ନିର୍ବାହୀ ଅଧିକାରୀ ଶ୍ରୀ ସରୋଜ କୁମାର ସ୍ବାଇଁ କହିଛନ୍ତି । ସେହିପରି ପରମ୍ପରା କୁ ଦୃଷ୍ଟି ରେ ରଖାଯାଇ ଶ୍ରୀମନ୍ଦିର ସମୁଖରେ ଗୋଷାଣୀ ଯାତ୍ରା ବେଳେ ଦେବ ସଭାକୁ ଅନୁମତି ଦିଆଯାଇଛି । ପ୍ରତ୍ୟେକ ପୂଜା ମଣ୍ତପ ଅଞ୍ଚଳ ପରିଦର୍ଶନ କରି କ୍ଷେତ୍ରୀୟ ରିପୋର୍ଟ ପ୍ରଦାନ କରିବାକୁ ସଂପୃକ୍ତ ଥାନଧିକାରୀ ମାନଙ୍କୁ କୁହାଯାଇଛି । ପୂଜା ମଣ୍ଡପ ନିମନ୍ତେ ପୌରସଂସ୍ଥା ଅଞ୍ଚଳରେ ଉପ ଜିଲ୍ଲାପାଳ ଏବଂ ଅନ୍ୟ ଅଞ୍ଚଳରେ ସଂପୃକ୍ତ ତହସିଲଦାର ଅନୁମତି ପ୍ରଦାନ କରିବେ । ତେବେ ରାଜ୍ୟ ସରକାରଙ୍କ କୋଭିଡ ଗାଇଡ଼ ଲାଇନ ପୂଜା ସମୟରେ କଡାକଡି ଭାବେ ପାଳନ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପୂଜା ମଣ୍ଡପ କର୍ମକର୍ତ୍ତାଙ୍କୁ ପରାମର୍ଶ ଦିଆଯାଇଛି । ରାଜ୍ୟ ସରକାରଙ୍କ କୋଭିଡ ଗାଇଡ଼ ଲାଇନ ଜାରିହେବା ପରେ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପୂଜା କମିଟି କର୍ମକର୍ତ୍ତାଙ୍କ ସହ ଦ୍ବିତୀୟ ଥର ପାଇଁ ଆଲୋଚନା ହୋଇଛି। ଗତ ୧୧ ତାରିଖରେ ଉପ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।
ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁ, ଶ୍ରୀ ସୁଭାଷ ଚନ୍ଦ୍ର ନାଥଶର୍ମା, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଜ୍ୟୋତି ଶଙ୍କର ମହାପାତ୍ର, ଉପ ଆରକ୍ଷୀ ଅଧିକ୍ଷକ ଶ୍ରୀ ହେମନ୍ତ କୁମାର ପଣ୍ତା, ଡେପୁଟି କଲେକ୍ଟର ଶ୍ରୀ ରାମଚନ୍ଦ୍ର ପଟ୍ଟନାୟକ, ଶ୍ରୀ ପ୍ରଶାନ୍ତ କୁମାର ଜେନା, ସଂପୃକ୍ତ ଥାନାଧିକାରୀ ଓ ବିଭିନ୍ନ ପୂଜା କମିଟିର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ ।

ପୁରୀ ଇପିଏ ରୁ ସୌଭାଗ୍ୟ ପଟନାୟକଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.