ଜିଲ୍ଲାପାଳ ହେବ ତ ଏମିତି : ସୁବର୍ଣ୍ଣପୁର ଜିଲ୍ଲାପାଳ ଡ. ନୃପରାଜ ସାହୁ ଙ୍କ ମହାନତା
ସୁବର୍ଣ୍ଣପୁର — ଦିନ ବାରଟା ପାଖାପାଖି… ଧୁ ଧୁ ଖରା…ସୋନପୁର ବାତ୍ୟାଜନିତ ପୁନଃରୁଦ୍ଧାର କାର୍ଯ୍ୟରୁ ଟିକେ ବିରତି ନେଇ ଅଫିସ ଫେରି ଦେଖିଥିଲେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ. ନୃପରାଜ ସାହୁ l ବାଡ଼ି ଖଣ୍ଡିକର ମୁଣ୍ଡ ଆଡକୁ ଜଣେ ବୃଦ୍ଧା ହାତ ଦେଇଛନ୍ତି ଆଉ ବାଡ଼ି ଶେଷ ଆଡକୁ ଧରିଛନ୍ତି ଜଣେ ବୃଦ୍ଧ l ବୃଦ୍ଧା ଜଣକ ବାଟ କଢ଼ଉଥିଲେ ବୃଦ୍ଧ ଙ୍କୁ l ଏହି ସମୟରେ ଗାଡ଼ିରୁ ଓ଼ଲ୍ହେଇ ଡାକିଥିଲେ ଜିଲ୍ଲାପାଳ ନିଜ କାର୍ଯ୍ୟାଳୟ ଭିତରକୁ l ପଞ୍ଚସ୍ତରୀ ବର୍ଷର ମୁରଲୀ ଦଳେଇ ଆଉ ତାଙ୍କ ବାସ୍ତରୀ ବର୍ଷର ସ୍ତ୍ରୀ ସୁନାଫୁଲ ଦଳେଇ l ମୁରଲୀ ପନ୍ଦର ବର୍ଷ ତଳୁ ଦେଖିବା ଶକ୍ତି ହରେଇଛନ୍ତି l ସେବେଠୁ ସୁନାଫୁଲହିଁ ତାଙ୍କର ଆଶାବାଡି l ଜିଲ୍ଲାପାଳ ତାଙ୍କୁ ଆସିବା କାରଣ ପଚାରିଥିଲେ l ଜିଲ୍ଲାପାଳ ଙ୍କୁ ଦେଖାକରିବାକୁ ଆସିଛନ୍ତି l ଏମାନଙ୍କ ଘର ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ନୂଆଗାଁ l ନିଜସ୍ୱ ଘର ନାହିଁ,ଭତ୍ତା ପାଉଛନ୍ତି, ଚାଉଳ ମଧ୍ୟ ପାଉଛନ୍ତି l ଘର ଖଣ୍ଡେ ଦରକାର ଏମାନଙ୍କ l ଏସବୁ ଶୁଣିଲା ପରେ ଜିଲ୍ଲାପାଳ ଉଲୁଣ୍ଡା ବିଡ଼ିଓଙ୍କୁ ଫୋନ୍ ଲଗେଇଥିଲେ l ଏମାନଙ୍କୁ ଘର ମିଳିବା ଆଶ୍ୱାସନା ଦେଇଥିଲେ ଜିଲ୍ଲାପାଳ l କୃତଜ୍ଞତାରେ ମୁରଲୀ କେତେ ଆଶୀର୍ବାଦ କଥା କହିଲେ ଜିଲ୍ଲାପାଳ ଙ୍କୁ l ସେସବୁ ଏଠାରେ ଉଲ୍ଲେଖ କରିହେଉନି l କେବଳ ଅନୁଭବ କରିହବ l ଜିଲ୍ଲାପାଳ ଚିନ୍ତା କଲେ ତାଙ୍କ ସହିତ ଦୁଃଖସୁଖ ହେବା ପାଇଁ l ଗାଁ କଥା ଘର କଥା ପଚାରିଥିଲେ l କିଛି କଥା ମଧ୍ୟ ହୋଇଥିଲେ ଜିଲ୍ଲାପାଳ l କେତେ ନିଜର ପଣ ଥିଲା କଥାରେ l କେତେ ଆନ୍ତରିକତା କେତେ ଅନାବିଳତା l ଜିଲ୍ଲାପାଳ ଙ୍କ କଠୋର କୋଠରୀ ରେ ଟିକେ ଦୀର୍ଘ ସମୟ ଅନ୍ତରଙ୍ଗ ଆଳାପ ସମ୍ଭବକି? ଜିଲ୍ଲାପାଳ ନିଜେ ନିଜ ଅନୁଭୂତିରୁ ହିଁ ସନ୍ଦିହାନ l ଅନେକ ଥର କିନ୍ତୁ ଅନେକଙ୍କ ସହ ଚେଷ୍ଟାକରିଛନ୍ତି l କେତେକାଂଶରେ ସଫଳ ହୋଇଛନ୍ତି ଯଦିଓ ସମୟ ଖୁବ ନିଷ୍ଠୁର ପ୍ରମାଣିତ ହୋଇଛି l ଦୀର୍ଘ ନ ହେଲେବି କିଛି ସମୟର କଥାବାର୍ତ୍ତା ଜିଲ୍ଲାପାଳ ଙ୍କୁ ବହୁ ଦୃଷ୍ଟିରୁ ଉତ୍ସାହିତ କରିଥିଲା l ନିରୋଳା ଭଲ ପାଇବା କପାଳରେ ନଥିଲେ ମିଳେନି ବୋଲି ଜିଲ୍ଲାପାଳ ଅନୁଭବ କରିଥିଲେ l ନିଷ୍କପଟ ମଣିଷଙ୍କ ଆଦର ଆଉ ଆଶୀର୍ବାଦର ତୁଳନା ଥାଏକି, ଥିବାର ମନେ ହୁଏନି l ଜିଲ୍ଲାପାଳ ନିଜେ କାର୍ଯ୍ୟାଳୟ ର ଦୁଆରଯାଏ ବାଟ କଢେଇ ଦେଇଥିଲେ ଉଭୟଙ୍କୁ l ଆଇନ କାନୁନର ଗତାନୁଗତିକ ଚୌକିରେ ବସି ଭାବୁଥିଲେ ମୁରଲୀ ଆଉ ସୁନାଫୁଲଙ୍କ କଥା l ସବୁ ଗର୍ବ ଆଉ ଗାରିମା ଯେମିତି ଅର୍ଥହୀନ ଲାଗୁଥିଲା ଜିଲ୍ଲାପାଳ ଡ. ସାହୁ ଙ୍କୁ l ଏମିତି ମଣିଷମାନଙ୍କ ପାଇଁ ବୋଧେ ବିଶ୍ୱାସର ବସୁନ୍ଧରାଟିଏ ଏବେବି ତିଷ୍ଠି ରହିଛି l ଏମାନେହିଁ ଚିରନମସ୍ୟ l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
