December 10, 2024
Home » ଜିଲ୍ଲାସ୍ତରୀୟ ଧାନ କ୍ରୟ କମିଟି ବୈଠକ ଅନୁଷ୍ଠିତ

ଜିଲ୍ଲାସ୍ତରୀୟ ଧାନ କ୍ରୟ କମିଟି ବୈଠକ ଅନୁଷ୍ଠିତ

0

ମାଲକାନଗିରି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ୦୮/୧୧/୨୪ ତାରିଖ ସକାଳେ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ଧାନ କ୍ରୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଳାର ଚାଷୀମାନଙ୍କଠାରୁ ଧାନ କିଣିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଜିଲ୍ଲାପାଳ ଶ୍ରୀ ପାଟିଲ ପରାମର୍ଶ ଦେଇଥିଲେ। ମାଲକାନଗିରି ବିଧାୟକ ନରସିଂହ ମାଡକାମୀ ମାଲକାନଗିରି ଜିଲ୍ଲାର କୃଷକମାନଙ୍କର ସୁବିଧା ନିମନ୍ତେ ଧାନ ସଂଗ୍ରହ କେନ୍ଦ୍ର ଖୋଲାଯାଇ ଆନୁଷଙ୍ଗିକ ବ୍ୟବସ୍ଥା କରିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରୀ ତାଙ୍ଗୁଲ ଜିଲ୍ଳାର ଚାଷୀମାନଙ୍କର ଧାନ କ୍ରୟ ବ୍ୟବସ୍ଥାକୁ ସୁଗମ କରିବା ସହ ଅଧିକ ଧାନ କ୍ରୟ କେନ୍ଦ୍ର ଖୋଲିବା ପାଇଁ କହିଥିଲେ। ବୈଠକର ପ୍ରାରମ୍ଭରେ ଜିଲ୍ଲା ଯୋଗାଣ ଅଧିକାରୀ ମନମୋହନ ପଟ୍ଟନାୟକ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ୨୦୨୪-୨୫ ଖରିଫ ଧାନ କ୍ରୟ ନିମନ୍ତେ ସର୍ବନିମ୍ନ ସହାୟକ ମୂଲ୍ୟ ସଧାରଣ ଧାନ ପାଇଁ ୨୩୦୦ ଟଙ୍କା ଓ ଗ୍ରେଡ଼ ଏ ପାଇଁ ୨୩୨୦ ଟଙ୍କା କ୍ୱିଣ୍ଟାଲ ରଖାଯାଇଛି।ସୂଚନା ଯୋଗ୍ୟ ଧାନର ଏମଏସପି ( ସର୍ବନିମ୍ନ ସହାୟକ ମୂଲ୍ୟ) ୨୩୦୦ ଟଙ୍କା ସହ କ୍ଵିଣ୍ଟାଲ ପିଛା ୮୦୦ ଟଙ୍କା ହିସାବରେ ଇନପୁଟ ଆସିଷ୍ଟାଣ୍ଟ ପ୍ରଦାନ କରାଯିବ । ଧାନ କ୍ରୟ ହେବା ପରେ ଚାଷୀ ମାନଙ୍କୁ ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ ଭୁବନେଶ୍ୱର ଦ୍ବାରା ଅନଲାଇନରେ ସେମାନଙ୍କର ଏକାଉଣ୍ଟକୁ ୨୪ ରୁ ୭୨ ଘଣ୍ଟା ମଧ୍ୟରେ ଟଙ୍କା ଜମା କରି ଦିଆଯିବ। ଚାଷୀ ମାନଙ୍କୁ ସଚେତନ କରିବା ପାଇଁ ସମସ୍ତ ସୂଚନା ବିଭିନ୍ନ ମାଧ୍ୟମ ଯଥା ପ୍ରଚାରପତ୍ର, ଫ୍ଲେକ୍ସ ବ୍ୟାନର, ମାଇକରେ ପ୍ରଚାର, କର୍ମଶାଳା ଏବଂ ବିଭିନ୍ନ ଗଣ ମାଧ୍ୟମ ଦ୍ବାରା ପଦକ୍ଷେପ ଗ୍ରହଣ କରାଯିବ। ଚଳିତ ଖରିଫ ଧାନ କ୍ରୟ ନିମନ୍ତେ ୨୮ ଜଣ ମିଲର ଅଂଶ ଗ୍ରହଣ କରିବେ ବୋଲି ବୈଠକରେ ଜଣା ପଡ଼ିଛି। ଜିଲ୍ଲାରେ ଧାନ କ୍ରୟ କାର୍ଯ୍ୟ ଡିସେମ୍ବର ୧୬ ରୁ ଆରମ୍ଭ ହୋଇ ମାର୍ଚ୍ଚ ୩୧, ୨୦୨୫ ପର୍ଯ୍ୟନ୍ତ ସମାପନ କରାଯିବ। ଚଳିତ ବର୍ଷ ପ୍ରଥମ ପର୍ଯ୍ୟାୟରେ ୯ ଲକ୍ଷ ୨୩ ହଜାର କ୍ୱିଣ୍ଟାଲ ଖରିଫ ଧାନ କ୍ରୟ କରାଯିବାର ଲକ୍ଷ୍ୟ ରଖାଯାଇଛି। ଜିଲ୍ଳାର ସମସ୍ତ ବିଡିଓ, ତହସିଲଦାର ଓ ଉପଜିଲ୍ଲାପାଳ ଧାନ କ୍ରୟ ଓ ବିକ୍ରୟର ନୋଡାଲ ଅଧିକାରୀ ଭାବେ କାର୍ଯ୍ୟ କରିବେ ଓ ଆଇନ ଶୃଙ୍ଖଳା ପରିସ୍ଥିତି ତଦାରଖ କରିବେ। ସୂଚନା ଯୋଗ୍ୟ ଜିଲ୍ଲାରେ ୧୩ ଟି ପାକ୍ସ୍ ରହିଛି ଓ ୨୦୨୪-୨୫ ଖରିଫ ଋତୁ ନିମନ୍ତେ ୩୭,୪୯୮ ଜଣ କୃଷକ ପଞ୍ଜୀକରଣ କରିଛନ୍ତି। ଏହି ଜିଲ୍ଲା ସ୍ତରୀୟ ଧାନ କ୍ରୟ କମିଟି ବୈଠକରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ନରେଶ ଚନ୍ଦ୍ର ଶବର, ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ବେଦବର ପ୍ରଧାନ, ଉପ ଜିଲ୍ଲାପାଳ ଦୁର୍ଯ୍ୟଧନ ଭୋଇ, ଚିତ୍ରକୋଣ୍ଡା ବିଧାୟକ ପ୍ରତିନିଧି ଗୋବିନ୍ଦ ପାତ୍ର, ନବରଙ୍ଗପୁର ସାଂସଦ ପ୍ରତିନିଧି ସଞ୍ଜୟ ସରକାର ଉପସ୍ଥିତ ଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଯୋଗାଣ ଅଧିକାରୀ ସଦର ମୁରଲୀ କ୍ରିଷ୍ଣା ରାଓ,ଏସିଏସଓ ପ୍ରଦୀପ ଦାସ, ବୁଦ୍ଧଦେବ ଜେନା,ଜିଲ୍ଲାର ସମସ୍ତ ମିଲର, କୃଷି ଉପନିର୍ଦ୍ଦେଶକ, ସମସ୍ତ ବିଭାଗ ଉପ ନିବନ୍ଧକ, ଆରଏମସି ସଂପାଦକ ଓ ଯୋଗାଣ ବିଭାଗ କର୍ମକର୍ତ୍ତା ଉପସ୍ଥିତ ଥିଲେ।ପରିଶେଷରେ ଉପ ଜିଲ୍ଲାପାଳ ଶ୍ରୀ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ।

ରିପୋର୍ଟ: ମାଲକାନଗିରି ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *