August 16, 2026
Home » ଜିଲ୍ଲାସ୍ତରୀୟ ୮୦ ତମ ସ୍ବାଧୀନତା ଦିବସ ପାଳିତ

ଜିଲ୍ଲାସ୍ତରୀୟ ୮୦ ତମ ସ୍ବାଧୀନତା ଦିବସ ପାଳିତ

0
WhatsApp Image 2026-08-16 at 12.38.34 PM (1)

ଐତିହାସିକ ବାରବାଟୀ ଷ୍ଟାଡିଅମରେ ଜାତୀୟ ପତାକା ଉତ୍ତୋଳନ କଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ

୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଏବଂ ୨୦୪୭ ସୁଦ୍ଧା ବିକଶିତ ଭାରତ ଗଢ଼ିବାର ସ୍ଵପ୍ନ ସାକାର କରିବାକୁ ଆହ୍ବାନ

କଟକ : କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଐତିହାସିକ ବାରବାଟି ଷ୍ଟାଡିୟମ୍ ଠାରେ ୮୦ ତମ ସ୍ବାଧିନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ଓଡ଼ିଶା ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମାନ୍ୟବର ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ଜିଲ୍ଲାସ୍ତରୀୟ ପରେଡରେ ଅଭିବାଦନ ଗ୍ରହଣ କରି ପ୍ରଥମେ କଟକବାସୀଙ୍କୁ ସ୍ଵାଧୀନତା ଦିବସ ଅବସରରେ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇ ଏକ ନୂଆ ଓଡିଶା, ବିକଶିତ ଓଡିଶା ଗଠନ ଦିଗରେ ସମସ୍ତେ ସଙ୍କଳ୍ପବଦ୍ଧ ହେବାକୁ ଆହ୍ଵାନ ଦେଇଥିଲେ। ଦେଶର ସ୍ଵାଧୀନତା ସଂଗ୍ରାମରେ ଆତ୍ମବଳି ଦେଇଥିବା ମହାମନିଷୀ ମାନଙ୍କୁ ସ୍ମରଣ କରି ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରି ସେ କହିଥିଲେ କଟକ ଏକ ସାଧାରଣ ସହର ନୁହେଁ । ଏହି ସହରରେ ଓଡିଶାର ଅତୀତର ଇତିହାସ ଓ ଐତିହ୍ୟ ଜଡ଼ିତ ରହିଛି। ସ୍ୱାଧୀନତା ସଂଗ୍ରାମ ଆନ୍ଦୋଳନ କଟକର ଐତିହାସିକ ସ୍ବରାଜ ଆଶ୍ରମରୁ ଆନ୍ଦୋଳନର ମୂଳଦୁଆ ପଡ଼ିଥିଲା। କଟକ ଓଡ଼ିଶାର ସାମାଜିକ,ସାଂସ୍କୃତିକ, ରାଜନୈତିକ, ଏବଂ ଅର୍ଥନୈତିକ ବିକାଶ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି।

ତେଣୁ ଆମେ ସମସ୍ତେ ମିଳିମିଶି ଏକ ସମୃଦ୍ଧ ଓଡିଶା ଗଠନ ପାଇଁ ସଂକଳ୍ପ ବଦ୍ଧ ହେବା ସହିତ ଓଡ଼ିଶାକୁ ଆଗକୁ ନେବାକୁ ପଡିବ। ବର୍ତ୍ତମାନ କୃଷି, ଶିକ୍ଷା, ସ୍ୱାସ୍ଥ୍ୟ ସବୁ କ୍ଷେତ୍ରରେ ପ୍ରଗତି ହେଉଛି। ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମ ଦ୍ରୁତ ଗତିରେ ଆଗେଇ ଚାଲିଛି ବୋଲି ସେ କହିଥିଲେ। ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଏବଂ ୨୦୪୭ ସୁଦ୍ଧା ବିକଶିତ ଭାରତ ଗଢ଼ିବାର ସ୍ଵପ୍ନ ସାକାର କରିବାକୁ ସେ ଆହ୍ବାନ ଦେଇଥିଲେ ।

ଏହି ଅବସରରେ ରାଜସ୍ୱ ମନ୍ତ୍ରୀ ସ୍ବାଧୀନତା ଦିବସ ଅବସରରେ ବିଭିନ୍ନ ବିଦ୍ୟାଳୟସ୍ତରୀୟ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀଙ୍କୁ ପୁରସ୍କୃତ କରିବା ସହିତ, ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କୃତିତ୍ଵ ହାସଲ କରିଥିବା ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ମୁଖ୍ୟ ମଞ୍ଚରେ ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ, ଡିସିପି ଋଷିକେଶ ଖିଲାରୀ ଦ୍ୟାନଦେଓ , କଟକ ମହାନଗର ନିଗମ ଆୟୁକ୍ତ କିରନଦୀପ କୌର ସହୋତା ଉପସ୍ଥିତ ଥିଲେ । ଚଳିତ ବର୍ଷ ଜିଲ୍ଲାସ୍ତରୀୟ ପରେଡକୁ ପରିଚାଳନା କରିଥିଲେ ପରେଡ କମାଣ୍ଡର ବିଷ୍ଣୁ ପ୍ରସାଦ ମିଶ୍ର । ପରେଡରେ ୨ଟି ପୋଲିସ୍ ପ୍ଲାଟୁନ୍‌, ଗୋଟିଏ ହୋମଗାର୍ଡ ପ୍ଲାଟୁନ୍‌, ୧୨ ଟି ଏନସିସି ଦଳ, ବିଭିନ୍ନ ମହାବିଦ୍ୟାଳୟ ଓ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ପୋଲିସ ବ୍ୟାଣ୍ଡକୁ ମିଶାଇ ମୋଟ ୩୬ ଟି କଣ୍ଟିନଜଏଂଟ ଭାଗ ନେଇଥିଲେ ।

ସ୍ବାଧୀନତା ଦିବସ ଅବସରରେ ମନ୍ତ୍ରୀ ଶ୍ରୀ ପୂଜାରୀ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିଅମଠାରେ ବିଶାଳ ରକ୍ତଦାନ ଶିବିରର ଉଦ୍ଘାଟନ କରିଥିଲେ । ଜିଲ୍ଲା ପ୍ରଶାସନ, କଟକ ମହାନଗର ନିଗମ, କଟକ ଜିଲ୍ଲା ସ୍ବାସ୍ଥ୍ୟ ସମିତି ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ ଏହି ରକ୍ତଦାନ ଶିବିରରେ ୨୩୦ ରୁ ଅଧିକ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ପ୍ରତ୍ଯେକ ରକ୍ତଦାତାଙ୍କୁ ଉପହାର ସ୍ବରୂପ ପୁସ୍ତକ ପ୍ରଦାନ କରାଯାଇଥିଲା । ପରେ ରାଜସ୍ୱମନ୍ତ୍ରୀ କଟକ ଜେଲ ରୋଡ଼ ଠାରେ ଥିବା ପୁରୁଣା ଜେଲ ପରିଦର୍ଶନ କରିବା ସହ ନେତାଜୀ ସଂଗ୍ରହାଳୟ ଓ ବ୍ୟାଖ୍ୟାନ କେନ୍ଦ୍ର ବୁଲି ଦେଖିଥିଲେ । ଏହା ପରେ ମନ୍ତ୍ରୀ ଶ୍ରୀଯୁକ୍ତ ପୂଜାରୀ ସ୍ଵରାଜ ଆଶ୍ରମ ଯାଇ ସେଠାରେ ଗାନ୍ଧୀଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ ।

ସ୍ଵରାଜ ଆଶ୍ରମଠାରେ ସିଆଇଏସଏଫ ପକ୍ଷରୁ ବ୍ୟାଣ୍ଡ ଯୋଗେ ବିଭିନ୍ନ ଦେଶାତ୍ମବୋଧକ ସଙ୍ଗୀତ ପରିବେଷଣ କରାଯାଇଥିଲା । ଏହି ଅବସରରେ ପ୍ରାତଃ ଘ.୦୪.୩୦ମି. ସମୟରେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ କାର୍ଯ୍ୟାଳୟ ତରଫରୁ ଡାକବାଜି ଯନ୍ତ୍ର ଯୋଗେ ରାମଧୂନ୍ ବଜାଯାଇ ସହର ପରିକ୍ରମା କରିଥିଲା । ସ୍ବାଧୀନତା ଦିବସ ପାଳନ ଅବସରରେ ମାନ୍ୟବର ବିଧାୟିକା ବାରବାଟୀ କଟକ ଇଂ ସୋଫିଆ ଫିର୍ଦୋଷଙ୍କ ସମେତ ଅତିରିକ୍ତ ଜିଲ୍ଲାପାଳ ଡଃ ଦିବ୍ୟଲୋଚନ ମହାନ୍ତ, ଶ୍ରୀ କମଲଜିତ ଦାସ, ଡଃ ଈପ୍ସିତା ପ୍ରିୟଦର୍ଶିନୀ ମିଶ୍ର, ଉପଜିଲ୍ଲାପାଳ ଶ୍ରୀ ଦିବ୍ୟଜ୍ୟୋତି ସ୍ମୃତିରଞ୍ଜନ ଦେଓଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀମତୀ ସ୍ଵାଗତିକା ବେହେରା ପରିଚାଳନା କରିଥିବାବେଳେ କାର୍ଯ୍ଯାଳୟର ସମସ୍ତ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟ ସମ୍ପାଦନ କରିଥିଲେ

 

cuttack ru lalita dash nka report

Leave a Reply

Your email address will not be published. Required fields are marked *