August 10, 2026
Home » ଡିଏଭି ପିପିଏଲ୍ ବିଦ୍ୟାଳୟରେ ପାଳିତ ହେଲା ଗଙ୍ଗାଧର ମେହେର ଜୟନ୍ତୀ

ଡିଏଭି ପିପିଏଲ୍ ବିଦ୍ୟାଳୟରେ ପାଳିତ ହେଲା ଗଙ୍ଗାଧର ମେହେର ଜୟନ୍ତୀ

0
WhatsApp Image 2026-08-10 at 4.31.46 PM

ପାରାଦୀପ, : ପାରାଦ୍ଵୀପସ୍ଥିତ ଡିଏଭି ପିପିଏଲ୍ ବିଦ୍ୟାଳୟ ପରିସରରେ ଓଡ଼ିଆ ସାହିତ୍ୟର ଅମର ସାଧକ, ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ଉତ୍ସବ ଅତ୍ୟନ୍ତ ହୃଦୟସ୍ପର୍ଶୀ ଓ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟ ପରିସରରେ ଏକ ଆଧ୍ୟାତ୍ମିକ ଏବଂ ସାରସ୍ୱତ ପରିବେଶ ସୃଷ୍ଟି ହୋଇଥିଲା। ଏହି ସାରସ୍ୱତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ସଞ୍ଜୀବ କୁମାର ସାହୁ ଅଧ୍ୟକ୍ଷତା କରିଥିଲେ। ସେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ପ୍ରତିଛବିରେ ମାଲ୍ୟାର୍ପଣ କରିବା ସହ ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ବିଦ୍ୟାଳୟର ଦୁଇ ମାଧ୍ୟମର ସଂଯୋଜକ ଶ୍ରୀଯୁକ୍ତ ବୃନ୍ଦାବନ ରାଉତ ଏବଂ ମହେଶ୍ୱର ପାଣିଗ୍ରାହୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ଓ ସୁଚିନ୍ତିତ ପରିଚାଳନାରେ ସମସ୍ତ କାର୍ଯ୍ୟକ୍ରମ ସୁଚାରୁରୂପେ ସଂପାଦିତ ହୋଇଥିଲା। ଉତ୍ସବ ପରିପ୍ରେକ୍ଷୀରେ ଓଡ଼ିଆ ବିଭାଗର ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ଛାତ୍ରଛାତ୍ରୀମାନଙ୍କ ଯୌଥ ଉଦ୍ୟମରେ ବିଭିନ୍ନ ମନୋଜ୍ଞ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଏଥିରେ ଆକର୍ଷଣୀୟ ବକ୍ତୃତା, କବିତା ଆବୃତ୍ତି, ମଧୁର ସଙ୍ଗୀତ ଏବଂ କବିଙ୍କ ଜୀବନୀ ଆଧାରିତ ଆକର୍ଷଣୀୟ ଗଣବେଶ ପ୍ରଦର୍ଶନ ଅନ୍ତର୍ଭୁକ୍ତ ଥିଲା। ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ‘ତପସ୍ୱିନୀ’, ‘ଇନ୍ଦୁମତୀ’, ‘କୀଚକ ବଧ’ ଆଦି କାଳଜୟୀ କାବ୍ୟ ରଚନା କରିଥିବା ମହାନ କବିଙ୍କ ଜୀବନୀ ଓ ସାହିତ୍ୟ କୃତି ସମ୍ପର୍କରେ ନିଜ ନିଜର ବକ୍ତବ୍ୟ ସୁନ୍ଦର ଭାବେ ଉପସ୍ଥାପନ କରିଥିଲେ। ନିଜର ସାରଗର୍ଭକ ଉଦବୋଧନରେ ଅଧ୍ୟକ୍ଷ ସଞ୍ଜୀବ କୁମାର ସାହୁ କବି ଗଙ୍ଗାଧର ମେହେରଙ୍କ ପ୍ରକୃତିପ୍ରୀତି, ସାରସ୍ୱତ ସାଧନା ଏବଂ ମାତୃଭାଷା ଓ ମାତୃଭୂମି ପ୍ରତି ତାଙ୍କର ଅତୁଳନୀୟ ଅବଦାନ ସମ୍ପର୍କରେ ବିସ୍ତୃତ ଆଲୋକପାତ କରିଥିଲେ। ସେ ଛାତ୍ରଛାତ୍ରୀମାନଙ୍କୁ କବିଙ୍କ ଉଚ୍ଚ ଆଦର୍ଶରେ ଅନୁପ୍ରାଣିତ ହୋଇ ମାତୃଭାଷାର ସେବା ଓ ସଂରକ୍ଷଣ କରିବାକୁ ଆହ୍ୱାନ ଦେବା ସହ ଶୁଭ ଆଶୀର୍ବଚନ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମର ଶେଷ ପର୍ଯ୍ୟାୟରେ ସଂଯୋଜକ ବୃନ୍ଦାବନ ରାଉତ ସମସ୍ତ ଗୁରୁଜନ, ଶିକ୍ଷକ ଶିକ୍ଷୟିତ୍ରୀ, କର୍ମଚାରୀ ଓ ଛାତ୍ରଛାତ୍ରୀମାନଙ୍କୁ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ବର୍ଣ୍ଣାଢ଼୍ୟ ଓ ସଫଳ ଆୟୋଜନ ପାଇଁ ଡିଏଭି ଓଡ଼ିଶା ଜୋନ୍ ର ଆଞ୍ଚଳିକ ନିର୍ଦ୍ଦେଶକ ଡକ୍ଟର କେଶବ ଚନ୍ଦ୍ର ଶତପଥୀ ଏବଂ ଆଞ୍ଚଳିକ ଅଧିକାରୀ ଡକ୍ଟର ସୁଜାତା ସାହୁ ବିଦ୍ୟାଳୟ ପରିବାର, ଶିକ୍ଷକ-ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନଙ୍କୁ ଆନ୍ତରିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *