ଡିସିଏଲ୍ ଫୁଟବଲ୍ କପ୍ କାଲି, ମହିଳା ସାମ୍ବାଦିକା-ଓଲିଉଡ୍ ଅଭିନେତ୍ରୀଙ୍କ ପ୍ରଦର୍ଶନୀ ମ୍ୟାଚ୍ ମୁଖ୍ୟ ଆକର୍ଷଣ
ଆଜି ଉନ୍ମୋଚିତ ହେଲା ସମସ୍ତ ଦଳର ଜର୍ସି
ଭୁବନେଶ୍ୱର: ଆସନ୍ତାକାଲି ଭୁବନେଶ୍ୱରସ୍ଥିତ ଏକ ନମ୍ବର ଫୁଟବଲ୍ ଏକାଡେମୀ ପରିସରରେ ଡିସିଏଲ୍ ପକ୍ଷରୁ ଡିସିଏଲ୍ ଫୁଟବଲ୍ କପ୍ ଆୟୋଜିତ ହେବ। ଏଥିରେ ଆଠଟି ଦଳ ଦୁଇଟି ଗ୍ରୁପ୍ରେ ବିଭକ୍ତ ହୋଇ ଅଂଶଗ୍ରହଣ କରିବେ ଏବଂ ଉଭୟ ଗ୍ରୁପ୍ର ବିଜେତାଙ୍କ ମଧ୍ୟରେ ଫାଇନାଲ୍ ମ୍ୟାଚ୍ ଖେଳାଯିବ। ବିଜେତା ଓ ରନର୍ସଅପ୍ ଦଳକୁ ଟ୍ରଫି ପ୍ରଦାନ ସହ ସମସ୍ତ ଅଂଶଗ୍ରହଣକାରୀ ଦଳକୁ ସମ୍ମାନିତ କରାଯିବ। ଏଥିସହ ବେଷ୍ଟ ଗୋଲକିପର୍ ଓ ବେଷ୍ଟ ଖେଳାଳିଙ୍କୁ ପୁରସ୍କୃତ କରାଯିବ।ତେବେ ଏହି ଫୁଟବଲ୍ କପ୍ର ମୁଖ୍ୟ ଆକର୍ଷଣ ହେବ ମହିଳା ସାମ୍ବାଦିକା ଓ ଓଲିଉଡ୍ ଅଭିନେତ୍ରୀଙ୍କ ମଧ୍ୟରେ ଆୟୋଜିତ ସ୍ୱତନ୍ତ୍ର ପ୍ରଦର୍ଶନୀ ମ୍ୟାଚ୍।

ପ୍ରତିଯୋଗିତାରେ ବିଧାୟକ, ଓଲିଉଡ୍, ଗଣମାଧ୍ୟମ, ଆଇନଜୀବୀ, ଅଗ୍ନିଶମ, ଷଷ୍ଠ ବାଟାଲିୟନ, କମିଶନରେଟ୍ ପୋଲିସ ଓ ସଚିବାଳୟ ଦଳ ଅଂଶଗ୍ରହଣ କରିବେ। ଏହି ଅବସରରେ ଆଜି ସମସ୍ତ ଅଂଶଗ୍ରହଣକାରୀ ଦଳର ଜର୍ସି ଉନ୍ମୋଚନ କରାଯାଇଛି। ଏଥିରେ ସାଂସଦ ରବି ନାରାୟଣ ବେହେରା, ବିଧାୟକ ଅରୁଣ ସାହୁ, ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥି, କେଦାର ମିଶ୍ର, ସମାଜସେବୀ ସନ୍ତୋଷ କୁମାର ଲେଙ୍କା ଏବଂ ସମସ୍ତ ଦଳର ଅଧିନାୟକ ଓ ଅଧିନାୟିକା ମାନେ ପ୍ରମୁଖ ଉପସ୍ଥିତ ରହି ଟ୍ରଫି ଉନ୍ମୋଚନ ସହ ଜର୍ସି ଉନ୍ମୋଚନ କରିଥିଲେ। ଏଭଳି ଏକ କାର୍ଯ୍ୟକ୍ରମ ହେଉଥିବାରୁ ଉପସ୍ଥିତ ଅତିଥି ମାନେ ଆୟୋଜନଙ୍କ ପ୍ରଶଂସା କରିବା ସହ ଖେଳାଳିଙ୍କ ସଫଳତା କାମନା କରିଥିଲେ।

ସେହିପରି ଆସନ୍ତାକାଲି ଉଦ୍ଘାଟନୀ ଓ ଉଦ୍ଯାପନୀ ସମାରୋହରେ ସାଂସଦ ଡକ୍ଟର ରବି ନାରାୟଣ ବେହେରା, ବିଧାୟକ ରମେଶ ଜେନା ଓ ଅରୁଣ ସାହୁ, ମେୟର ସୁଲୋଚନା ଦାଶ ଏବଂ ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ, ସ୍ତମ୍ଭକାର କେଦାର ମିଶ୍ରଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେବେ ବୋଲି ଆୟୋଜକ ଅନୁଷ୍ଠାନର ସଭାପତି ସେକ୍ ଗୁଲଜାର ଓ ସାଧାରଣ ସମ୍ପାଦକ ଚିରଞ୍ଜୀବ ଏହି ସୂଚନା ପ୍ରଦାନ ପ୍ରଦାନ କରିଛନ୍ତି ବୋଲି ଅନୁଷ୍ଠାନର ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର ଏକ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି।
