ଡେବ୍ରିଗଡ଼ର ‘ଗ୍ରୀନ୍ ଲିଡର’ ମୈଥିଲୀ ଭୁଏ
ସଂରକ୍ଷଣ ସହ ମହିଳାଙ୍କ ଜୀବିକା ପରିବର୍ତ୍ତନରେ ଆଣିଛନ୍ତି ନୂଆ ଦିଗ
ବରଗଡ଼: ଡେବ୍ରିଗଡ଼ ବନ୍ୟପ୍ରାଣୀ ଅଭୟାରଣ୍ୟ ନିକଟସ୍ଥ ଢୋର୍ରୁକୁସୁମ ଗ୍ରାମର ଆଦିବାସୀ ମହିଳା ମୈଥିଲୀ ଭୁଏ ଏବେ ଗୋଷ୍ଠୀଭିତ୍ତିକ ବନ ସଂରକ୍ଷଣ ଓ ମହିଳା ସଶକ୍ତିକରଣର ଜଣେ ଉଦାହରଣୀୟ ନେତ୍ରୀ ଭାବେ ପରିଚିତ ହୋଇଛନ୍ତି। ଡେବ୍ରିଗଡ଼ ବନ୍ୟପ୍ରାଣୀ ଅଭୟାରଣ୍ୟରେ ସଂରକ୍ଷଣ, ଇକୋଟୁରିଜମ୍ ଓ ସ୍ଥାୟୀ ଜୀବିକା କାର୍ଯ୍ୟକ୍ରମରେ ତାଙ୍କ ଭୂମିକା ଉଲ୍ଲେଖନୀୟ।୨୦୨୩ ମସିହାରୁ ମୈଥିଲୀ ଡେବ୍ରିଗଡ଼ର ଗୋଷ୍ଠୀଭିତ୍ତିକ କାର୍ଯ୍ୟକ୍ରମ ସହ ଜଡ଼ିତ ଅଛନ୍ତି। ଜିରୋପଏଣ୍ଟ ରେଷ୍ଟୁରାଣ୍ଟରେ କାର୍ଯ୍ୟ କରିବା ସହ ସେ ପର୍ଯ୍ୟଟକଙ୍କୁ ଡେବ୍ରିଗଡ଼ର ପ୍ରାକୃତିକ ସମ୍ପଦ ଓ ବନ୍ୟପ୍ରାଣୀ ସଂରକ୍ଷଣ ସମ୍ପର୍କରେ ସଚେତନ କରୁଛନ୍ତି। ବର୍ତ୍ତମାନ ସେ ପ୍ରାୟ ୯,୫୦୦ ଟଙ୍କା ମାସିକ ଆୟ କରି ନିଜ ପରିବାରକୁ ଆର୍ଥିକ ସହାୟତା ଦେଉଛନ୍ତି।ପୂର୍ବରୁ ମୈଥିଲୀଙ୍କ ପରିବାର ଜୀବିକା ଓ ଘରୋଇ ଆବଶ୍ୟକତା ପାଇଁ ଡେବ୍ରିଗଡ଼ ଜଙ୍ଗଲ ଉପରେ ନିର୍ଭରଶୀଳ ଥିଲେ। ଜାଳେଣି କାଠ, ତିମ୍ବର, ମହୁଲ ଫୁଲ, କେନ୍ଦୁପତ୍ର, ବାଉଁଶ କରାଡ଼ି ଓ ଅନ୍ୟାନ୍ୟ ବନଜାତ ଦ୍ରବ୍ୟ ସଂଗ୍ରହ କରି ପରିବାର ଚଳୁଥିଲା। ତେବେ ବିକଳ୍ପ ଜୀବିକାର ସୁଯୋଗ ମିଳିବା ପରେ ମୈଥିଲୀ ନିଜ ଜୀବନଧାରାରେ ପରିବର୍ତ୍ତନ ଆଣିବା ସହ ଅନ୍ୟ ମହିଳାଙ୍କୁ ମଧ୍ୟ ଏଥିପାଇଁ ପ୍ରେରିତ କରିଛନ୍ତି।

ତାଙ୍କ ନେତୃତ୍ୱରେ ପ୍ରାୟ ୪୦ ଜଣ ମହିଳା ବନଜାତ ଦ୍ରବ୍ୟ ଉପରେ ନିର୍ଭରଶୀଳତା କମାଇ ବନ୍ୟପ୍ରାଣୀ ସୁରକ୍ଷା, ମେଡୋ ବିକାଶ, ଇକୋଟୁରିଜମ୍, ରାସ୍ତା ରକ୍ଷଣାବେକ୍ଷଣ ଆଦି କାର୍ଯ୍ୟରେ ସାମିଲ ହୋଇଛନ୍ତି। କେହି ପ୍ରୋଟେକ୍ସନ୍ ସ୍କ୍ୱାଡ୍ରେ, କେହି ଡ୍ରାଇଭର, ଇକୋଟୁରିଜମ୍ କର୍ମୀ ଓ ହୋମ୍ଷ୍ଟେ ମାଲିକ ଭାବେ ନିଜ ଜୀବିକା ଗଢ଼ିଛନ୍ତି।ମୈଥିଲୀଙ୍କ ଏହି ଯାତ୍ରା ସହଜ ନଥିଲା। ଆରମ୍ଭରେ ଗ୍ରାମରେ ମଧ୍ୟ ତାଙ୍କୁ ବିରୋଧ ଓ ସମାଲୋଚନାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ମହିଳା ଜଙ୍ଗଲରେ କାମ କରିବା, ବନ ବିଭାଗ ସହ ମିଶି ସଂରକ୍ଷଣ କାର୍ଯ୍ୟ କରିବା ଏବଂ ଇକୋଟୁରିଜମ୍ରେ ଯୋଗଦେବା ନେଇ ଅନେକଙ୍କ ମନରେ ଦ୍ୱିଧା ଥିଲା। କିନ୍ତୁ ମୈଥିଲୀ ନିଜ ଦୃଢ଼ତା ଓ କାର୍ଯ୍ୟଦକ୍ଷତାରେ ସେହି ଧାରଣାକୁ ବଦଳାଇବାରେ ସଫଳ ହୋଇଛନ୍ତି।ବନ ବିଭାଗ ମଧ୍ୟ ତାଙ୍କ ନେତୃତ୍ୱ କ୍ଷମତାକୁ ଚିହ୍ନଟ କରି ମହିଳାମାନଙ୍କୁ ସଂରକ୍ଷଣମୁଖୀ ଜୀବିକା ଆପଣାଇବା ଓ ବନ ସମ୍ପଦର ଦାୟିତ୍ୱପୂର୍ଣ୍ଣ ବ୍ୟବହାର ନେଇ ସଚେତନ କରିବାର ଦାୟିତ୍ୱ ଦେଇଛି। ସେ ବନ ସୁରକ୍ଷା, ପରିମଳ, ବର୍ଜ୍ୟ ପରିଚାଳନା, ବିକଳ୍ପ ଜୀବିକା ଓ ବନ୍ୟପ୍ରାଣୀ ସୁରକ୍ଷା ନେଇ ଗ୍ରାମବାସୀଙ୍କୁ ସଚେତନ କରୁଛନ୍ତି।ବିଶେଷକରି ଜାଳେଣି କାଠ ସଂଗ୍ରହ କମାଇବା, LPG ଓ ଇନ୍ଧନ-ଦକ୍ଷ ଚୁଲା ବ୍ୟବହାର, ବାଉଁଶ ଚାରା ସଂରକ୍ଷଣ, ଘରୋଇ ବର୍ଜ୍ୟ ପରିଚାଳନା ଏବଂ ଶୌଚାଳୟ ବ୍ୟବହାର ନେଇ ସେ ଲୋକଙ୍କୁ ପ୍ରୋତ୍ସାହିତ କରୁଛନ୍ତି। ଜଙ୍ଗଲରେ ଆବର୍ଜନା ଫିଙ୍ଗିବା, ବନ୍ୟପ୍ରାଣୀଙ୍କୁ ଧରି ରଖିବା ଭଳି କାର୍ଯ୍ୟ ବିରୋଧରେ ମଧ୍ୟ ସେ ସଚେତନତା ସୃଷ୍ଟି କରୁଛନ୍ତି।ମୈଥିଲୀଙ୍କ ପ୍ରୟାସରେ ଢୋର୍ରୁକୁସୁମ ଗ୍ରାମ ଏକ ‘ଗ୍ରୀନ୍ ଭିଲେଜ୍’ ଭାବେ ଉନ୍ନତି କରୁଛି। ପରିମଳ ବ୍ୟବସ୍ଥା, ସ୍ୱଚ୍ଛ ରୋଷେଇ ପ୍ରଣାଳୀ ଓ ବର୍ଜ୍ୟ ପରିଚାଳନାରେ ଉନ୍ନତି ସହ ଜଙ୍ଗଲ ଉପରେ ନିର୍ଭରଶୀଳତା ମଧ୍ୟ କମିଛି। ମହିଳାଙ୍କ ପାଇଁ ଜୀବିକା ସୁଯୋଗ ସୃଷ୍ଟି ଉଦ୍ଦେଶ୍ୟରେ ୨୦୨୫ ମସିହାରେ ଢୋର୍ରୁକୁସୁମକୁ ଆଦିବାସୀ ମହିଳା ପରିଚାଳିତ ହୋମ୍ଷ୍ଟେ ବିକାଶ ପାଇଁ ଚୟନ କରାଯାଇଥିଲା।ମୈଥିଲୀଙ୍କ ଉଦ୍ୟମ ଓ ନେତୃତ୍ୱରେ ପ୍ରଭାବିତ ହୋଇ ଗ୍ରାମବାସୀ ତାଙ୍କୁ ଢୋର୍ରୁକୁସୁମ ଇକୋ-ଡେଭଲପମେଣ୍ଟ କମିଟି (EDC)ର ସଭାପତି ଭାବେ ଚୟନ କରିଛନ୍ତି। ବନ ଉପରେ ନିର୍ଭରଶୀଳ ଜୀବିକାରୁ ସଂରକ୍ଷଣଭିତ୍ତିକ ଜୀବନଧାରାକୁ ଗ୍ରାମକୁ ଆଗେଇ ନେବାରେ ତାଙ୍କ ଭୂମିକା ଏକ ଉଦାହରଣ ସୃଷ୍ଟି କରିଛି।ମୈଥିଲୀ ଭୁଏଙ୍କ କାହାଣୀ ପ୍ରମାଣ କରୁଛି ଯେ, ମହିଳାଙ୍କ ଆର୍ଥିକ ସଶକ୍ତିକରଣ, ସମ୍ପ୍ରଦାୟର ସହଭାଗିତା ଓ ପରିବେଶ ସଂରକ୍ଷଣ ଏକାଠି ହୋଇ ଜଙ୍ଗଲ ଓ ମଣିଷ ମଧ୍ୟରେ ସୁସ୍ଥ ସହାବସ୍ଥାନର ନୂଆ ଦିଗ ଖୋଲିପାରେ।
ବ୍ୟୋମକେଶ କର ଙ୍କ ରିପୋର୍ଟ
